Image Courtesy of India Today
ରାଞ୍ଚି: ଝାଡ଼ଖଣ୍ଡର ବୋକାରୋ ଅଞ୍ଚଳରେ ଜଣେ ନବମ ଶ୍ରେଣୀ ଛାତ୍ରୀକୁ ଅପହରଣ କରିନେଇ ଗୋଟିଏ ଘରେ ତାଲା ପକେଇ ରଖି ତିନିମାସ ଧରି ଗଣଦୁଷ୍କର୍ମ କରାଯାଇଥିବା ଅଭିଯୋଗ ହୋଇଛି। ଯେତେବେଳେ ବାଳିକା ଜଣକ ପ୍ରତିରୋଧ କରିବାକୁ ଚେଷ୍ଟା କରୁଥିଲା, ତାକୁ ନିର୍ମମ ଭାବେ ମାଡ଼ ମରାଯାଉଥିଲା। ଜୁଲାଇ ୧୯ରେ ଝିଅଟି କୌଣସି ମତେ ଖସି ଆସି ନିଜ ଘରେ ପହଞ୍ଚିବା ପରେ ତା’ ବାପାମାଆଙ୍କ ଆଗରେ ସବୁକଥା କହିଥିଲା।
ଏହା ପୂର୍ବରୁ ଝିଅର ପରିବାର ଲୋକେ ଝିଅ ନିଖୋଜ ବୋଲି ଥାନାରେ ଏକ ଅଭିଯୋଗ ଦାଏର କରିଥିଲେ। ନାବାଳିକାଟି ପୁଲିସ ଆଗରେ ସବୁକଥା କହିବା ପରେ ପୁଲିସ ପୋକ୍ସୋ ଆଇନ ଅନୁଯାୟୀ ମାମଲା ରୁଜୁ କରିଛି। ଅଭିଯୁକ୍ତମାନେ ମନୋଜ କୁମାର, ବିଷ୍ଣୁ କୁମାର ଓ ମନତୋଷ କୁମାର ବୋଲି ଚିହ୍ନଟ ହୋଇଛନ୍ତି। ଏପ୍ରିଲ ୨୦ ତାରିଖରେ ଝିଅଟି ବଜାରରୁ ଫେରୁଥିବା ବେଳେ ତାକୁ ଅପହରଣ କରାଯାଇଥିଲା। ଅଟୋ ଚଲାଉଥିବା ମନତୋଷ ଅନ୍ୟ ଦୁଇଜଣଙ୍କ ସହାୟତାରେ ଝିଅକୁ ଅପହରଣ କରିନେଇ ଏକ ନିକାଞ୍ଚନ ସ୍ଥାନରେ ଥିବା ଘରେ ତାଲା ପକାଇ ରଖିଥିଲା। ଜୁଲାଇ ୧୯ ତାରିଖରେ ସେହି ବାଟ ଦେଇ ଯାଉଥିବା ଜଣେ ସ୍ତ୍ରୀଲୋକ ଝିଅଟି ଏପରି ଅବସ୍ଥାରେ ଥିବା ଜାଣିବା ପରେ ଏକ ପଥରରେ ତାଲାଭାଙ୍ଗି ତାକୁ ଉଦ୍ଧାର କରିଥିଲେ। ତା’ପରେ ଝିଅଟି ଦୌଡ଼ିଦୌଡ଼ି ନିଜ ଘରକୁ ଯାଇ ସବୁକଥା କହିଥିଲା। ଅଭିଯୁକ୍ତମାନେ ବର୍ତ୍ତମାନ ଫେରାର ଅଛନ୍ତି ଏବଂ ପୁଲିସ ସେମାନଙ୍କୁ ଧରିବା ପାଇଁ ପ୍ରୟାସ କରୁଛି।
Follow Us