ବନ୍ଦରରେ ଅଟକିଛି ଚାଉଳ ବୋଝେଇ ଜାହାଜ

ଶୁଳ୍କ ଲାଗୁ ପରେ ଅଡ଼ୁଆରେ ରପ୍ତାନିକାରୀ, ଗଣୁଛନ୍ତି ଡିମରେଜ୍‌ ଚାର୍ଜ

ବନ୍ଦରରେ ଅଟକିଛି ଚାଉଳ ବୋଝେଇ ଜାହାଜ

Reuters

ମୁମ୍ବାଇ: ଭାରତ ସରକାର ଚଳିତମାସ ୮ ତାରିଖରେ ଖୁଦ ରପ୍ତାନି ନିଷିଦ୍ଧ କରିଛନ୍ତି। ଏଥିସହିତ ଚାଉଳ ରପ୍ତାନି ଉପରେ ୨୦ ପ୍ରତିଶତ ଶୁଳ୍କ ଲଗାଇଛନ୍ତି। ଭାରତ ସରକାର ହଠାତ୍‌ ଏଭଳି ପଦକ୍ଷେପ ନେବାପରେ ଚାଉଳ ରପ୍ତାନିକାରୀମାନେ ଅସୁବିଧାରେ ପଡ଼ିଛନ୍ତି। ବନ୍ଦର ଏବଂ ଗୋଦାମ ଆଦିରୁ ଚାଉଳ ଖଲାସ ହୋଇ ପାରୁନାହିଁ। ପାଖାପାଖି ୬ ଲକ୍ଷ ଟନ୍ ଚାଉଳ ନେବା ପାଇଁ ଅତିକମ୍‌ରେ ୨୦ଟି ଜାହାଜ ଦେଶର ବିଭିନ୍ନ ବନ୍ଦରରେ ୧୫ ଦିନ ହେଲା ଅଟକି ରହିଛନ୍ତି। ଏତେଦିନ ଧରି ଜାହାଜଗୁଡ଼ିକ ବନ୍ଦରରେ ଅଟକି ରହିବା ଦ୍ବାରା ସେମାନଙ୍କୁ ଅଧିକ ଡିମରେଜ୍ ଚାର୍ଜ ଗଣିବାକୁ ପଡ଼ୁଛି। ଉଲ୍ଲେଖଯୋଗ୍ୟ, ଏକ ନିର୍ଦ୍ଦିଷ୍ଟ ସମୟ ପାଇଁ ଜାହାଜଗୁଡ଼ିକ ବନ୍ଦରରେ ମାଲ ବୋଝେଇ ଓ ଖଲାସ ପାଇଁ ରହିଲେ ସେମାନଙ୍କ ଠାରୁ କୌଣସି ଚାର୍ଜ ନିଆଯାଇ ନଥାଏ। କିନ୍ତୁ ଧାର୍ଯ୍ୟ ସମୟଠାରୁ ଅଧିକ ସମୟ ରହିଲେ ସେମାନଙ୍କୁ ଯେଉଁ ଅର୍ଥ ଗଣିବାକୁ ପଡ଼ିଥାଏ ତାହାକୁ ଡିମରେଜ୍‌ ଚାର୍ଜ କୁହାଯାଇଥାଏ।

ସରକାରଙ୍କ ଶୁଳ୍କ ଲାଗୁ ଏବଂ ରପ୍ତାନି କଟକଣା ଘୋଷଣା ପରେ ବନ୍ଦର ଅଭିମୁଖେ ଆସୁଥିବା ଚାଉଳ ଗୋଦାମ ଏବଂ ଅନ୍ୟାନ୍ୟ ସ୍ଥାନରେ ଅଟକି ରହିଛି। ଚାଉଳ ରପ୍ତାନିକାରୀ ସଂଘର ସଭାପତି ବିଭି କ୍ରିଷ୍ଣା ରାଓ ଏହି ଅଭିଯୋଗ କରିଛନ୍ତି। ଜାହାଜ ବନ୍ଦରରେ ଅଧିକ ଦିନ ରହିବା ବାବଦରେ ସେମାନଙ୍କୁ ଅର୍ଥ ଗଣିବାକୁ ପଡ଼ୁଥିବାରୁ ସରକାରଙ୍କ ନିକଟରୁ ସେମାନେ ରିହାତି ଦାବି କରିଛନ୍ତି। ବନ୍ଦରର ବର୍ଥରେ ଥିବା ଜାହାଜଗୁଡ଼ିକରେ ବୋଝେଇ ପାଇଁ ୬ ଲକ୍ଷ ଟନ ଚାଉଳ ରହିଛି। ଏହାବାଦ୍‌ ଆଉ ୪ ଲକ୍ଷ ଟନ୍ ଚାଉଳ ବନ୍ଦରର ଗୋଦାମ ଏବଂ କଣ୍ଟେନର ଫ୍ରେଟ୍ ଷ୍ଟେସନରେ ପଡ଼ି ରହିଛି। ଶୁଳ୍କ ଲାଗୁ ଭଳି ନିଷ୍ପତ୍ତି କାର୍ଯ୍ୟକାରୀ ହେବା ପୂର୍ବରୁ ବ୍ୟବସାୟୀମାନେ ଚାଉଳ ରପ୍ତାନି ପାଇଁ ଯେଉଁ ରାଜିନାମା ବିଦେଶର ଆମଦାନିକାରୀଙ୍କ ସହ କରିଥାନ୍ତି ଅତୀତରେ ସେମାନଙ୍କୁ ନୂଆ ଶୁଳ୍କରୁ ଛାଡ଼ ଦିଆଯାଇଥାଏ। କିନ୍ତୁ ଚଳିତଥର ତାହା କରାଯାଇ ନାହିଁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe