95 killed in Israeli attack on Gaza, body of Thai hostage found Photograph: (sambad.in)
ଜେରୁଜେଲମ୍: ଇସ୍ରାଏଲ କହିଛି ଯେ,ଗାଜା ଷ୍ଟ୍ରିପରେ ହମାସ ଆକ୍ରମଣ ସମୟରେ ବନ୍ଧକ ରଖାଯାଇଥିବା ଜଣେ ଥାଇଲ୍ୟାଣ୍ଡ ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର କରାଯାଇଛି। ଇସ୍ରାଏଲୀ ସେନା ଗାଜା ଉପରେ ଆକ୍ରମଣ ଜାରି ରଖିଛି। ଗାଜା ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଅନୁଯାୟୀ, ଗତ ୨୪ ଘଣ୍ଟା ମଧ୍ୟରେ ଏହି ଆକ୍ରମଣରେ ୯୫ ଜଣଙ୍କର ମୃତ୍ୟୁ ହୋଇଛି। ଥାଇଲ୍ୟାଣ୍ଡ ନାଗରିକ ନାଟାପଙ୍ଗ ପିଣ୍ଟା କୃଷି କାମ କରିବାକୁ ଇସ୍ରାଏଲ ଆସିଥିଲେ। ଇସ୍ରାଏଲୀ ସରକାର କହିଛନ୍ତି, ତାଙ୍କୁ କିବୁଟଜ୍ ନିର ଓଜ୍ରୁ ବନ୍ଦୀ କରାଯାଇଥିଲା ଏବଂ ୭ ଅକ୍ଟୋବର ୨୦୨୩ରେ ଆରମ୍ଭ ହୋଇଥିବା ଯୁଦ୍ଧର ସମୟରେ ତାଙ୍କୁ ହତ୍ୟା କରାଯାଇଥିଲା।
ଥାଇଲ୍ୟାଣ୍ଡର ବୈଦେଶିକ ମନ୍ତ୍ରଣାଳୟ କହିଛି, ଅନ୍ୟ ଦୁଇ ଜଣ ନାଗରିକଙ୍କ ମୃତଦେହ ଏପର୍ଯ୍ୟନ୍ତ ଉଦ୍ଧାର କରାଯାଇ ନାହିଁ। ବନ୍ଦୀ କରାଯାଇଥିବା ବିଦେଶୀଙ୍କ ମଧ୍ୟରେ ଥାଇଲ୍ୟାଣ୍ଡ ନାଗରିକମାନଙ୍କ ଏକ ବଡ଼ ଦଳ ଥିଲେ। ଅନେକ ଥାଇଲ୍ୟାଣ୍ଡ ନାଗରିକ ଦକ୍ଷିଣ ଇସ୍ରାଏଲର କିବୁଟଜିମ୍ ଏବଂ ସହରଗୁଡ଼ିକର ଉପକଣ୍ଠରେ ରହୁଥିଲେ। ସେହି ସବୁ ଅଞ୍ଚଳ ଆକ୍ରମଣର ଶିକାର ହୋଇଥିବା ପ୍ରଥମ ସ୍ଥାନମାନଙ୍କ ମଧ୍ୟରେ ଥିଲା। ବୈଦେଶିକ ମନ୍ତ୍ରଣାଳୟ ଅନୁଯାୟୀ, ଯୁଦ୍ଧ ସମୟରେ ୪୬ ଜଣ ଥାଇଲ୍ୟାଣ୍ଡ ନାଗରିକଙ୍କ ମୃତ୍ୟୁ ହୋଇଛି।
ଇସ୍ରାଏଲର ପ୍ରତିରକ୍ଷା ମନ୍ତ୍ରୀ କହିଛନ୍ତି ଯେ, ପିଣ୍ଟାଙ୍କ ମୃତଦେହ ଦକ୍ଷିଣ ଗାଜର ରାଫା ଅଞ୍ଚଳରୁ ଉଦ୍ଧାର କରାଯାଇଛି। ସେନା କହିଛି, ତାଙ୍କୁ ମୁଜାହିଦ୍ଦିନ୍ ବ୍ରିଗେଡ୍ ଦ୍ୱାରା ବନ୍ଦୀ କରାଯାଇଥିଲା। ଏକ ଛୋଟ ସଶସ୍ତ୍ର ଗୋଷ୍ଠୀ ଦୁଇ ଇସ୍ରାଏଲୀ-ଆମେରିକୀୟଙ୍କୁ ବନ୍ଧକ ରଖିବା ସହିତ ଯିହୁଦା ୱେଇନଷ୍ଟାଇନ୍ ଏବଂ ଗାଡ୍ ହାଗାଇଙ୍କୁ ମଧ୍ୟ ବନ୍ଧକ ରଖିଥିଲେ।
ଇସ୍ରାଏଲୀ ସେନା ପରେ କହିଛି ଯେ, ସେମାନେ ଗାଜା ସହରରେ ମୁଜାହିଦ୍ଦିନ୍ ବ୍ରିଗେଡ୍ର ମୁଖ୍ୟ ଅସ'ଦ ଆବି ସାରିଆଙ୍କୁ ହତ୍ୟା କରିଛନ୍ତି। ଗାଜାରେ ଏବେ ବି ୫୫ ବନ୍ଧକ ଅଛନ୍ତି। ଇସ୍ରାଏଲ କହିଛି, ସେମାନଙ୍କ ମଧ୍ୟରୁ ଅଧାରୁ ଅଧିକ ମୃତ। ଶନିବାର ସନ୍ଧ୍ୟାରେ, ଇସ୍ରାଏଲର ବନ୍ଧକ ପରିବାର ପୁଣି ଏକତ୍ରିତ ହୋଇ ସମସ୍ତଙ୍କୁ ଘରକୁ ଫେରାଇ ଆଣିବା ପାଇଁ ତଥା ଯୁଦ୍ଧବିରତି ଚୁକ୍ତି ଦାବି କରିଥିଲେ।
ହମାସ ଆଉ ଜଣେ ବନ୍ଧକ ମାତାନ ଜାଙ୍ଗୌକରଙ୍କ ବିଷୟରେ ଏକ ଚେତାବନୀ ଜାରି କରି କହିଛି, ଇସ୍ରାଏଲୀ ସେନା ତାଙ୍କୁ ବନ୍ଦୀ ଥିବା ଅଞ୍ଚଳକୁ ଘେରି ରହିଛନ୍ତି ଏବଂ ଉଦ୍ଧାର ପ୍ରୟାସ ସମୟରେ ତାଙ୍କର ଯେକୌଣସି କ୍ଷତି ପାଇଁ ଇସ୍ରାଏଲ ଦାୟୀ ରହିବ। ତେବେ ଏନେଇ ଇସ୍ରାଏଲୀ ସେନା କୌଣସି ମନ୍ତବ୍ୟ ଦେଇନାହିଁ।
ମାତାନଙ୍କ ଜୀବନ ଏବଂ ସମସ୍ତ ବନ୍ଧକଙ୍କ ଜୀବନର ମୂଲ୍ୟ ଦେଇ ସ୍ଥଳଯୁଦ୍ଧକୁ ବଢ଼ାଇବା କରିବାର ନିଷ୍ପତ୍ତି ନିଆଯାଇଛି। ଜାଙ୍ଗାଉକରଙ୍କ ମାଆ ଐନାଭ ତେଲ ଅଭିଭରେ ଏକ ରାଲିରେ କହିଛନ୍ତି। ଇସ୍ରାଏଲ ନିଜର ସାମରିକ ଆକ୍ରମଣ ଜାରି ରଖିଛି। ଶିଫା ଏବଂ ଅଲ-ଆହଲି ହସ୍ପିଟାଲ ଅନୁଯାୟୀ ଗାଜା ସହରରେ ହୋଇଥିବା ଆକ୍ରମଣରେ ଦୁଇ ଜଣ ପିଲାଙ୍କ ସମେତ ଗୋଟିଏ ପରିବାରର ଛଅ ଜଣ ସଦସ୍ୟଙ୍କ ମୃତ୍ୟୁ ଘଟିଛି। ଇସ୍ରାଏଲୀ ସେନା କହିଛି, ଆକ୍ରମଣରେ ମୁଜାହିଦ୍ଦିନ୍ ବ୍ରିଗେଡର ନେତାଙ୍କୁ ଟାର୍ଗେଟ କରାଯାଇଥିଲା।
ମୁୱାସି ଅଞ୍ଚଳରେ ଇସ୍ରାଏଲର ଚାରୋଟି ଆକ୍ରମଣ
ରାଫା ଏବଂ ଖାନ ୟୁନିସ ମଧ୍ୟରେ ଦକ୍ଷିଣ ଗାଜାର ମୁୱାସି ଅଞ୍ଚଳରେ ଇସ୍ରାଏଲର ଚାରୋଟି ଆକ୍ରମଣ ହୋଇଥିଲା। ଉତ୍ତର ଗାଜାରେ, ଏକ ଆପାର୍ଟମେଣ୍ଟ ଆକ୍ରମଣ ହୋଇଥିଲା, ଯେଉଁଥିରେ ଜଣେ ମା’ ଏବଂ ପାଞ୍ଚ ପିଲାଙ୍କ ସମେତ ସାତ ଜଣ ଲୋକ ପ୍ରାଣ ହରାଇଥିଲେ।
ଇସ୍ରାଏଲ କହିଛି, ଆମେ ହମାସର ବର୍ବର ଆକ୍ରମଣର ଜବାବ ଦେଉଛୁ। ସାଧାରଣ ନାଗରିକଙ୍କ କ୍ଷତିକୁ କମ କରିବା ପାଇଁ ଆମେ ସମସ୍ତ ସମ୍ଭାବ୍ୟ ସତର୍କତା ଅବଲମ୍ବନ କରୁଛୁ।
ସମ୍ପ୍ରତି ଇସ୍ରାଏଲୀ ଅବରୋଧ ପରେ ଗାଜାର ୨୦ ଲକ୍ଷରୁ ଅଧିକ ଜନସଂଖ୍ୟା ସାହାଯ୍ୟ ଉପରେ ନିର୍ଭରଶୀଳ। ବିଶେଷଜ୍ଞମାନେ ଦୁର୍ଭିକ୍ଷ ବିଷୟରେ ଚେତାବନୀ ଦେଇଛନ୍ତି। ଇସ୍ରାଏଲୀ ସେନା ସତର୍କ କରାଇ ଦେଇଛି ଯେ, ସାହାଯ୍ୟ ବଣ୍ଟନ ଅଞ୍ଚଳ ରାତିରେ ଏକ ସକ୍ରିୟ ଯୁଦ୍ଧ କ୍ଷେତ୍ର ପାଲଟିଛି। ଅନେକ ସନ୍ଦିଗ୍ଧ ବ୍ୟକ୍ତି ରାତିସାରା ତେଲ୍ ଅଲ୍-ସୁଲତାନ୍ ଅଞ୍ଚଳରେ କାର୍ଯ୍ୟରତ ସୈନ୍ୟଙ୍କ ନିକଟକୁ ଯିବାକୁ ଚେଷ୍ଟା କରୁଛନ୍ତି। ଯାହା ଏକ ବିପଦ ସୃଷ୍ଟି କରିଛି।
ସେନା ଅଧିକାରୀ କହିଛନ୍ତି, ବଣ୍ଟନ ସ୍ଥଳରୁ ପ୍ରାୟ ଏକ କିଲୋମିଟର ଦୂରରେ ସନ୍ଦିଗ୍ଧଙ୍କ ଉପରେ ଗୁଳି ଚାଳନା କରାଯାଇଥିଲା। ଗତ ଦୁଇ ସପ୍ତାହ ଧରି, ନୂତନ କେନ୍ଦ୍ରଗୁଡ଼ିକ ନିକଟରେ ବାରମ୍ବାର ଗୁଳିଚାଳନା ହୋଇଛି, ଯେଉଁଠାରେ ହଜାର ହଜାର ହତାଶ ପାଲେଷ୍ଟାଇନୀଙ୍କୁ ଖାଦ୍ୟ ସଂଗ୍ରହ କରିବାକୁ ନିର୍ଦ୍ଦେଶ ଦିଆଯାଇଛି।
ପ୍ରତ୍ୟକ୍ଷଦର୍ଶୀମାନେ କହିଛନ୍ତି ଯେ, ଇସ୍ରାଏଲୀ ସୈନ୍ୟମାନେ ନିକଟରୁ ଗୁଳି ଚଳାଇଥିଲେ ଏବଂ ଗାଜା ହସ୍ପିଟାଲ ଅଧିକାରୀମାନେ କହିଛନ୍ତି ଯେ, ଏହି ଘଟଣାରେ ୮୦ରୁ ଅଧିକ ଲୋକ ପ୍ରାଣ ହରାଇଥିଲେ। ଇସ୍ରାଏଲୀ ସୈନ୍ୟବାହିନୀ କହିଛି, ଆମେ କିଛି ସନ୍ଦିଗ୍ଧଙ୍କ ଉପରେ ଗୁଳି ଚଳାଇଛୁ।
ଇସ୍ରାଏଲ୍ ଜାତିସଂଘ ନେତୃତ୍ୱାଧୀନ ବ୍ୟବସ୍ଥା ଅଧୀନରେ ହମାସ ସାହାଯ୍ୟ ଲୁଟୁଥିବା ଅଭିଯୋଗ କରିଛି। ଜାତିସଂଘ ଏବଂ ସହାୟତା ଗୋଷ୍ଠୀଗୁଡ଼ିକ ଏହି କଥାକୁ ଅସ୍ୱୀକାର କରିଛନ୍ତି ଯେ, ସହାୟତାର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ ଆତଙ୍କବାଦୀଙ୍କ ପାଖକୁ ଯାଉଛି। ଜାତିସଂଘ କହିଛି, ସ୍ରାଏଲୀ ସାମରିକ ଗତିବିଧି ପ୍ରତିବନ୍ଧକ ଏବଂ ଅସୁରକ୍ଷିତତା ଯୋଗୁ ଏହା ନିଜ ବ୍ୟବସ୍ଥା ଅଧୀନରେ ଅଧିକ ସହାୟତା ବଣ୍ଟନ କରିପାରି ନାହିଁ।
israel | israel hamas war
Follow Us