ଅବଧ ରାଜକୁମାର ଅଲି ରାଜାଙ୍କ ପରଲୋକ:ନିଃସଙ୍ଗ ଜୀବନ କଟାଉଥିଲେ

Advertisment
ଅବଧ ରାଜକୁମାର ଅଲି ରାଜାଙ୍କ ପରଲୋକ:ନିଃସଙ୍ଗ ଜୀବନ କଟାଉଥିଲେ

ନୂଆଦିଲ୍ଲୀ: ଅବଧ ରାଜବଂଶର ଶେଷ  ଦାୟାଦ ରାଜକୁମାର ଅଲି ରାଜାଙ୍କର ଦିଲ୍ଲୀର ଏକ ଜଙ୍ଗଲ ପ୍ରାସାଦରେ ମୃତ୍ୟୁ ଘଟିଛି। ଦିଲ୍ଲୀର କେନ୍ଦ୍ରସ୍ଥଳରେ ଏକ ଘଞ୍ଚ ଜଙ୍ଗଲ ମଧ୍ୟରେ ଅବସ୍ଥିତ   ଚତୁର୍ଦ୍ଦଶ ଶତାବ୍ଦୀର ଜରାଜୀର୍ଣ୍ଣ ରାଜପ୍ରାସାଦ ‘ମାଲ୍‌ଚା ମହଲ’ରେ ଅଲି ରାଜା ଦୀର୍ଘ ବର୍ଷ ଧରି ତାଙ୍କ ମା’ ଏବଂ ଭଉଣୀଙ୍କ ସହ ରହିଆସୁଥିଲେ। ତେବେ ମୃତ୍ୟୁ ବେଳକୁ ସେ ସମ୍ପୂର୍ଣ୍ଣ ଏକାକୀ  ହୋଇଯାଇଥିଲେ। ଗତ ସେପ୍ଟେମ୍ବର ୨ ତାରିଖରେ ତାଙ୍କ ମୃତଦେହ ଏହି ପ୍ରାସାଦରୁ  ଉଦ୍ଧାର କରାଯାଇଥିଲା। ମାଲ୍‌ଚା ମହଲ ନିକଟରେ ଅବସ୍ଥିତ ଇସ୍ରୋ ଷ୍ଟେସନର ଜଣେ ସୁରକ୍ଷା କର୍ମୀଙ୍କ ସହିତ ଅଲି ରାଜା କଥାବାର୍ତ୍ତା କରୁଥିଲେ। ତେବେ ଦୀର୍ଘଦିନ ଧରି ତାଙ୍କୁ ଦେଖିବା ପରେ ସୁରକ୍ଷା କର୍ମୀ ଏ ବାବଦରେ ପୁଲିସକୁ ଖବର ଦେଇଥିଲେ। ପୁଲିସ ବାହିନୀ ପ୍ରାସାଦ ମଧ୍ୟକୁ ପ୍ରବେଶ କରିବାପରେ ଅଲିଙ୍କ କଙ୍କାଳ ପାଇଥିଲେ। ସୂଚନାଯୋଗ୍ୟ ଗତ ୪ ବର୍ଷ ପୂର୍ବେ ଭଉଣୀ ସାକିନାର ମୃତ୍ୟୁ ପରେ ଅଲିରାଜା ସମ୍ପୂର୍ଣ୍ଣ ଏକାକି ହୋଇଯାଇଥିଲେ।

ଉଭୟ ଅଲି ଏବଂ ସାକିନା ୯୦ ଦଶକରେ ନିଜ ମା’ଙ୍କ ମୃତଦେହ ସହ ମାସ ମାସ ଧରି ରହି ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଥିଲେ। ଅବଧର ବେଗମ୍‌ ତଥା ଅଲି ରାଜାଙ୍କ ମା’ ବିଷ ପିଇ ଆତ୍ମହତ୍ୟା କରିଥିଲେ। ଉକ୍ତ ଅବଧ ରାଜବଂଶ ପରିବାର ନିଜକୁ ଅବଧ ରାଜବଂଶର ଶେଷ ଉତ୍ତରାଧିକାରୀ ବୋଲି ଦାବି କରିଆସୁଥିଲେ। ଉକ୍ତ ରାଜ ପରିବାରଙ୍କ ସମ୍ପତ୍ତି ବ୍ରିଟିଶ ସରକାର ଜବରଦଖଲ କରିନେଇଥିବା ଅଭିଯୋଗ କରି ଅଲି ରାଜାଙ୍କ ମା’ ବେଗମ୍‌  ଭାରତ ସରକାରଙ୍କଠାରୁ କ୍ଷତିପୂରଣ ଦାବି କରିଥିଲେ। ଫଳରେ ଭାରତ ସରକାର ୧୯୮୫ ମସିହାରେ ଉକ୍ତ ରାଜ ପରିବାରକୁ ମାଲଚା ମହଲ ଆବାସ ସ୍ୱରୂପ ଦେଇଥିଲେ। ତେବେ ଏହାର ମରାମତି ପାଇଁ ସରକାର ପ୍ରତିଶୃତି ଦେଇଥିଲେ ମଧ୍ୟ ତାହା କାର୍ଯ୍ୟକାରୀ କରିନଥିଲେ।

ଅବଧ ରାଜବଂଶର ଶେଷ ରାଜା ଅଲି ଝରକା କବାଟ ନଥିବା ଏକ ଭଙ୍ଗା ପ୍ରାସାଦରେ ବିନା ବିଦ୍ୟୁତ୍‌ ଏବଂ ବିନା ପାଣିରେ ରହୁଥିଲେ। ସେ ସମ୍ପୂର୍ଣ୍ଣ ଭାବେ ଏକ ନିଃସଙ୍ଗ ଜୀବନ ବିତାଉଥିଲେ। ଅଲି ରାଜା ମଧ୍ୟ ପ୍ରାସାଦ ବାହାରେ ଏକ ଧାତବ ଫଳକ ଟଙ୍ଗାଇଥିଲେ ଯେଉଁଥିରେ ଲେଖାଥିଲା- ପ୍ରବେଶ ନିଷେଧ, କୁକୁର ପ୍ରତି ସାବଧାନ ଏବଂ ପ୍ରାସାଦ ମଧ୍ୟକୁ ଯିଏ ପ୍ରବେଶ କରିବାକୁ ଚେଷ୍ଟା କରିବ ତାକୁ ଗୁଳି କରି ମାରି ଦିଆଯିବ। ଅବଧ ରାଜବଂଶର ଶେଷ ନବାବ୍‌ ଓ୍ଵାଜିଦ୍‌ ଅଲି ଶାହ ୧୮୫୬ରୁ ୯ ବର୍ଷ ପର୍ଯ୍ୟନ୍ତ ଅବଧକୁ ଶାସନ କରିଥିଲେ ଏବଂ ୧୮୮୭ରେ ତାଙ୍କର କୋଲକାତାରେ ପରଲୋକ ହୋଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe