ବେଙ୍ଗାଲୁରୁ: କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ବିରୋଧରେ ବେଙ୍ଗାଲୁରୁର ଏକ ଅଦାଲତ ଇଲେକ୍ଟୋରାଲ ବଣ୍ଡ୍ ଜରିଆରେ ଟଙ୍କା ଆଦାୟ ଅଭିଯୋଗରେ ମାମଲା ରୁଜୁ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ନିର୍ମଳା ସୀତାରମଣ ଓ ଅନ୍ୟମାନଙ୍କ ବିରୋଧରେ ଜନାଧିକାର ସଂଘର୍ଷ ସଂଗଠନର ଆଦର୍ଶ ଆୟାର ନାମକ ଜଣେ ବ୍ୟକ୍ତି ଅଭିଯୋଗ କରିଥିଲେ ଯେ ରଦ୍ଦ ହୋଇଥିବା ଇଲେକ୍ଟୋରାଲ ବଣ୍ଡ୍ ମାଧ୍ୟମରେ ଦାଦାବଟି ଆଦାୟ କରାଯାଇଛି।
ଏହାପରେ ବେଙ୍ଗାଲୁରୁର ଜନପ୍ରତିନିଧିଙ୍କ ସ୍ୱତନ୍ତ୍ର ଅଦାଲତ ଏହି ମାମଲାରେ ଏଫ୍ଆଇଆର୍ ରୁଜୁ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ନିର୍ମଳା ସୀତାରମଣ ଓ ଅନ୍ୟମାନଙ୍କ ବିରୋଧରେ ପୁଲିସ ଏତଲା ରୁଜୁ କରିଛି। ଫେବ୍ରୁଆରି ମାସରେ ସୁପ୍ରିମ୍କୋର୍ଟ ଇଲେକ୍ଟୋରାଲ ବଣ୍ଡ୍ ସ୍କିମ୍କୁ ଅସାମ୍ବିଧାନିକ ଓ ଏହା ନାଗରିକଙ୍କ ସୂଚନା ଅଧିକାରକୁ ଉଲ୍ଲଂଘନ କରୁଛି ବୋଲି କହିଥିଲେ। ୨୦୧୮ରେ କେନ୍ଦ୍ର ସରକାର ରାଜନୈତିକ ପାଣ୍ଠିରେ ସ୍ୱଚ୍ଛତା ଆଣିବା ପାଇଁ ଏହି ଯୋଜନା ଆରମ୍ଭ କରିଥିଲେ। କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ସିଦ୍ଦରମୈୟା ସୀତାରମଣଙ୍କ ଇସ୍ତଫା ଦାବି କରିବା ସହ ୩ ମାସ ମଧ୍ୟରେ ଏହି ମାମଲାର ରିପୋର୍ଟ ଦାଖଲ କରିବାକୁ କହିଛନ୍ତି।
ସିଦ୍ଦରମୈୟା କହିଛନ୍ତି, ମୋ ମାମଲା (ମୁଦା ଦୁର୍ନୀତି)ରେ ନିମ୍ନ ଅଦାଲତ ଏକ ଆଦେଶ ଦେଇଛନ୍ତି। ରାଜ୍ୟପାଳ ଧାରା ୧୭ଏ ଅନୁଯାୟୀ ତଦନ୍ତ କରିବାକୁ କହିଛନ୍ତି ଏବଂ ଅଦାଲତ ତଦନ୍ତ ଶେଷ କରି ତିନି ମାସ ମଧ୍ୟରେ ରିପୋର୍ଟ ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ସୀତାରମଣଙ୍କ କ୍ଷେତ୍ରରେ ବି ତାହା ହିଁ ହେବା ଉଚିତ। ସିଦ୍ଦରମୈୟା ମଧ୍ୟ ଜେଡିଏସ୍ ନେତା ତଥା କେନ୍ଦ୍ରମନ୍ତ୍ରୀ ଏଚ୍ଡି କୁମାରସ୍ୱାମୀଙ୍କ ବିରୋଧରେ ଦୁର୍ନୀତି ଅଭିଯୋଗ ଆଣି ତାଙ୍କର ଇସ୍ତଫା ଦାବି କରିଛନ୍ତି। ଏପରିକି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଧ୍ୟ ଇସ୍ତଫା ଦେବା ଉଚିତ ବୋଲି ସେ କହିଛନ୍ତି।
Follow Us