Image Courtesy of India Today
କୋଲକାତା: କୋଲକାତାରେ ଜଣେ ୩୧ ବର୍ଷୀୟା ଡାକ୍ତରଙ୍କ ହତ୍ୟା ଓ ଦୁଷ୍କର୍ମ ମାମଲା ନେଇ ଦେଶବ୍ୟାପୀ ଆଲୋନଡ଼ ସୃଷ୍ଟି ହୋଇଥିବା ବେଳେ ଆଜି ଏହି ମାମଲାର ତଦନ୍ତ ସିବିଆଇକୁ ହସ୍ତାନ୍ତର କରିଛନ୍ତି କୋଲକାତା ହାଇକୋର୍ଟ। ତଦନ୍ତରେ ଗୁରୁତର ତ୍ରୁଟି ଥିବା ଦର୍ଶାଇ ହାଇକୋର୍ଟ କହିଛନ୍ତି ଯେ ୫ ଦିନ ପରେ ମଧ୍ୟ ତଦନ୍ତରେ ବିଶେଷ ଅଗ୍ରଗତି ହୋଇନାହିଁ ଏବଂ ଏଭଳି ଧାରା ଜାରି ରହିଲେ ପୀଡ଼ିତ ପରିବାରକୁ ନ୍ୟାୟ ଦେବାରେ ସମସ୍ୟା ଉପୁଜିବ। ପ୍ରଧାନ ବିଚାରପତି ଟିଏସ୍ ଶିବଜ୍ଞାନମଙ୍କ ଅଧ୍ୟକ୍ଷତାରେ ଗଠିତ ଖଣ୍ଡପୀଠ ଏହି ମାମଲାରେ ଅଦାଲତ ତତ୍ତ୍ୱାବଧାନରେ ତଦନ୍ତ ପାଇଁ ଟ୍ରେନି ଡାକ୍ତରଙ୍କ ପିତାମାତାଙ୍କ ଆବେଦନର ଶୁଣାଣି କରିଥିଲେ। ଏ ବାବଦରେ ଅନ୍ୟ କେତେକ ପିଟିସନ୍ ମଧ୍ୟ ଦାଖଲ କରାଯାଇଥିଲା ଯେଉଁଥିରେ ଦୁଷ୍କର୍ମ ଓ ହତ୍ୟା ମାମଲାର ସିବିଆଇ ତଦନ୍ତ ଦାବି କରାଯାଇଥିଲା। ଆଜି ଶୁଣାଣି କରି ହାଇକୋର୍ଟ କହିଛନ୍ତି ଯେ ସଂପ୍ରତି ତଦନ୍ତ ଯେଉଁଭଳି ଚାଲିଛି, ସେହି ଧାରା ଜାରି ରଖିବାକୁ ଯଦି ଅନୁମତି ଦିଆଯାଏ ତା’ହେଲେ ତଦନ୍ତ ବାଧାପ୍ରାପ୍ତ ହେବ ବୋଲି ପୀଡ଼ିତାଙ୍କ ପିତାମାତା ଆଶଙ୍କା କରିଛନ୍ତି। ତେଣୁ ମାମଲାର ଗମ୍ଭୀରତାକୁ ଦେଖି ଏହାର ସିବିଆଇ ତଦନ୍ତ ପାଇଁ ନିର୍ଦ୍ଦେଶ ଦିଆଯାଉଛି।
ହାଇକୋର୍ଟ କହିଛନ୍ତି, ଏହା କୌଣସି ସାଧାରଣ ଅପରାଧ ଘଟଣା ନୁହେଁ ଏବଂ ତ୍ବରିତ ତଦନ୍ତ ନହେଲେ ପ୍ରମାଣ ନଷ୍ଟ ହେବ ବୋଲି ପୀଡ଼ିତାଙ୍କ ପିତାମାତାଙ୍କ ପ୍ରାର୍ଥନାକୁ ଗ୍ରହଣ କରିବା ଯୁକ୍ତିଯୁକ୍ତ। ସୂଚନାଯୋଗ୍ୟ, ଅଗଷ୍ଟ ୯ ତାରିଖ ସକାଳେ କୋଲକାତାର ଆର୍ଜି କର ହସ୍ପିଟାଲର ଏକ ସେମିନାର ହଲରୁ ଜଣେ ସ୍ନାତକୋତ୍ତର ଡାକ୍ତରୀ ଛାତ୍ରୀଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା। ଏହି ଘଟଣାରେ ପରଦିନ ସଞ୍ଜୟ ରାୟ ନାମକ ଜଣେ ପୁଲିସ ସ୍ୱେଚ୍ଛାସେବୀକୁ ଗିରଫ କରାଯାଇଥିଲା। ଅଭିଯୁକ୍ତ ପୁଲିସ ଆଗରେ ନିଜର ଅପରାଧ ସ୍ୱୀକାର କରିଛି। ପୀଡ଼ିତାଙ୍କ ୪ ପୃଷ୍ଠାର ଶବ ବ୍ୟବଚ୍ଛେଦ ରିପୋର୍ଟରୁ ଜଣାପଡିଛି ଯେ ତାଙ୍କ ଗୁପ୍ତାଙ୍ଗରୁ ରକ୍ତ ସ୍ରାବ ହେଉଥିଲା ଏବଂ ତାଙ୍କ ଶରୀରର ଅନ୍ୟ ସ୍ଥାନରେ କ୍ଷତ ଚିହ୍ନ ରହିଥିଲା। ଆର୍ଜି କର ମେଡିକାଲ କଲେଜ ଓ ହସ୍ପିଟାଲର ପ୍ରିନ୍ସିପାଲ ଏ ଦିଗରେ ତତ୍ପରତାର ସହ କାର୍ଯ୍ୟ କରିନଥିବାରୁ ହାଇକୋର୍ଟ ତାଙ୍କୁ ଭର୍ତ୍ସନା କରିଛନ୍ତି। ଅନ୍ୟପକ୍ଷରେ ସେ ଇସ୍ତଫା ଦେବା ପ୍ରସଙ୍ଗରେ ମଧ୍ୟ କର୍ତ୍ତୃପକ୍ଷଙ୍କ ଭୂମିକା ବୁଝିବା କଷ୍ଟକର ବୋଲି ହାଇକୋର୍ଟ କହିଛନ୍ତି।
ଟ୍ରେନି ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ଘଟଣାରେ ତୀବ୍ର ସମାଲୋଚନା ସମ୍ମୁଖୀନ ହୋଇଥିବା ସନ୍ଦୀପ ଘୋଷ ସୋମବାର ଆର୍ଜି କର ମେଡିକାଲ କଲେଜ ଓ ହସ୍ପିଟାଲର ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଇଥିଲେ। ତେବେ ଏହାର କିଛି ସମୟ ପରେ ତାଙ୍କୁ ଅନ୍ୟ ଏକ କଲେଜର ପ୍ରିନ୍ସିପାଲ ନିଯୁକ୍ତ କରାଯାଇଥିଲା। ଏହା ଉପରେ କୋର୍ଟ କହିଛନ୍ତି, ତାଙ୍କୁ ଅନ୍ୟ ଏକ ସରକାରୀ କଲେଜର ପ୍ରିନ୍ସିପାଲ କରାଯାଇଛି ଏବଂ ଏଭଳି ନିଯୁକ୍ତି ତତ୍ପରତା ଦେଖାଇବା କ’ଣ ଆବଶ୍ୟକ ଥିଲା ତାହା ବୁଝାପଡ଼ୁନାହିଁ। ସିସିଟିଭି ଫୁଟେଜ୍ ଏବଂ ଏପର୍ଯ୍ୟନ୍ତ ରେକର୍ଡ ହୋଇଥିବା ସମସ୍ତ ବୟାନ ସମେତ କେସ୍ ଡାଏରି ସିବିଆଇକୁ ହସ୍ତାନ୍ତର କରିବାକୁ ହାଇକୋର୍ଟ ପୁଲିସକୁ ନିର୍ଦ୍ଦେଶ ଦେଇଛନ୍ତି। ଏହି ମାମଲାର ପରବର୍ତ୍ତୀ ଶୁଣାଣି ତିନି ସପ୍ତାହ ପରେ ହେବ।
Follow Us