ଶ୍ରୀନଗର: କଶ୍ମୀରରେ ବିଗତ ୨ ବର୍ଷ ମଧ୍ୟରେ ୯୪ ପାକ୍ ଅନୁପ୍ରବେଶକାରୀ ଆତଙ୍କବାଦୀ ନିପାତ ହୋଇଛନ୍ତି ବୋଲି ଆଜି ଜମ୍ମୁ କଶ୍ମୀର ମୁଖ୍ୟମନ୍ତ୍ରୀ ମେହବୁବା ମୁଫ୍୍ତି କହିଛନ୍ତି। ବିଧାନସଭାରେ ଏ ସଂପର୍କିତ ବକ୍ତବ୍ୟ ରଖି ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ୯୪ ଜଣ ପାକ୍ ଆତଙ୍କବାଦୀଙ୍କୁ ସୀମାରେ ଅନୁପ୍ରବେଶ ବେଳେ ନିପାତ କରାଯିବା ଏକ ଉଲ୍ଲେଖନୀୟ ସଫଳତା । ଏହି ପ୍ରକ୍ରିୟାରେ ୩ ଜଣଙ୍କୁ ଗିରଫ କରାଯାଇଛି ବୋଲି ସେ କହିଛନ୍ତି। ଜମ୍ମୁ କଶ୍ମୀରର ରାଜୌରି ଏବଂ ନୌସେନା ସେକ୍ଟର ଅଂଚଳର ସୀମାବର୍ତ୍ତୀ ୨୦ରୁ ଅଧିକ ଗ୍ରାମକୁ ପାକିସ୍ତାନ ଲଗାତାର ଟାର୍ଗେଟ୍ କରୁଥିବାରୁ ସେଠାରେ ସୁରକ୍ଷା କଡ଼ାକଡ଼ି କରାଯାଇଛି। କେବଳ ଅନୁପ୍ରବେଶକାରୀଙ୍କୁ ଭାରତରେ ପଶାଇବା ପାଇଁ ପାକ୍ ରେଂଜର୍ସ ଗୁଳିଗୋଳା ବର୍ଷା ଚଳାଇଥିବାରୁ ସ୍ଥିତି ଗମ୍ଭୀର ରହିଛି। ଘର ଛାଡ଼ି ନିରାପଦ ସ୍ଥାନକୁ ପଳାଇଥିବା ଲୋକେ ଘରକୁ ଫେରିପାରୁନାହାନ୍ତି। ବିଗତ ୪ ଦିନ ମଧ୍ୟରେ ଗୁଳିଗୋଳା ମାଡ଼ରେ ଶତାଧିକ ଘର କ୍ଷତିଗ୍ରସ୍ତ ହୋଇଥିବା ବେଳେ ଉତ୍ତେଜନା ବଢ଼ିବାରେ ଲାଗିଛି। ଉଭୟ ପକ୍ଷ ଭାରୀ ଯୁଦ୍ଧାସ୍ତ୍ରରେ ଆକ୍ରମଣ ଜାରି ରଖିଛନ୍ତି।
photo credit- times nowନୌସେରା ସେକ୍ଟରରେ ଫରଓ୍ଵାର୍ଡ ପୋଷ୍ଟ୍ ଏବଂ ସୀମାନ୍ତ ଗ୍ରାମଗୁଡ଼ିକୁ ଟାର୍ଗେଟ୍ କରି ପାକ୍ ରେଞ୍ଜର୍ସମାନେ ପ୍ରବଳ ଗୁଳିଗୋଳା ମାଡ଼ ଜାରି ରଖିଛନ୍ତି। ସୀମାପାର ଆତଙ୍କବାଦକୁ ରୋକିବା ପାଇଁ ଭାରତର କଡ଼ା କାର୍ଯ୍ୟାନୁଷ୍ଠାନରେ ହତୋତ୍ସାହିତ ପାକିସ୍ତାନ ଏବେ ସୀମାନ୍ତ ଗ୍ରାମଗୁଡ଼ିକରେ ଆତଙ୍କ ସୃଷ୍ଟି କରିଛି। ସୀମାବର୍ତ୍ତୀ ବିଭିନ୍ନ ଗ୍ରାମରୁ ପ୍ରାୟ ୪୦ ହଜାର ବାସିନ୍ଦା ଘର ଛାଡ଼ି ସୁରକ୍ଷିତ ସ୍ଥାନରେ ଆଶ୍ରୟ ନେଇଛନ୍ତି। ୨୨ଟି ଗ୍ରାମ ଜନଶୂନ୍ୟ ହୋଇଯାଇଥିବା ବେଳେ ସାମ୍ବା ଓ ଆର୍ପୁରା ସେକ୍ଟରରେ ୧୫ ହଜାର ଲୋକ ଗାଁ ଛାଡ଼ି ଅନ୍ୟତ୍ର ଆଶ୍ରୟ ନେଇଛନ୍ତି। ଏହି ଅଂଚଳରେ ସମସ୍ତ ବିଦ୍ୟାଳୟ, ବାଣିଜ୍ୟିକ ପ୍ରତିଷ୍ଠାନ ଏବଂ କୃଷିକାର୍ଯ୍ୟ ଠପ୍ ହୋଇଯାଇଛି।
Follow Us