Zee News
ବର୍ଲିନ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏକ ଦ୍ବିଦିବସୀୟ ଗସ୍ତରେ ଜର୍ମାନୀ ଯାଇ ମ୍ୟୁନିକରେ ପହଞ୍ଚିଛନ୍ତି। ଏହି ଅବସରରେ ସେ ଜି-୭ ଶିଖର ସମ୍ମିଳନୀରେ ଭାଗ ନେବେ ଏବଂ ସହଯୋଗୀ ଦେଶଗୁଡ଼ିକର ନେତାମାନଙ୍କ ସହ ଶକ୍ତି, ଖାଦ୍ୟ ସୁରକ୍ଷା, ଆତଙ୍କବାଦ ସହ ମୁକାବିଲା, ପରିବେଶ ଓ ଗଣତନ୍ତ୍ର ପରି ପ୍ରସଙ୍ଗ ଉପରେ ଆଲୋଚନା କରିବେ। ଜର୍ମାନୀରେ ପ୍ରବାସୀ ଭାରତୀୟମାନଙ୍କ ଦ୍ବାରା ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଜୋରଦାର ସ୍ବାଗତ କରାଯାଇଥିଲା। ମ୍ୟୁନିକରେ ଭାରତୀୟମାନେ ହାତରେ ତ୍ରିରଙ୍ଗା ସହ ମୋଦୀଙ୍କୁ ଭବ୍ୟ ସ୍ବାଗତ କରିଥିଲେ ଏବଂ ‘ହର ହର ମୋଦୀ’ ଧ୍ବନି ଦେଇଥିଲେ। ପ୍ରଧାନମନ୍ତ୍ରୀ ମୋଦୀ ସେମାନଙ୍କ ଅଭିବାଦନକୁ ସ୍ବୀକାର କରିଥିଲେ। ବିଦେଶ ମାଟିରେ ନିଜ ପ୍ରଧାନମନ୍ତ୍ରୀଙ୍କୁ ପାଇ ପ୍ରବାସୀ ଭାରତୀୟମାନଙ୍କ ଖୁସିର ସୀମା ନ ଥିଲା। ଅନେକ ଭାରତୀୟ ମୋଦୀଙ୍କ ସହ ସେଲ୍ଫି ନେବା ସହ ‘ଭାରତମାତା କୀ ଜୟ’ ଧ୍ବନି ବି ଦେଇଥିଲେ।
ପ୍ରବାସୀ ଭାରତୀୟଙ୍କୁ ମୋଦୀଙ୍କ ଉଦ୍ବୋଧନ, ଗଣତନ୍ତ୍ରକୁ ନେଇ ଭାରତୀୟ ଗର୍ବିତ
ନୂଆଦିଲ୍ଲୀ: ଜି-୭ ବୈଠକ ପାଇଁ ଜର୍ମାନୀ ଗସ୍ତରେ ଯାଇଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ମ୍ୟୁନିକଠାରେ ପ୍ରବାସୀ ଭାରତୀୟମାନଙ୍କୁ ଉଦବୋଧନ ଦେଇଛନ୍ତି। ଭାରତର ଗଣତନ୍ତ୍ରରେ ଜରୁରୀ ପରିସ୍ଥିତି ଏକ କଳାଦାଗ ବୋଲି ସେ ଏହି ଅବସରରେ କହିଛନ୍ତି। ଗଣତନ୍ତ୍ରକୁ ନେଇ ଆମେ ଭାରତୀୟମାନେ ଗର୍ବିତ। ଆଜି ଆମେ ଗର୍ବର ସହିତ କହିପାରିବୁ ଯେ ଭାରତ ଏକ ବୃହତ୍ ଗଣତନ୍ତ୍ର। ସଂସ୍କୃତି, ଖାଦ୍ୟ, ପୋଷାକ, ସଙ୍ଗୀତ, ପରମ୍ପରା ଓ ବିବିଧତା ଆମ ଗଣତନ୍ତ୍ରକୁ ଜୀବନ୍ତ କରିଛି। ଗଣତନ୍ତ୍ର ଫଳ ପ୍ରଦାନ କରିପାରେ ଏବଂ ଏହା ଫଳ ପ୍ରଦାନ କରିଛି ମଧ୍ୟ ବୋଲି ମୋଦୀ କହିଛନ୍ତି। ଗତ ଶତାବ୍ଦୀରେ ଜର୍ମାନୀ ଓ ଅନ୍ୟ ଦେଶଗୁଡ଼ିକ ଶିଳ୍ପ ବିପ୍ଳବର ଲାଭ ନେଇଥିଲେ। ସେହି ସମୟରେ ଭାରତ ଏକ ଦାସତ୍ବ ଅଧୀନରେ ଥିବାରୁ ଏହାର ଲାଭ ଉଠାଇ ପାରିନଥିଲା। କିନ୍ତୁ ବର୍ତ୍ତମାନର ଚତୁର୍ଥ ଶିଳ୍ପ ବିପ୍ଳବରେ ଭାରତ ପଛରେ ରହିବ ନାହିଁ। ବରଂ ବିଶ୍ବକୁ ବାଟ ଦେଖାଉଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ଗତ ଦୁଇ ବର୍ଷରେ ସରକାର ୮୦ କୋଟି ଲୋକଙ୍କୁ ମାଗଣାରେ ଖାଦ୍ୟଶସ୍ୟ ଯୋଗାଇ ଦେଇଛନ୍ତି। ଏବେ ଦେଶରେ ପ୍ରତି ୧୦ ଦିନରେ ଗୋଟିଏ ୟୁନିକର୍ଣ୍ଣ ସଂସ୍ଥା ସୃଷ୍ଟି ହେଉଛି ବୋଲି ମୋଦୀ ପ୍ରବାସୀ ଭାରତୀୟମାନଙ୍କୁ କହିଛନ୍ତି।
Follow Us