Arab Center Washington DC
ୱାସିଂଟନ: ଲେବାନନ ଉପରେ ଇସ୍ରାଏଲର ଆକ୍ରମଣ ଜୋରଦାର ହେଉଥିବା ବେଳେ ରବିବାର ଆମେରିକା କହିଛି ଯେ, ଇସ୍ରାଏଲର ସମର୍ଥନ ପାଇଁ ମଧ୍ୟପ୍ରାଚ୍ୟରେ ଏହାର ଦୃଢ଼ ସାମରିକ ଉପସ୍ଥିତି ରହିଛି। ଗାଜାରେ ହମାସ ବିରୋଧରେ ଏବଂ ଲେବାନନରେ ହେଜବୁଲ୍ଲା ବିରୋଧରେ ଇସ୍ରାଏଲର ଲଢ଼େଇ ଜାରି ରହିଥିବା ବେଳେ ହ୍ୱାଇଟ୍ ହାଉସ୍ର ଜାତୀୟ ସୁରକ୍ଷା ମୁଖପାତ୍ର ଜନ୍ କିର୍ବି ଏହା କହିଛନ୍ତି।
ଏପ୍ରିଲରେ ଇରାନ ଇସ୍ରାଏଲ ବିରୋଧରେ ଶହ ଶହ କ୍ଷେପଣାସ୍ତ୍ର ଓ ଡ୍ରୋନ୍ ମାଡ଼ କରିବା ପରଠାରୁ ଅଧିକ ସୈନ୍ୟ ପଠାଯାଇଛି ବୋଲି କିର୍ବି ଆମେରିକାର ବ୍ରଡକାଷ୍ଟର ଏବିସିରେ କହିଛନ୍ତି। ନିଜକୁ ରକ୍ଷା କରିବା ଓ ଇସ୍ରାଏଲକୁ ସାହାଯ୍ୟ କରିବା ପାଇଁ ପୂର୍ବରୁ ବହୁତ ଶକ୍ତିଶାଳୀ ସଶସ୍ତ୍ର ସେନା ମୁତୟନ ଅଛନ୍ତି ଏବଂ ସାମ୍ପ୍ରତିକ ଉତ୍ତେଜନା ପରିପ୍ରେକ୍ଷୀରେ ଏହି ସଂଖ୍ୟାରେ ବୃଦ୍ଧି କରାଯାଇଛି ବୋଲି କିର୍ବି କହିଛନ୍ତି। ପେଣ୍ଟାଗନ୍ ରବିବାର ଏକ ବିବୃତିରେ କହିଛି ଯେ ପୂର୍ବ ଭୂମଧ୍ୟସାଗରରେ କାର୍ଯ୍ୟ କରିବା ପାଇଁ ଏକ ବିମାନବାହୀ ଯୁଦ୍ଧ ଜାହାଜ ଷ୍ଟ୍ରାଇକ୍ ଗ୍ରୁପ୍ ଏବଂ ଏକ ସାମୁଦ୍ରିକ ଅଭିଯାନ ୟୁନିଟ୍କୁ ନିର୍ଦ୍ଦେଶ ଦିଆଯାଇଛି।
ଏହି ବାହିନୀକୁ ସମର୍ଥନ କରିବା ପାଇଁ ଅନେକ ଉନ୍ନତ ଯୁଦ୍ଧ ବିମାନ ନିୟୋଜିତ ଅଛି। ପେଣ୍ଟାଗନ୍ ମୁଖପାତ୍ର ମେଜର ଜେନେରାଲ୍ ପ୍ୟାଟ୍ ରାଇଡର୍ କହିଛନ୍ତି, ଆଗାମୀ ଦିନରେ ଆମେରିକା ନିଜର ପ୍ରତିରକ୍ଷାତ୍ମକ ବାୟୁ-ସମର୍ଥନ କ୍ଷମତାକୁ ଆହୁରି ସୁଦୃଢ଼ କରିବ। କିର୍ବି କହିଛନ୍ତି, ମଧ୍ୟପ୍ରାଚ୍ୟରେ ସଂଘର୍ଷ ବୃଦ୍ଧିକୁ ନେଇ ଆମେରିକା ଚିନ୍ତିତ। କିନ୍ତୁ ହେଜବୁଲ୍ଲା ପରି ଶତ୍ରୁଠାରୁ ନିଜ ଦେଶ ଓ ନିଜ ଲୋକଙ୍କୁ ରକ୍ଷା କରିବାର ଅଧିକାର ଇସ୍ରାଏଲର ଅଛି। ହେଜବୁଲ୍ଲା ନେତା ହାସନ ନସରଲ୍ଲା ଓ ସଶସ୍ତ୍ର ଗୋଷ୍ଠୀର ଅନ୍ୟ ଶୀର୍ଷ ବ୍ୟକ୍ତିତ୍ୱଙ୍କୁ ହତ୍ୟା କରିବା ପରେ ଇସ୍ରାଏଲ ଆମେରିକା ସମର୍ଥନର ଫାଇଦା ଉଠାଇ ଲେବାନନରେ ସ୍ଥଳ ଅପରେସନ ଆରମ୍ଭ କରିପାରେ ବୋଲି ଆଶଙ୍କା ବଢ଼ିବାରେ ଲାଗିଛି।
Follow Us