petrol pump Photograph: (sambad.in)
ରାଇପୁର: ସିଗାରେଟ୍ ପ୍ରେମୀର ସାଙ୍ଘାତିକ କାଣ୍ଡ । ଲାଇଟରରେ ଲଗାଇଦେଲେ ପେଟ୍ରୋଲ ପମ୍ପରେ ନିଆଁ । ହଠାତ୍ ହୁତୁହୁତୁ ହୋଇ ଜଳିବାକୁ ଲାଗିଲା ପେଟ୍ରୋଲ ପମ୍ପ୍ । ସିଗାରେଟ୍ ପିଇବାକୁ ବାରଣ କରିବାରୁ ଏଭଳି ଉନ୍ମତକାଣ୍ଡ ରଚିଛନ୍ତି ଜଣେ ଯୁବକ । ଯେଉଁଠି ସାଧାରଣ ଜ୍ଞାନ ଟିକକ ଭୁଲିଯାଇଛନ୍ତି ଏ ଉଦ୍ଧତ ଯୁବକ ।
ଛତିଶଗଡ଼ ରାଇପୁର ଉର୍ଲା ଅଞ୍ଚଳର ଏକ ପେଟ୍ରୋଲ ପମ୍ପରେ ଦୁଇ ଜଣ ବାଇକ୍ ଆରୋହୀ ତେଲ ପକାଇବାକୁ ଆସି ପହଞ୍ଚିଲେ । ଜଣେ ବାଇକରେ ବସି ପେଟ୍ରୋଲ ପକାଉଥିବା ବେଳେ ଅନ୍ୟଜଣେ ପାଖରେ ଛିଡା ସିଗାରେଟରେ ନିଆଁ ଲଗାଇବାକୁ ଉଦ୍ଯମ କରୁଥିଲେ । ଯାହାକୁ ଦେଖି ବାଇକ ଆରୋହୀ ଯୁବକ ଜଣକ ବାରଣ କରିବା ସହ ତାଙ୍କୁ ଦୂରକୁ ଟିକେ ଠେଲି ଦେଇଥିଲେ । ଯାହା ପରେ ହଠାତ୍ ରାଗିଯାଇ ଉକ୍ତ ଯୁବକ ଜଣଙ୍କ ଯେଉଁ ଲାଇଟରରେ ସିଗାରେଟ୍ ଲଗାଉଥିଲେ ସେହି ଲାଇଟରରେ ଗାଡ଼ିରେ ପଡ଼ୁଥିବା ପେଟ୍ରୋଲ ନୋଜେଲରେ ନିଆଁ ଲଗେଇଦେଲେ । ସଙ୍ଗେସଙ୍ଗେ ନିଆଁ ବାଇକ୍ ଭିତରକୁ ଖେଳିଯିବା ସହ ପେଟ୍ରୋଲ ପମ୍ପରେ ଲାଗି ଯାଇଥିଲା । ନିଆଁ ଦେଖି ପେଟ୍ରୋଲ୍ ପମ୍ପ କର୍ମଚାରୀ ଏବଂ ବାଇକ୍ ଚାଳକ ଉକ୍ତ ସ୍ଥାନ ଛାଡ଼ି ଧାଇଁ ପଳାଇଥିଲେ । କିଛି ସମୟ ପାଇଁ ସେଠାରେ ଆତଙ୍କ ଖେଳିଯାଇଥିବା ବେଳେ ନିଆଁ ସେହି ଯୁବକଙ୍କ ଉପରକୁ ଛିଟକି ପଡିଥିଲା । ଯାହାର ପୂରା ଚିତ୍ର ସିସିଟିଭିରେ କଏଦ ହୋଇଥିଲା ।
ଘଟଣା ପରେ ନିଆଁକୁ ସଙ୍ଗେ ସଙ୍ଗେ ଆୟତ୍ତ କରାଯିବା ସହ ଉଦ୍ଧତ ଯୁବକଙ୍କ ସହ ଅନ୍ୟ ବାଇକ୍ ଚାଳକକୁ ଅଟକ ରଖି ପୋଲିସର ଜିମା ଦିଆଯାଇଛି । ତେବେ ପେଟ୍ରୋଲ ପମ୍ପରେ ଧୂମପାନ ବାରଣ ସତ୍ବେ ଯୁବକଙ୍କ ଏଭଳି କାଣ୍ଡ ତାଙ୍କ ମୁର୍ଖାମୀ ନା ଏହା ତାଙ୍କର ଜିଦିଆ ଗୁଣର ପରିଚୟ ବୋଲି ସାଧାରଣରେ ଚର୍ଚ୍ଚା ହେଉଛି ।
Follow Us