ପଞ୍ଜାବ ପାଇଁ ପ୍ରାର୍ଥନା କରନ୍ତୁ… ସଂକଟ ସମୟରେ ମଣିଷପଣିଆର ଧର୍ମ ପାଳନ କରନ୍ତୁ- କେଜ୍ରିଓ୍ଵାଲ୍

ପ୍ରବଳ ବର୍ଷା ପରେ ବନ୍ୟା ସ୍ଥିତି ପୂରା ପଞ୍ଜାବକୁ ପାଣି ଘେରରେ ରଖିଥିବା ବେଳେ ଏହି ସଂକଟ  ସମୟରେ ସାରା ଦେଶ ପଞ୍ଜାବ ସହ ଛିଡା ହୋଇଛି । ପଞ୍ଜାବର ଆମ୍ ଆଦମୀ ପାର୍ଟିର ବିଧାୟକ, ମନ୍ତ୍ରୀ ଓ ସାଂସଦମାନେ ନିଜ ମାସକର ଦରମା ମୁଖ୍ଯମନ୍ତ୍ରୀ ରିଲିଫ ପାଣ୍ଠିକୁ ପଠାଉଛନ୍ତି

New Project (26)

ଚଣ୍ଡିଗଡ଼: ବନ୍ୟା ପାଇଁ ପଞ୍ଜାବର ପରିସ୍ଥିତି ଖରାପ । ପ୍ରବଳ ବର୍ଷା ପରେ ବନ୍ୟା ସ୍ଥିତି ପୂରା ପଞ୍ଜାବକୁ ପାଣି ଘେରରେ ରଖିଥିବା ବେଳେ ଏହି ସଂକଟ  ସମୟରେ ସାରା ଦେଶ ପଞ୍ଜାବ ସହ ଛିଡା ହୋଇଛି । ପଞ୍ଜାବର ଆମ୍ ଆଦମୀ ପାର୍ଟିର ବିଧାୟକ, ମନ୍ତ୍ରୀ ଓ ସାଂସଦମାନେ ନିଜ ମାସକର ଦରମା ମୁଖ୍ଯମନ୍ତ୍ରୀ ରିଲିଫ ପାଣ୍ଠିକୁ ପଠାଉଛନ୍ତି । ଇତିମଧ୍ଯରେ ପଞ୍ଜାବର ମନ୍ତ୍ରୀ ରାବଜ୍ବତ ସିଂହ ନିଜ ବର୍ଷକର ଦରମା ମୁଖ୍ଯମନ୍ତ୍ରୀ ରିଲିଫ ପାଣ୍ଠିକୁ ପ୍ରଦାନ କରିଛନ୍ତି । ବନ୍ୟା ପ୍ରଭାବିତଙ୍କ ସହାୟତା ପାଇଁ ସେ ତାଙ୍କ ବର୍ଷ ଯାକର ଦରମା ୧୨ ଲକ୍ଷ ଟଙ୍କା ଦାନ କରିଦେଇଛନ୍ତି । ପ୍ରଧାନମନ୍ତ୍ରୀ ମୋଦୀ ପଞ୍ଜାବକୁ ସବୁ ପ୍ରକାର ସହାୟତା ଦେବାକୁ ପ୍ରତିଶ୍ରୁତି ଦେଇଥିବା ବେଳେ ଇତିମଧ୍ୟରେ ହରିଆଣା ପଞ୍ଜାବକୁ ୫ କୋଟି ଟଙ୍କାର ଆର୍ଥିକ ସହାୟତା କରିଥିବା ସୂଚନା ମିଳିଛି । 

ତେବେ ପଞ୍ଜାବର ସଙ୍କଟ ସମୟରେ ରାଜନୀତିରୁ ଉପରକୁ ଉଠି ମାନବିକତାର ପରିଚୟ ଦେବାକୁ ସବୁ ରାଜନୈତିକ ଦଳର ନେତାଙ୍କୁ ପଞ୍ଜାବ ପାଇଁ ସାହାଯ୍ଯ କରିବାକୁ ଅପିଲ କରିଛନ୍ତି ଅରବିନ୍ଦ କେଜ୍ରିଓ୍ଵାଲ୍ । ସମସ୍ତ ରାଜ୍ୟ ଏବଂ କେନ୍ଦ୍ର ସରକାର ପଞ୍ଜାବର ଏହି ବିପଦ ବେଳେ ସହାୟତା କରିବାକୁ ହାତ ଯୋଡ଼ି ଗୁହାରୀ କରିଛନ୍ତି କେଜ୍ରିଓ୍ଵାଲ୍ । ତେବେ ପଞ୍ଜାବ ପାଇଁ ସାରା ଦେଶ ଏକାଠି ହେବାକୁ ଅନୁରୋଧ କରି କେଜ୍ରିଓ୍ଵାଲ୍ କହିଛନ୍ତି- 

ପଞ୍ଜାବ ଦେଶର କେବଳ ଏକ ରାଜ୍ୟ ନୁହେଁ ବରଂ ପଞ୍ଜାବ ଦେଶର ଢାଲ ଅଟେ । ଇତିହାସ ସାକ୍ଷୀ ଅଛି- ଦେଶ ଉପରେ ଯେତେବେଳେ, ଯେକୌଣସି ସମୟରେ ବିପଦ ଆସିଛି, ବିପର୍ଯ୍ୟୟ ମାଡିଆସିଛି ସେତେବେଳେ ଛାତି ଫୁଲାଇ ବିପଦର ସାମ୍ନା କରିଛି, ମୁକାବିଲା ପାଇଁ ଠିଆ ହୋଇଛି ପଞ୍ଜାବ। ସ୍ବାଧୀନତାର ଲଢେଇରେ ସବୁଠୁ ଅଧିକ  ପଞ୍ଜାବବାସୀ ଲଢିଛନ୍ତି, ଫାଶୀରେ ଝୁଲିଛନ୍ତି, କଳାପାଣି ଯାଇଛନ୍ତି । ପଞ୍ଜାବର ମାଟିରେ, ରେଣୁ ରେଣୁରେ ବୀରତାର ଗାଥା ଅଛି ।  ହେଲେ ଆଜି ପଞ୍ଜାବ ସଙ୍କଟରେ ଅଛି। ପଞ୍ଜାବ ପାଣି ପାଟିରେ ଫସିଛି । ହେକ୍ଟର ହେକ୍ଟର ଜମିରେ ପାଣି ମାଡିଯାଇଛି । ବନ୍ୟା ଏତେ ଭୟଙ୍କର ଯେ ଲୋକଙ୍କ ପାଖରେ ପହଞ୍ଚିବା ବି ମୁସ୍କିଲ ହୋଇପଡିଛି । ଏହି କଷ୍ଟକର ସମୟରେ ପଞ୍ଜାବର ଲୋକମାନଙ୍କୁ ଯଥାସମ୍ଭବ ସାହାଯ୍ୟ କରିବାକୁ ଆମ୍ ଆଦମୀ ପାର୍ଟିର ପ୍ରତିଟି କର୍ମୀ ପାଣିରେ ପଶି, ଡଙ୍ଗାରେ ଯାଇ ସାହାଯ୍ଯ କରୁଛନ୍ତି । ସେମାନଙ୍କୁ ଖାଦ୍ୟ ଦେଉଛନ୍ତି । ଏପରି ପରିସ୍ଥିତି ମୁଁ ମୋର ସମସ୍ତ ଦେଶବାସୀଙ୍କୁ ନିବେଦନ କରୁଛି ଏବଂ ସବୁ ରାଜନେତାଙ୍କୁ ଅନୁରୋଧ କରୁଛି ସମସ୍ତେ ମଣିଷପଣିଆର ଧର୍ମ ପାଳନ କରନ୍ତୁ । ଆମ ଆଦମୀ ପାର୍ଟିର ସମସ୍ତ ସାଂସଦ ଏବଂ ବିଧାୟକମାନେ ପଞ୍ଜାବ ମୁଖ୍ୟମନ୍ତ୍ରୀ ରିଲିଫ୍ ପାଣ୍ଠିକୁ ଗୋଟିଏ ମାସର ଦରମା ଦାନ କରୁଛନ୍ତି। ଆସନ୍ତୁ ଆମେ ସମସ୍ତେ ଏକାଠି ହୋଇ ଏହି ଭୟଙ୍କର ବିପର୍ଯ୍ୟୟରୁ ପଞ୍ଜାବକୁ ରକ୍ଷା କରିବା, ପଞ୍ଜାବ ପାଇଁ ଏକାଠି ହେବା ଏବଂ ପଞ୍ଜାବ ସାଥିରେ ଛିଡା ହୋଇ ତାକୁ ସହାୟତା କରିବା ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe