‌ପ୍ରଧାନମନ୍ତ୍ରୀଙ୍କୁ ‌ଚିଠି ଲେଖିଲେ ପ୍ରଥମ ଶ୍ରେଣୀ ଛାତ୍ରୀ: ମୋ ପେନସିଲ୍‌,ମାଗି ଦାମ୍‌ ବଢ଼ିଯାଇଛି

‌ପ୍ରଧାନମନ୍ତ୍ରୀଙ୍କୁ ‌ଚିଠି ଲେଖିଲେ ପ୍ରଥମ ଶ୍ରେଣୀ ଛାତ୍ରୀ: ମୋ ପେନସିଲ୍‌,ମାଗି ଦାମ୍‌ ବଢ଼ିଯାଇଛି

Business Today

ଲକ୍ଷ୍ନୌ: ଦେଶରେ ଦରଦାମ ସ୍ଥିତିକୁ ନେଇ ଚିନ୍ତା କେବଳ ବୟସ୍କ କିମ୍ବା ପରିବାର ଚଳାଉଥିବା ଲୋକମାନଙ୍କୁ ଘାରିନାହିଁ। ଜଣେ ୬ ବର୍ଷୀୟା ପ୍ରଥମ ଶ୍ରେଣୀ ଛାତ୍ରୀ କୃତୀ ଦୁବେ ମଧ୍ୟ ଦରବୃଦ୍ଧି କଷ୍ଟକୁ ହୃଦୟଙ୍ଗମ କରିଛନ୍ତି। ଏ ନେଇ ସେ ପ୍ରଧାନମନ୍ତ୍ରୀଙ୍କୁ ଏକ ଚିଠି ଲେଖିଛନ୍ତି। ଦରବୃଦ୍ଧି ପାଇଁ ସେ ମାଗି ନୁଡୁଲ୍ସ ପ୍ୟାକେଟ କିଣି ପାରିନାହାନ୍ତି। ତାଙ୍କ ପାଖରେ ମାତ୍ର ୫ ଟଙ୍କା ରହିଥିଲା ବେଳେ ଦୋକାନୀ ମାଗି ନୁଡୁଲ୍ସ ପ୍ୟାକଟେ୍ ପାଇଁ ୭ ଟଙ୍କା ତାଙ୍କୁ ମାଗିଥିଲା। କେବଳ ସେତିକି ନୁହେଁ ସେ ଯେତେବେଳେ ନୂଆ ପେନସିଲ୍ ମାଗନ୍ତି ତାଙ୍କ ବୋଉ ତାଙ୍କୁ ପିଟନ୍ତି।

ଉତ୍ତର ପ୍ରଦେଶର ଏହି ପ୍ରଥମ ଶ୍ରେଣୀ ଛାତ୍ରୀ ପ୍ରଧାନମନ୍ତ୍ରୀଙ୍କୁ ଦରଦାମ ବୃଦ୍ଧି ସଂପର୍କରେ ଲେଖିଥିବା ଚିଠିଟି ସାମାଜିକ ଗଣମାଧ୍ୟମରେ ବହୁଳ ମାତ୍ରାରେ ପ୍ରସାର ହୋଇଛି। କନୌଜ ଜିଲ୍ଲାର ବାସିନ୍ଦା କୃତୀ ଚିମ୍ବ୍ରାମାଉ ସ୍ଥିତ ସୁପ୍ରଭାସ ଏକାଡେମିରେ ପାଠ ପଢ଼ନ୍ତି। ସୋମବାର ସେ ତାଙ୍କ ଚିଠି ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ (ପିଏମ୍‌ଓ)କୁ ପଞ୍ଜୀକୃତ ଡାକ ଜରିଆରେ ପଠାଇଛନ୍ତି ବୋଲି ତାଙ୍କ ବାପା ତଥା ଆଇନଜୀବୀ ବିଶାଳ ଦୁବେ କହିଛନ୍ତି। କୃତୀ ‌ପ୍ରଧାନମନ୍ତ୍ରୀଙ୍କୁ ଲେଖିଛନ୍ତି ଆପଣ ଦରଦାମ ବହୁମାତ୍ରାରେ ବଢ଼ାଇ ଦେଇଛନ୍ତି। ଏପରିକି ମୋ ପେନସିଲ ଓ ରବର ଦାମ ମହଙ୍ଗା ହୋଇଯାଇଛି। ମାଗି ଦାମ ବି ବଢ଼ିଯାଇଛି। ମୁଁ ଯେତେବେଳେ ପେନସିଲ ମାଗିଥାଏ ମୋ ବୋଉ ମୋତେ ବାଡେଇଥାଏ। ମୁଁ କରିବି କ’ଣ ? ଅନ୍ୟ ଛାତ୍ରଛାତ୍ରୀମାନେ ମୋ ପେନସିଲ ଚୋରି କରି ନେଇ ଯାଉଛନ୍ତି। ପ୍ରଧାନମନ୍ତ୍ରୀଙ୍କୁ ସମ୍ବୋଧନ କରି କୀର୍ତ୍ତି ଏହି ଚିଠି ହିନ୍ଦୀ ଭାଷାରେ ଲେଖିଛନ୍ତି।

ମାଗି ନୁଡୁଲ୍ସ କିଣିବା ପାଇଁ କୀର୍ତ୍ତି ଦୋକାନକୁ ଯାଇଥିଲା। କିନ୍ତୁ ଦୋକାନୀ ଫେରାଇ ଦେବାରୁ ତାହା ତାଙ୍କୁ ବାଧିଥିଲା। ଯେତେବେଳେ ତାଙ୍କ ମାଆ ତାକୁ ପଣିକିଆ ଲେଖିବାକୁ କହିଲେ ସେ ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିବାକୁ ପସନ୍ଦ କଲେ ବୋଲି କହିଛନ୍ତି। ବାପା ବିଶାଳ ଦୁବେଙ୍କ କହିବାନୁଯାୟୀ, ଝିଅ ତା ବୋଉକୁ ବାରମ୍ବାର ପେନସିଲ ମାଗିବାରୁ ଗାଳି ଖାଇଥିଲା। ତେଣୁ ସେ ଚିଠି ଲେଖିବାକୁ ଚିନ୍ତା କରିଥିଲା। ଚିଠିଟି ପ୍ରଧାନମନ୍ତ୍ରୀଙ୍କ ନିକଟରେ ପହଞ୍ଚୁ ଏବଂ ସେ ତା କଥା ଶୁଣନ୍ତୁ। ତେଣୁ ‌ମୁଁ ‌ଏହି ଚିଠିକୁ ପିଏମଓକୁ ପଞ୍ଜୀକୃତ ଡାକ ଜରିଆରେ ପଠାଇଛି। କୃତୀଙ୍କ ବାପା ଗଣମାଧ୍ୟମକୁ ଏହା ମଧ୍ୟ କହିଛନ୍ତି, ଏହା ତାଙ୍କ ଝିଅର ମନ୍‌ କୀ ବାତ୍‌। ଲୋକସଭାରେ ଏନସିପି ସାଂସଦ ସୁପ୍ରିୟା ସୁଲେ ମଧ୍ୟ ଏହି ଛାତ୍ରୀଙ୍କ ଚିଠିର ଉଦାହରଣ ଦରଦାମ ଆଲୋଚନା ବେଳେ ରଖିଛନ୍ତି। ତେବେ କେବଳ କୃତୀ ନୁହେଁ, ଅତୀତରେ ଅନଲାଇନରେ ପାଠପଢ଼ାର ଅସୁବିଧା ସଂପର୍କରେ ଜମ୍ମୁ କାଶ୍ମୀରର ଜଣେ ୬ ବର୍ଷୀୟା ଛାତ୍ରୀ ପ୍ରଧାନମନ୍ତ୍ରୀଙ୍କୁ ଜଣାଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe