ଇସ୍ରାଏଲ ଉପରେ ତିନିପଟୁ ଆକ୍ରମଣ: ହମାସ୍‌ ନିୟନ୍ତ୍ରଣରେ ଥିବା ଗାଜା ସହରରେ ଇସ୍ରାଏଲ ବାୟୁସେନାର ବୋମାମାଡ଼ ଜାରି

Advertisment

ହମାସ ସହ ହାତମିଳାଇ ସିରିୟା, ଲେବାନନ୍‌ ବି କ୍ଷେପଣାସ୍ତ୍ର ମାଡ଼କଲେ, ମୃତ୍ୟୁସଂଖ୍ୟା ୩୬୦୦ ଟପିଲା

ହମାସ ସହ ହାତମିଳାଇ ସିରିୟା, ଲେବାନନ୍‌ ବି କ୍ଷେପଣାସ୍ତ୍ର ମାଡ଼କଲେ, ମୃତ୍ୟୁସଂଖ୍ୟା ୩୬୦୦ ଟପିଲା

ଇସ୍ରାଏଲ ଉପରେ ତିନିପଟୁ ଆକ୍ରମଣ: ହମାସ୍‌ ନିୟନ୍ତ୍ରଣରେ ଥିବା ଗାଜା ସହରରେ ଇସ୍ରାଏଲ ବାୟୁସେନାର ବୋମାମାଡ଼ ଜାରି

ତେଲ୍‌ ଅଭିଭ୍‌: ଇସ୍ରାଏଲ-ହମାସ ଯୁଦ୍ଧ ପଞ୍ଚମ ଦିନରେ ପହଞ୍ଚିଥିବା ବେଳେ ମୋଟ ମୃତ୍ୟୁସଂଖ୍ୟା ୩୬୦୦ ଟପିଯାଇଛି। ପଡ଼ୋଶୀ ରାଷ୍ଟ୍ର ସିରିୟା ଓ ଲେବାନନ୍‌ ମଧ୍ୟ ଏବେ ହମାସ୍‌ ଆତଙ୍କବାଦୀ ସଂଗଠନ ସହ ହାତ ମିଳାଇଛନ୍ତି ଏବଂ ନିଜ ମାଟିରୁ ଇସ୍ରାଏଲ ଉପରକୁ କ୍ଷେପଣାସ୍ତ୍ର ମାଡ଼ କରିଛନ୍ତି। ଆଜି ଉଭୟ ସିରିୟା ଓ ଲେବାନନରୁ କେତେକ କ୍ଷେପଣାସ୍ତ୍ର ଲଞ୍ଚ ହେବାପରେ ଇସ୍ରାଏଲ ଏହାର କଡ଼ା ଜବାବ ଦେଇଛି। ଲେବାନନ ଆଜି ସକାଳେ ଇସ୍ରାଏଲ ସେନାର କେତେକ ପ୍ରତିଷ୍ଠାନକୁ ଟାର୍ଗେଟ୍‌ କରି କ୍ଷେପଣାସ୍ତ୍ର ମାଡ଼ କରିଥିବା ଇସ୍ରାଏଲ ସେନା ପକ୍ଷରୁ କୁହାଯାଇଛି। ତିନିପଟୁ ଆକ୍ରମଣର ଜବାବ ଦେବାକୁ ଆମେ ସକ୍ଷମ ବୋଲି ଇସ୍ରାଏଲ ସେନା କହିଛି। ତିନି ପଟୁ ଆକ୍ରମଣର ତୀବ୍ରତା ଆଗକୁ ବଢ଼ିବା ଆଶଙ୍କା କରି ଉତ୍ତର ଇସ୍ରାଏଲରେ ଲୋକଙ୍କୁ ବଙ୍କରରେ ରହିବାକୁ କୁହାଯାଇଛି। ଇତିହାସରେ ସବୁଠୁ ବଡ଼ ଏହି ଆକ୍ରମଣରେ ଇସ୍ରାଏଲରେ ୧୨୦୦ରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଥିବା ବେଳେ ଗାଜାରେ ୧୦୦୦ରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଛି। ଇସ୍ରାଏଲ ଆଜି ଦାବି କରିଛି ଯେ ଏହା ହମାସ ଗୋଷ୍ଠୀଠାରୁ ଗାଜା ସୀମାନ୍ତ ଅଞ୍ଚଳଗୁଡ଼ିକୁ ପୁଣି ଥରେ ନିଜ ନିୟନ୍ତ୍ରଣକୁ ନେବା ପ୍ରକ୍ରିୟା ଶେଷ କରିଛି। ଗାଜା‌ରେ ହମାସ୍‌ ଆଡ଼ା ସ୍ଥଳରେ ଇସ୍ରାଏଲ ଗତ ରାତିସାରା ବୋମାବର୍ଷା କରିଛି। ଫଳରେ ଗତରାତିରେ କେବଳ ହମାସ ଆଡ଼ା ସ୍ଥଳରେ ଶତାଧିକ ଲୋକଙ୍କ ମୃତ୍ୟୁ ହୋଇଛି। ଇସ୍ରାଏଲ ସେନା ଅନୁଯାୟୀ, ସାମରିକ ବିମାନ ଚିହ୍ନଟ ପାଇଁ ହମା‌ସମାନେ ବ୍ୟବହାର କରୁଥିବା 'ଆଡଭାନ୍‌ସଡ ଡିଟେକସନ୍‌ ସିଷ୍ଟମ୍‌'କୁ ଇସ୍ରାଏଲ ଯୁଦ୍ଧ ବିମାନ ଧ୍ବଂସ କରିଦେଇଛି। ଅନ୍ୟପକ୍ଷେ ହମାସ ଗୋଷ୍ଠୀ ପଣବନ୍ଦୀମାନଙ୍କୁ ହତ୍ୟା କରାଯିବ ବୋଲି ବାରମ୍ବାର ଧମକ ଦେଇଚାଲିଛି। ଇସ୍ର‌ାଏଲ ଗାଜା ଷ୍ଟ୍ରିପ୍‌କୁ ସମ୍ପୂର୍ଣ୍ଣ ଘେରାବନ୍ଦୀ କରିବା ପରେ ହମାସ ଏହି ଧମକ ଦେଇଛି। ଯୁଦ୍ଧ ତୀବ୍ର ହେଉଥିବାବେଳେ ଇସ୍ରାଏଲର ପ୍ରମୁଖ ସହଯୋଗୀ ଆମେରିକା‌ ଇସ୍ରାଏଲକୁ ଏହାର ପୂର୍ଣ୍ଣ ସମର୍ଥନ ପ୍ରଦାନ କରିଛି। ବ୍ରିଟେନ, ଫ୍ରାନ୍ସ, ଜର୍ମାନୀ ଏବଂ ଇଟାଲି ମଧ୍ୟ ଇସ୍ରାଏଲକୁ ସହଯୋଗର ହାତ ବଢ଼ାଇଛନ୍ତି। ଆମେରିକା ବିଦେଶ ସଚିବ ଆଣ୍ଟୋନି ବ୍ଲିଙ୍କେନ୍‌ ଆସନ୍ତାକାଲି ଇସ୍ରାଏଲ ଗସ୍ତ କରିବେ। ଅନ୍ୟପକ୍ଷେ ବ୍ରିଟେନ ବିଦେଶ ମନ୍ତ୍ରୀ ଜେମ୍ସ କ୍ଲେଭର୍‌ଲି ଆଜି ଇସ୍ରାଏଲ ଗସ୍ତ କରିଛନ୍ତି ଏବଂ ଇସ୍ରାଏଲରେ ପୀଡ଼ିତଙ୍କୁ ଭେଟିଛନ୍ତି। ସେ ମଧ୍ୟ ଇସ୍ରାଏଲରେ ଶୀର୍ଷ ନେତାମାନଙ୍କୁ ଭେଟି ଇସ୍ରାଏଲକୁ ବ୍ରିଟେନର ସମର୍ଥନ ଜଣାଇଛନ୍ତି। ଆଜି ଇସ୍ରାଏଲରେ ଆମେରିକାର ପ୍ରଥମ ପର୍ଯ୍ୟାୟ ଯୁଦ୍ଧାସ୍ତ୍ର ପହଞ୍ଚିଛି।

ହମାସ ସହ ହାତମିଳାଇ ସିରିୟା, ଲେବାନନ୍‌ ବି କ୍ଷେପଣାସ୍ତ୍ର ମାଡ଼କଲେ
ମୃତ୍ୟୁସଂଖ୍ୟା ୩୬୦୦ ଟପିଲା
୯ ଜାତିସଂଘ କର୍ମଚାରୀ ମୃତ
ଇସ୍ରାଏଲରେ ପହଞ୍ଚିଲା ଆମେରିକାର ଯୁଦ୍ଧାସ୍ତ୍ର
୧୫୫ ଇସ୍ରାଏଲ ସୈନିକ ନିହତ

ଇସ୍ରାଏଲ ବିରୋଧରେ ଏବେ ଲେବାନନ୍‌ ଆତଙ୍କବାଦୀ ଗୋଷ୍ଠୀ ହେଜବୋଲ୍ଲା ମଧ୍ୟ ଆକ୍ରମଣ ଆରମ୍ଭ କରିଥିବାରୁ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ କଡ଼ା ଚେତାବନୀ ଦେଇଛନ୍ତି। ମଙ୍ଗଳବାର ସନ୍ଧ୍ୟାରେ ଲେବାନନ୍ ସୀମା ଅଞ୍ଚଳରୁ ଇସ୍ରାଏଲ ଉପରକୁ ଭୟଙ୍କର ରକେଟ୍‌ ମାଡ଼ ହୋଇଥିଲା। ଇସ୍ରାଏଲ ମଧ୍ୟ ପାଲଟା ଜବାବ ଦେଇ ଲେବାନନ୍‌ରେ ଆକ୍ରମଣ କରିଛି। ଯୁଦ୍ଧ ଭୟଙ୍କର ‌ହେଉଥିବାବେଳେ ଇସ୍ରାଏଲରେ ଅନେକ ବିଦେଶୀ ନାଗରିକଙ୍କର ମୃତ୍ୟୁ ହେଲାଣି। ଜାତିସଂଘ ମାନବାଧିକାର ସଂସ୍ଥାର ୯ ଜଣ କର୍ମଚାରୀଙ୍କର ଯୁଦ୍ଧରେ ମୃତ୍ୟୁ ହୋଇଯାଇଛି। ଅନ୍ୟପକ୍ଷେ ଇସ୍ରାଏଲ-ହମାସ ଯୁଦ୍ଧରେ ୨୦ ଜଣ ଥାଇ ନାଗରିକଙ୍କ ମୃତ୍ୟୁ ହୋଇଛି। ଥାଇଲାଣ୍ଡର ୧୪ ଜଣଙ୍କୁ ଅପହରଣ କରାଯାଇଛି। ଏ ପର୍ଯ୍ୟନ୍ତ ୧୪ ଜଣ ଆମେରିକୀୟ ନାଗରିକଙ୍କୁ ହମାସ ଆତଙ୍କବାଦୀ ହତ୍ୟା କରିଥିବା ‌ଆମେରିକା କହିଛି। ଯୁଦ୍ଧରେ ୧୫୫ ଇସ୍ରାଏଲ ସୈନିକ ନିହତ ହୋଇଛନ୍ତି ବୋଲି ଇସ୍ରାଏଲ ସେନା ସ୍ପଷ୍ଟ କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe