ଇସ୍ରାଏଲ ବନ୍ଧକଙ୍କୁ ଦୁଷ୍କର୍ମ: ସାରା ବିଶ୍ବ ନିନ୍ଦା କରିବାକୁ ବାଇଡେନଙ୍କ ଆହ୍ବାନ

Advertisment
ଇସ୍ରାଏଲ ବନ୍ଧକଙ୍କୁ ଦୁଷ୍କର୍ମ: ସାରା ବିଶ୍ବ ନିନ୍ଦା କରିବାକୁ ବାଇଡେନଙ୍କ ଆହ୍ବାନ

Image Courtesy of Times Now

ୱାସିଂଟନ: ଅକ୍ଟୋବର ୭ରେ ଇସ୍ରାଏଲ ଉପରେ ହୋଇଥିବା ଆକ୍ରମଣ ପରେ ହମାସ ଆତଙ୍କବାଦୀମାନେ ଇସ୍ରାଏଲର ଅନେକ ନାବାଳିକା ଏବଂ ମହିଳାଙ୍କୁ ଅପହରଣ କରି ନେଇଥିଲେ। ଏବେ ସେମାନଙ୍କ ପ୍ରତି ହୋଇଥିବା ଦୁଷ୍କର୍ମ ଓ ଯୌନ ହିଂସା ଖବର ମିଳିବା ପରେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ଏହାର ଦୃଢ଼ ନିନ୍ଦା କରିବା ସହ ଏଭଳି ଆଚରଣକୁ ସାରା ବିଶ୍ବ ନିନ୍ଦା କରିବାକୁ ଆହ୍ୱାନ ଦେଇଛନ୍ତି।

ବୋଷ୍ଟନରେ ଏକ ପ୍ରଚାର କାର୍ଯ୍ୟକ୍ରମରେ ବାଇଡେନ୍ କହିଛନ୍ତି ଯେ, ଗତ କିଛି ସପ୍ତାହ ମଧ୍ୟରେ ବଞ୍ଚିଥିବା ମହିଳା ଏବଂ ଆକ୍ରମଣର ସାକ୍ଷୀମାନେ ଅକଳ୍ପନୀୟ ନିଷ୍ଠୁରତାର ଭୟାନକ ବିବରଣୀ ବଖାଣିଛନ୍ତି। ମହିଳାମାନେ ବାରମ୍ବାର ଦୁଷ୍କର୍ମର ଶିକାର ହେବା ଏବଂ ଜୀବିତ ଅବସ୍ଥାରେ ସେମାନଙ୍କ ଶରୀରକୁ ବିକୃତ କରାଯିବାର ଖବର ମିଳିଛି। ଇସ୍ରାଏଲ କହିଛି ଯେ, ହମାସର ଯୌନ ନିର୍ଯାତନା ଓ ଦୁଷ୍କର୍ମ ମାମଲାର ତଦନ୍ତ କରାଯାଉଛି।

ପ୍ରତ୍ୟକ୍ଷଦର୍ଶୀ ଏବଂ ଚିକିତ୍ସା ବିଶେଷଜ୍ଞମାନେ କହିଛନ୍ତି ଯେ ଅକ୍ଟୋବର ୭ ଆକ୍ରମଣରେ ପୀଡ଼ିତାଙ୍କୁ ହତ୍ୟା କରିବା ପୂର୍ବରୁ ହମାସ ଆତଙ୍କବାଦୀମାନେ ବାରମ୍ବାର ଦୁଷ୍କର୍ମ କରିଥିଲେ। ଇସ୍ରାଏଲ ଏହାର ତଦନ୍ତ କରୁଛି। ଫରେନସିକ୍ ପ୍ରମାଣ ମଧ୍ୟ ସଂଗ୍ରହ କରାଯାଉଛି। ଅକ୍ଟୋବର ୭ରେ ଇସ୍ରାଏଲ ମାଟିରେ ପ୍ରାୟ ୧୨୦୦ ଲୋକଙ୍କ ଜୀବନ ନେଇଥିବା ଏବଂ ଅନ୍ୟ ୨୪୦ ଜଣଙ୍କୁ ବନ୍ଧକ ରଖି ମହିଳାଙ୍କ ଉପରେ ହମାସ କରିଥିବା ଯୌନ ହିଂସା ଉପରେ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁଙ୍କ ସରକାର ଅଧିକ ଧ୍ୟାନ ଦେବାକୁ ଚେଷ୍ଟା କରୁଥିବା ବେଳେ ବାଇଡେନ ଉପରୋକ୍ତ ମନ୍ତବ୍ୟ ଦେଇଛନ୍ତି।

ନିକଟରେ ମୁକ୍ତ ହୋଇଥିବା କିଛି ବନ୍ଧକ ଗାଜାରେ ଥିବା ସମୟରେ ଯୌନ ହିଂସା ଏବଂ ନିର୍ଯାତନାର ସାକ୍ଷ୍ୟ ଦେଇଛନ୍ତି। ହମାସ ଆତଙ୍କବାଦୀମାନେ ଯୌନ ନିର୍ଯାତନା କରିଥିବା କଥାକୁ ଅସ୍ୱୀକାର କରିଛି। ନିକଟରେ ଜାତିସଂଘର ଏକ କାର୍ଯ୍ୟକ୍ରମରେ ଆମେରିକାର ପୂର୍ବତନ ବୈଦେଶିକ ସଚିବ ହିଲାରୀ କ୍ଲିଣ୍ଟନ ହମାସର ବର୍ବରତାର କଡ଼ା ନିନ୍ଦା କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe