ମସ୍କୋ: ରୁଷରେ ଭୟଙ୍କର ଭୂକମ୍ପ ପରେ ଚାରିଆଡେ ଆତଙ୍କ ଖେଳିଯାଇଛି । ଶକ୍ତିଶାଳୀ ଭୂମିକମ୍ପରେ କ୍ଷୟକ୍ଷତି ପ୍ରବଳ ହୋଇଥିବା ବେଳେ ଭୂକମ୍ପ ପରର ସୁନାମୀ ଏବେ ରୁଷରେ ତାଣ୍ଡବ ରଚୁଛି । ବଡ଼ ବଡ଼ ବିଲ୍ଡିଂ ଭୂକମ୍ପ ବେଳେ ତ ଭୁଶୁଡ଼ି ପଡିଥିଲା ମାତ୍ର ସୁନାମୀ ମାଡରେ ବି ଘର ସବୁ ଭାସି ଯାଉଥିବା ଦେଖିବାକୁ ମିଳୁଛି । ତେବେ ଏହି ଭୟଙ୍କର ସ୍ଥିତି ଭିତରେ ସାମ୍ନାକୁ ଆସିଛି ଏକ ଭଲ ଖବର । ଯେଉଁଠି ଜଣେ ଡାକ୍ତର ନିଜ ଜୀବନକୁ ବାଜିରେ ଲଗାଇ ରୋଗୀର ଜୀବନ ବଞ୍ଚାଇଛନ୍ତି ।

Advertisment

ତେବେ ରୁଷର ସରକାରୀ ଟିଭି ଚାନେଲ ପକ୍ଷରୁ କରାଯାଇଥିବା ଏକ ଏକ୍ସ ପୋଷ୍ଟରେ ଡାକ୍ତରଙ୍କ ଏହି ଭିଡ଼ିଓ ଦେଖିବାକୁ ମିଳିଛି । ଯେଉଁଠି ଡାକ୍ତର ଜଣଙ୍କ ରୋଗୀଙ୍କ ଅପରେସନ କରୁଥିବା ବେଳେ ହଠାତ୍ ଭୂକମ୍ପର ଝଟକାରେ ହସ୍ପିଟାଲର ବିଲ୍ଡିଂ ଦୋହଲୁଛି । ମାତ୍ର ଡାକ୍ତର ଜଣଙ୍କ ଡରି ନଯାଇ ନିଜ କାମ ଜାରି ରଖିଛନ୍ତି । ପାଖରେ ଥିବା ଅନ୍ୟ ଜଣେ ଡାକ୍ତର ଭୂକମ୍ପ ହୋଇଥିବା ଜାଣି ରୋଗୀଙ୍କ ପାଖକୁ ଘୁଞ୍ଚିଯାଇ ତାଙ୍କୁ ସୁରକ୍ଷା ଦେଉଥିବା ଦେଖିବାକୁ ମିଳିଛି । 

ଗୋଟେ ପଟେ ଭୂକମ୍ପରେ ହସ୍ପିଟାଲ ଥରୁଥିଲେ ହେଁ ଅନ୍ୟପଟେ ଅପରେସନ ଜାରି ରଖିଥିଲେ ଡାକ୍ତର । ନିଜ ଜୀବନକୁ ବାଜିରେ ଲଗାଇ ସେ ରୋଗୀର ଜୀବନ ବଞ୍ଚାଇଛନ୍ତି । ଚାହିଁଥିଲେ ସେ ଭୂକମ୍ପ ବେଳେ ସେ ସ୍ଥାନ ଛାଡି ପଳାଇ ଯାଇପାରିଥାନ୍ତେ ମାତ୍ର ସେ ଭୂକମ୍ପ ସତ୍ବେ ଅପରେସନ ଜାରି ରଖିଥିଲେ । କାରଣ ସେ ଜାଣିଥିଲେ ଜଣେ ଡାକ୍ତର ପାଇଁ ତା ରୋଗୀ ବଡ଼, ରୋଗୀର ଜୀବନ ଆଗ । ତେଣୁ ନିଜ କଥା ଭୁଲି ରୋଗୀ ପାଇଁ ଲାଗିଥିଲେ । 

ତେବେ ଅପରେସନ ପରେ ଏବେ ରୋଗୀ ଜଣଙ୍କ ସୁସ୍ଥ ଥିବା ଜଣାପଡିଛି । ଆଉ ବିପଦ ବେଳେ ଡାକ୍ତରଙ୍କ ଏହି ମହାନତା ପାଇଁ ସାରା ରୁଷରେ ତାଙ୍କର ପ୍ରଶଂସା କରାଯାଉଛି । 

ଅଧିକ ପଢନ୍ତୁ-

ଅତୀତର ଆତଙ୍କିତ ଫର୍ଦ୍ଦ: ବିଶ୍ବର ୧୦ ଶକ୍ତିଶାଳୀ ଭୂକମ୍ପ, ଜାଣନ୍ତୁ କେଉଁଠି କେଉଁ ମସିହାରେ ଲାଗିଥିଲା ଝଟକା...