Image Courtesy of India Today
ନୂଆଦିଲ୍ଲୀ: ଶନିବାର ଦିନ ମାଆଙ୍କୁ ୧୦୦ ବର୍ଷ ଚାଲିବା ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଲେଖିଥିବା ବ୍ଲଗ୍ରେ ଆବ୍ବାସ୍ ନାମରେ ଜଣେ ବାଲ୍ୟବନ୍ଧୁଙ୍କ କଥା ସ୍ମରଣ କରିଥିଲେ। ସେତେବେଳଠାରୁ ଆବ୍ବାସ୍ଙ୍କ ବିଷୟରେ ଜାଣିବାକୁ ଇଣ୍ଟର୍ନେଟ୍ ବ୍ୟବହାରକାରୀମାନେ ଉଚ୍ଛନ୍ନ ହେଉଥିବା ବେଳେ ତୁରନ୍ତ ପ୍ରଧାନମନ୍ତ୍ରୀଙ୍କ ଭାଇ ଆବ୍ବାସ୍ଙ୍କର ଗୋଟାଏ ଫଟୋକୁ ଚିହ୍ନଟ କରିଥିଲେ ଏବଂ ସେ ହିଁ ଆବ୍ବାସ୍ ବୋଲି ସୁନିଶ୍ଚିତ କରିଥିଲେ।
ଆଉ ଏ କଥା ମଧ୍ୟ ଜଣାଇଥିଲେ କି, ଆବ୍ବାସ୍ ସମ୍ପ୍ରତି ଅଷ୍ଟ୍ରେଲିଆରେ ବାସ କରୁଛନ୍ତି।
ପୂର୍ବରୁ ଆବ୍ବାସ୍ ଗୁଜରାଟରେ ଜଣେ ଦ୍ବିତୀୟ ଶ୍ରେଣୀ ସରକାରୀ କର୍ମଚାରୀ ଭାବେ ଚାକିରି କରୁଥିଲେ। ଅଳ୍ପ କିଛି ମାସ ତଳେ ସେ ରାଜ୍ୟ ‘ଖାଦ୍ୟ ଓ ଯୋଗାଣ ବିଭାଗ’ରୁ ଅବସର ଗ୍ରହଣ କରିଛନ୍ତି।
ଆବ୍ବାସ୍ଙ୍କର ୨ ପୁଅଙ୍କ ମଧ୍ୟରୁ ବଡ଼ପୁଅ ଗୁଜରାଟର ମେହସନା ଜିଲ୍ଲା ଅନ୍ତର୍ଗତ ଖେରାଲୁ ତହସିଲ୍ରେ ବାସ କରୁଥିବା ବେଳେ ସାନପୁଅ ଅଷ୍ଟ୍ରେଲିଆରେ ରହୁଛନ୍ତି। ଏବେ ଆବ୍ବାସ୍ ଭାଇ ସାନପୁଅ ପାଖକୁ ଯାଇ ସିଡ୍ନିରେ ରହୁଛନ୍ତି ବୋଲି ପ୍ରଧାନମନ୍ତ୍ରୀଙ୍କ ସାନଭାଇ କହିଛନ୍ତି।
Image Courtesy of India News Diaryବ୍ଲଗ୍ରେ ପ୍ରଧାନମନ୍ତ୍ରୀ ମୋଦୀ ଆପଣା ବାଲ୍ୟକାଳ କଥା ସ୍ମରଣ କରି କହିଥିଲେ ଯେ, ବଡ଼ନଗରରେ ସେ ରହୁଥିବା ଛୋଟ ମାଟିକାନ୍ଥ ଓ ଟାଇଲ୍ ଛପର ଘରଟି ଥିଲା ଦେଢ଼ ବଖୁରିଆ। ଚଳିବା ପାଇଁ ସେଥିରେ ବିଶେଷ କିଛି ସୁବିଧା ନ ଥିଲା।
ବାଲ୍ୟବନ୍ଧୁଙ୍କ କଥା କହିବାକୁ ଯାଇ ପ୍ରଧାନମନ୍ତ୍ରୀ ଲେଖିଥିଲେ, ଆମ ଘରଠାରୁ ଅନତି ଦୂରରେ ଥିବା ଗାଁରେ ମୋ ବାପାଙ୍କର ଅନ୍ତଗରଙ୍ଗ ବନ୍ଧୁ ବାସ କରୁଥିଲେ। ତାଙ୍କ ପୁଅ ହେଉଛି ଆବ୍ବାସ୍। ବନ୍ଧୁଙ୍କର ଅକାଳ ବିୟୋଗ ପରେ ଆମ ବାପା ଆବ୍ବାସ୍କୁ ଆମ ଘରକୁ ନେଇ ଆସିଥିଲେ।
ଆବ୍ବାସ୍ ଏକ ପ୍ରକାରେ, ଆମ ଘରେ ରହି ପଢ଼ାପଢ଼ି କଲା। ଆମ୍ଭମାନଙ୍କର ସେବାଯତ୍ନ କଲା ଭଳି ମାଆ ଆବ୍ବାସ୍ର ମଧ୍ୟ ଭଲମନ୍ଦ ବୁଝୁଥିଲେ। ଇଦ୍ ପର୍ବ ଅବସରରେ ମାଆ ଆବ୍ବାସ୍ର ମନଲାଖି ଭୋଜନ ମଧ୍ୟ ପ୍ରସ୍ତୁତି କରୁଥିଲେ।
Follow Us