ବସ୍‌ ଯୋଗେ ସଡ଼କ ପଥରେ ଦିଲ୍ଲୀରୁ ଲଣ୍ଡନ୍‌ ଯାତ୍ରା; ୭୦ ଦିନରେ ବୁଲି ହେବ ୧୮ଟି ଦେଶ

Advertisment
ବସ୍‌ ଯୋଗେ ସଡ଼କ ପଥରେ ଦିଲ୍ଲୀରୁ ଲଣ୍ଡନ୍‌ ଯାତ୍ରା; ୭୦ ଦିନରେ ବୁଲି ହେବ ୧୮ଟି ଦେଶ

Representative Image Courtesy of Zee News

ନୂଆଦିଲ୍ଲୀ: କେବଳ ଆକାଶମାର୍ଗରେ ନୁହେଁ, ଭାରତ-ମିଆଁମାର୍‌ ସୀମାନ୍ତ ଉତ୍ତେଜନା ହ୍ରାସ ପାଇବା ପରେ ଖୁବ୍‌ ଶୀଘ୍ର ସଡ଼କ ପଥରେ ବି ଦିଲ୍ଲୀରୁ ଲଣ୍ଡନ୍‌ ଯାଇହେବ ବୋଲି ବିଶେଷସୂତ୍ରରୁ ଜଣାପଡ଼ିଛି।

ପ୍ରାପ୍ତ ସୂଚନା ଅନୁସାରେ, ଆଗାମୀ ସେପ୍ଟେମ୍ବର ମାସରେ ଦିଲ୍ଲୀରୁ ଏହି ଅତ୍ୟାଧୁନିକ ବିଳାସମୟ ବସ୍‌ ସେବା ଆରମ୍ଭ ହେବ। ଜଣେ ସରକାରୀ ଅଧିକାରୀ କହିଛନ୍ତି, ରାସ୍ତା କଥା ଚୂଡ଼ାନ୍ତ ହୋଇଯିବା ପରେ ପର୍ଯ୍ୟଟକମାନେ ‘ଆଡ୍‌ଭେଞ୍ଚର୍ସ ଓଭର୍‌ଲ୍ୟାଣ୍ଡ୍‌ ବସ୍‌ ଟୁ ଲଣ୍ଡନ୍‌’ରେ ଯାତ୍ରା କରିବାରେ ସମର୍ଥ ହେବେ। ୭୦ ଦିନରେ ଏହି ବସ୍‌ ୨୦ ହଜାର କିଲୋମିଟର୍‌ ଯାତ୍ରା କରି ୧୮ ଦେଶ ପରିକ୍ରମା କରିବ।

ସେ ଆହୁରି ମଧ୍ୟ କହିଛନ୍ତି, ଉପରୋକ୍ତ ବସ୍‌ ଯାତ୍ରା ନିମନ୍ତେ ସମୁଦାୟ ଖର୍ଚ୍ଚ ଲାଗିବ ପ୍ରାୟ ୧୫ ଲକ୍ଷ ଟଙ୍କା। ଏଥିରେ ଟିକେଟ୍, ଭିସା ଏବଂ କେତେକ ଦେଶରେ ରହଣି ବାବଦ ଖର୍ଚ୍ଚ ଆଦି ଅନ୍ତର୍ଭୁକ୍ତ। ପର୍ଯ୍ୟଟକମାନଙ୍କ ଆରାମପ୍ରଦ ଯାତ୍ରା ନିମନ୍ତେ ବସ୍‌ରେ ପାନୀୟ, ଭୋଜନ ଓ ଶୟନାଦି ସୁବିଧା ରହିବ। ବସ୍‌ରେ ରହିବ ୨୦ଟି ସିଟ୍‌ ଏବଂ ପ୍ରତି ଯାତ୍ରୀଙ୍କୁ ଦିଆଯିବ ଗୋଟିଏ ଲେଖାଏଁ କ୍ୟାବିନ୍।

publive-image Image Courtesy of Blasting News

ସୂଚନା ଅନୁସାରେ, ମିଆଁମାର୍, ଥାଇଲାଣ୍ଡ୍‌, ଚୀନ୍‌ ଏବଂ କିର୍‌ଗିଜ୍‌ସ୍ତାନ୍‌ ଦେଇ ଫ୍ରାନ୍‌ସରେ ପହଞ୍ଚିବ। ଏହାଛଡ଼ା, ଇଂଲିସ୍‌ ଚାନେଲ୍‌ ପାରିହେବା ପାଇଁ ଗୋଟାଏ କ୍ରୁଜ୍‌ ସିପ୍‌ ମଧ୍ୟ ବ୍ୟବହାର କରାଯିବ। ସେହିପରି, ଫ୍ରାନ୍‌ସ୍‌ରୁ ଇଂଲଣ୍ଡ୍‌ର ଡୋଭର୍‌ ଯାତ୍ରା କରିବା ଲାଗି ଗୋଟାଏ ‘କାଏ’ (ଗଳି ରାସ୍ତା) ଦେଇ ଯିବାକୁ ପଡ଼ିବ।

ଉଲ୍ଲେଖଯୋଗ୍ୟ, ଏ କଥାଟି ନୂଆ ଲାଗୁଥିଲେ ମଧ୍ୟ, ଏଭଳି ଗୋଟାଏ ବସ୍‌ ସେବା ୬୫ ବର୍ଷ ତଳେ ବ୍ରିଟିସ୍‌ ବସ୍‌ କମ୍ପାନି ‘ଆଲ୍‌ବର୍ଟ ଟୁର୍ସ’ ଆରମ୍ଭ କରିଥିଲା। ୧୯୫୭ରେ ଆରମ୍ଭ ହୋଇଥିବା ଉକ୍ତ ବସ୍‌ ସେବା ଦିଲ୍ଲୀ ଦେଇ କୋଲ୍‌କାତା ଓ ଲଣ୍ଡନ୍‌କୁ ସଂଯୋଗ କରିଥିଲା। ଏହାର ଲୋକପ୍ରିୟ ନାଁ ଥିଲା ‘ହିପ୍ପି ଟୁର୍‌’। ୧୯୭୬ ପର୍ଯ୍ୟନ୍ତ ଚାଲୁଥିବା ଏହି ଡବଲ୍‌-ଡେକର୍‌ ବସ୍‌ ସେବା ଅଳ୍ପ କେତୋଟି ଦୁର୍ଘଟଣା କାରଣରୁ ଏବଂ ଦେଶ ଦେଶ ମଧ୍ୟରେ ସୀମା ବିବାଦ ବୃଦ୍ଧି ପାଇବାରୁ ବନ୍ଦ ହୋଇଯାଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe