Image Courtesy of Kashmir Independent Media Service
ଲାହୋର୍: ପାକିସ୍ତାନ ଭିସା ଦେବା ପରେ ରାୱଲପିଣ୍ଡିରେ ଥିବା ପୂର୍ବଜଙ୍କ ଘର ଦେଖିବା ପାଇଁ ଦୀର୍ଘ ଦିନ ହେବ ଆଶାୟୀ ଥିବା ଜଣେ ୯୦ ବର୍ଷୀୟ ଭାରତୀୟ ମହିଳାଙ୍କର ଇଚ୍ଛା ଶନିବାର ଦିନ ପୂରଣ ହୋଇଛି।
୭୫ ବର୍ଷ ତଳେ ଦେଶ ବିଭାଜନ ବେଳେ ଭାରତକୁ ଚାଲି ଆସିଥିବା ୯୦ ବର୍ଷୀୟ ରୀନା ଛିବ୍ବର୍ ବର୍ମା ୱାଗା-ଅଟ୍ଟାରି ସୀମାନ୍ତ ବାଟେ ଲାହୋରରେ ପହଞ୍ଚିଥିଲେ।
ଏଠାରେ ପହଞ୍ଚିବାକ୍ଷଣି, ଛଳଛଳ ଆଖିରେ ବର୍ମା ତାଙ୍କ ଜନ୍ମିତ ନଗରୀ ରାୱଲ୍ପିଣ୍ଡି ଅଭିମୁଖେ ଯାତ୍ରା କରି ପୈତୃକ ବାସଭବନ ‘ପ୍ରେମ ନିବାସ’, ସେ ପଢୁଥିବା ସ୍କୁଲ୍, ଏବଂ ବାଲ୍ୟବାନ୍ଧବୀମାନଙ୍କୁ ଭେଟିଥିଲେ।
ସମ୍ପ୍ରତି ପୁଣେରେ ବାସ କରୁଥିବା ବର୍ମା ସାମାଜିକ ଗଣମାଧ୍ୟମରେ ଅପ୍ଲୋଡ୍ କରିଥିବା ଭିଡିଓରେ କହିଛନ୍ତି, ତାଙ୍କ ପରିବାର ରାୱଲ୍ପିଣ୍ଡିର ଦେବୀ କଲେଜ୍ ରୋଡ୍ରେ ବାସ କରୁଥିବା ବେଳେ ଦେଶ ବିଭାଜନ ହେଲା। ସେତେବେଳକୁ (୧୯୪୭) ବର୍ମାଙ୍କୁ ମାତ୍ର ୧୫ ବର୍ଷ।
ପୁରୁଣା କଥା ସ୍ମରଣ କରି ସେ କହିଛନ୍ତି, ମୁଁ ‘ମଡର୍ଣ୍ଣ ସ୍କୁଲ୍’ରେ ପଢୁଥିଲି। ମୋର ୪ ଭାଇଭଉଣୀ ମଧ୍ୟ ସେହି ସ୍କୁଲ୍ରେ ପଢୁଥିଲେ। ‘ମଡର୍ଣ୍ଣ ସ୍କୁଲ୍’ ନିକଟରେ ଥିବା ‘ଗୋର୍ଡେନ୍ କଲେଜ୍’ରେ ମୋ ଭାଇ ଓ ଜଣେ ଭଉଣୀ ମଧ୍ୟ ପଢୁଥିଲେ।
Image Courtesy of Times of Indiaମୋ ବାପା ପ୍ରଗତିଶୀଳ ମନୋଭାବାପନ୍ନ ଏବଂ ପୁଅଝିଅଙ୍କ ମିଳାମିଶାକୁ ଖରାପ ମନେକରୁ ନ ଥିବାରୁ ମୋ ବଡ଼ ଭାଇଭଉଣୀଙ୍କର ମୁସଲମାନ ସାଙ୍ଗସାଥୀ ସବୁ ଆମ ଘରକୁ ଆସୁଥିଲେ। ଦେଶ ବିଭାଜନ ପୂର୍ବରୁ ହିନ୍ଦୁ-ମୁସଲ୍ମାନ ଭେଦଭାବ ନ ଥିଲା। ଦେଶ ବିଭାଜନ ହେବା ପରେ ଭେଦଭାବ ଆରମ୍ଭ ହେଲା।
ଭାରତସ୍ଥିତ ପାକିସ୍ତାନ ହାଇକମିସନ୍ ବର୍ମାଙ୍କୁ ୩ ମାସ ପାଇଁ ଭିସା ପ୍ରଦାନ କରିଥିଲେ। ଏହା ପୂର୍ବରୁ ୧୯୬୫ ମଧ୍ୟ ବର୍ମା ଭିସା ପାଇଁ ଆବେଦନ କରିଥିଲେ। କିନ୍ତୁ, ଯୁଦ୍ଧ ହେତୁ ଭାରତ ଓ ପାକିସ୍ତାନରେ ଉତ୍ତେଜନା ଲାଗି ରହିବାରୁ ତାଙ୍କୁ ଭିସା ମିଳି ନ ଥିଲା।
ପୂର୍ବଜଙ୍କ ଘର ଦେଖିବାକୁ ମନବଳାଉଛନ୍ତି ବୋଲି ଗତ ବର୍ଷ ସେ ସାମାଜିକ ଗଣମାଧ୍ୟମରେ ସୂଚନା ଦେଇଥିଲେ। ସାଜିଦ୍ ହାଇଦର୍ ନାମରେ ଜଣେ ପାକିସ୍ତାନୀ ନାଗରିକ ତାଙ୍କ ସହିତ ସହିତ ସାମାଜିକ ଗଣମାଧ୍ୟମରେ ଯୋଗାଯୋଗ କରି ରାୱଲ୍ପିଣ୍ଡିରେ ଥିବା ତାଙ୍କ ପୈତୃକ ଘରର ଫଟୋ ପଠାଇଥିଲେ।
Follow Us