Vanguard News
ୱାସିଂଟନ: ୧୯୭୭ରୁ ୧୯୮୧ ପର୍ଯ୍ୟନ୍ତ ଆମେରିକାର ରାଷ୍ଟ୍ରପତି ଥିବା ଜିମି କାର୍ଟରଙ୍କୁ ବର୍ତ୍ତମାନ ୯୮ ବର୍ଷ ବୟସ। ବାର୍ଦ୍ଧକ୍ୟଜନିତ ରୋଗରେ ପୀଡ଼ିତ ଥିବା ଯୋଗୁ କାର୍ଟରଙ୍କୁ ବର୍ତ୍ତମାନ ଘରେ ହସ୍ପିସ୍ କେୟାର୍ରେ ରଖାଯାଇଛି। ଅର୍ଥାତ୍ ସେ ଘରେ ରହିବେ କିନ୍ତୁ ହସ୍ପିଟାଲର ସମସ୍ତ ଚିକିତ୍ସା ସେବା ତାଙ୍କୁ ମିଳିବ। ଜୀବନର ଅବଶିଷ୍ଟ ସମୟ ପାଇଁ ସେ ଏହି ସେବା ପାଇବେ ବୋଲି ତାଙ୍କ ଦ୍ବାରା ପ୍ରତିଷ୍ଠିତ ଏନ୍ଜିଓ ପକ୍ଷରୁ କୁହାଯାଇଛି। ଅଦ୍ୟାବଧି ଜୀବିତ ଥିବା ଆମେରିକାର ପୂର୍ବତନ ରାଷ୍ଟ୍ରପତି ଓ ନୋବେଲ ଶାନ୍ତି ବିଜେତାଙ୍କ ମଧ୍ୟରେ କାର୍ଟର ହେଉଛନ୍ତି ସବୁଠାରୁ ବୟୋବୃଦ୍ଧ। ସେ ଏବେ ତାଙ୍କ ପତ୍ନୀ ରୋଜାଲିନଙ୍କ ସହ ପ୍ଲେନ୍ସ, ଜର୍ଜିଆରେ ବାସ କରୁଛନ୍ତି। ଏହା ଏକ ଛୋଟ ଗାଁ (ହାମଲେଟ) ଯେଉଁଠି ସେ ଜନ୍ମ ହୋଇଥିଲେ।
ପ୍ରଥମେ ରାଜ୍ୟପାଳ ହେବା ଓ ପରେ ଡେମୋକ୍ରାଟ ଦଳ ପକ୍ଷରୁ ରାଷ୍ଟ୍ରପତି ନିର୍ବାଚନ ଲଢ଼ି ରାଷ୍ଟ୍ରପତି ହେବା ପୂର୍ବରୁ ଏହି ଗାଁରେ ସେ ଜଣେ ଚିନାବାଦାମ ଚାଷୀ ଭାବରେ କାର୍ଯ୍ୟ କରୁଥିଲେ। ମଝିରେ ମଝିରେ କିଛିକିଛି ଦିନ ହସ୍ପିଟାଲରେ ରହିବା ପରେ କାର୍ଟର ନିଷ୍ପତ୍ତି ନେଲେ ଯେ ସେ ଆଉ ହସ୍ପିଟାଲ ଆସିବେ ନାହିଁ। ନିଜଘରେ ହସ୍ପିଟାଲ ପରି ସୁବିଧାସୁଯୋଗ ସୃଷ୍ଟି କରି ହସ୍ପିସ୍ କେୟାର୍ରେ ରହିବେ। ଏହାଠାରୁ ଅଧିକ ବିଶେଷ ଚିକିତ୍ସାର ଆବଶ୍ୟକତା ପଡ଼ିଲେ ବି ମୃତ୍ୟୁ ପର୍ଯ୍ୟନ୍ତ ସେ ଆଉ ହସ୍ପିଟାଲ ଆସିବେ ନାହିଁ ବୋଲି ନିଷ୍ପତ୍ତି ନେଇଛନ୍ତି।
Follow Us