Image Courtesy of Zee News
ବେଜିଙ୍ଗ୍: ନମୁନା ଭାବେ ଗ୍ରହଣ କରାଯାଇଥିବା ଦଳେ କୋଭିଡ-୧୯ ସଂକ୍ରମଣରୁ ସୁସ୍ଥ ହୋଇଥିବା ବ୍ୟକ୍ତିମାନଙ୍କ ମଧ୍ୟରୁ ୯୦%ର ଫୁସ୍ଫୁସ୍ ନଷ୍ଟସ୍ଥିତିରେ ଅଛି ଏବଂ ୫% ପୁଣି କରୋନାଭାଇରସ୍ ପଜିଟିଭ୍ ହେବାରୁ କ୍ବାରେଣ୍ଟିନ୍ରେ ଅଛନ୍ତି ବୋଲି ବୁଧବାର ଦିନ ଗଣମାଧ୍ୟମ ରିପୋର୍ଟରେ ପ୍ରକାଶ ପାଇଛି। ସମ୍ପୃକ୍ତ ରୋଗୀମାନେ ଚୀନ୍ର ଊହାନସ୍ଥିତ ଏକ ପ୍ରମୁଖ ସରକାରୀ ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ।
ଏପ୍ରିଲ୍ ମାସ ଠାରୁ ଊହାନ୍ ୟୁନିଭର୍ସିଟି ଅଧୀନ ଝୋଙ୍ଗନାନ୍ ହସ୍ପିଟାଲ୍ର ଆଇସିୟୁ ନିର୍ଦେଶକ ପେଙ୍ଗ୍ ଝିୟୋଙ୍ଗ୍ଙ୍କ ନେତୃତ୍ବରେ ଦଳେ ଗବେଷକ ସୁସ୍ଥ ହୋଇଥିବା ୧୦୦ଜଣ କୋଭିଡ୍ ଆକ୍ରାନ୍ତଙ୍କ ସ୍ବାସ୍ଥ୍ୟ ଉପରେ ଦୃଷ୍ଟି ରଖିଥିଲେ। ଏହି ଅଧ୍ୟୟନରେ ସାମିଲ କରାଯାଇଥିବା ରୋଗୀଙ୍କ ବୟସ ହାରାହାରି ୫୯।
ରାଷ୍ଟ୍ରାୟତ ଗଣମାଧ୍ୟମ ‘ଗ୍ଲୋବାଲ୍ ଟାଇମ୍ସ’ ରିପୋର୍ଟ ଅନୁସାରେ, ଜୁଲାଇ ମାସରେ ଏହି କାର୍ଯ୍ୟକ୍ରମର ପ୍ରଥମ ପର୍ଯ୍ୟାୟ ଶେଷ ହୋଇଛି। ପ୍ରଥମ ପର୍ଯ୍ୟାୟ ଫଳାଫଳ ଅନୁସାରେ, ସୁସ୍ଥ ହୋଇଥିବା ରୋଗୀମାନଙ୍କ ମଧ୍ୟରୁ ୯୦%ଙ୍କ ଫୁସ୍ଫୁସ୍ ନଷ୍ଟସ୍ଥିତିରେ ଅଛି। ଅର୍ଥାତ୍ ସେମାନଙ୍କ ଫୁସ୍ଫୁସ୍ର ବାୟୁ ଚଳାଚଳ ଓ ବାଷ୍ପ ବିନିମୟ ସୁସ୍ଥ ବ୍ୟକ୍ତିଙ୍କ ସ୍ତରକୁ ଆସିନାହିଁ।
Image Courtesy of NDTVପେଙ୍ଗ୍ ଟିମ୍ ରୋଗୀମାନଙ୍କୁ ଛଅ ମିନିଟ୍ ଚାଲିବା ପରୀକ୍ଷା କରାଇଥିଲେ। ସେମାନେ ଦେଖିଲେ ଯେ, ସୁସ୍ଥ ହୋଇଥିବା ଆକ୍ରାନ୍ତମାନେ ଛଅ ମନିଟ୍ରେ ମାତ୍ର ୪୦୦ ମିଟର୍ ଚାଲି ପାରୁଛନ୍ତି। କିନ୍ତୁ, ଆକ୍ରାନ୍ତ ହୋଇ ନ ଥିବା ବ୍ୟକ୍ତିମାନେ ନିର୍ଦ୍ଧାରିତ ସମୟ ସୀମା ମଧ୍ୟରେ ୫୦୦ ମିଟର୍ ଚାଲୁଛନ୍ତି।
ଏହାଛଡ଼ା ଡାକ୍ତରଖାନାରୁ ବିଦା ହେବାର ତିନି ମାସ ଯାଏଁ ମଧ୍ୟ କେତେକ ରୋଗୀ ଅମ୍ଳଜାନ ଉପରେ ନିର୍ଭର କରୁଥିଲେ ବୋଲି ଡୋଙ୍ଗ୍ଝିମେନ୍ ହସ୍ପିଟାଲ୍ର ଡାକ୍ତର ଲିଆଙ୍ଗ୍ ଟେଙ୍ଗ୍ଜିଆଓ କହିଛନ୍ତି। ଏହାଛଡ଼ା ସୁସ୍ଥ ହୋଇଥିବା ୧୦୦ ରୋଗୀଙ୍କ ମଧ୍ୟରୁ ୧୦%ଙ୍କ ଦେହରୁ ନଭେଲ୍ କରୋନାଭାଇରସ୍ ବିପକ୍ଷରେ କାମ କରୁଥିବା ଆଣ୍ଟିବଡ଼ି ମଧ୍ୟ ଲୋପ ପାଇଯାଇଛି।
ସେମାନଙ୍କ ମଧ୍ୟରୁ ୫% କୋଭିଡ୍-୧୯ ନେଗେଟିଭ୍ ହୋଇଥିବା ବେଳେ ବାକି ୫% ପଜିଟିଭ୍ ବାହାରି ପୁଣ କ୍ବାରେଣ୍ଟିନ୍ରେ ରହିଛନ୍ତି। କିନ୍ତୁ, ଏମାନେ ପୁଣି ଥରେ ଆକ୍ରାନ୍ତ ହୋଇଛନ୍ତି କି, ନାହିଁ, ତାହା ଜଣାପଡ଼ିନାହିଁ।
Follow Us