ନୂଆଦିଲ୍ଲୀ: କଂଗ୍ରେସର ବ୍ୟାଙ୍କ୍ ଆକାଉଣ୍ଟ୍ ଫ୍ରିଜ୍ କରିବା ନେଇ ରାଜନୀତି ସରଗରମ ହେବାରେ ଲାଗିଛି। କୁହାଯାଉଛି କ୍ରାଉଡ଼ ଫଣ୍ଡିଂ ଦ୍ବାରା ଦଳ ଲୋକସଭା ନିର୍ବାଚନ ଲଢ଼ିବ। କଂଗ୍ରେସ ପକ୍ଷରୁ ମାର୍ଚ୍ଚ ୩୧ରେ ମଧ୍ୟପ୍ରଦେଶରେ ଏନେଇ ଏକ ଭୋଟ୍ ଏକ ନୋଟ୍ ଅଭିଯାନ ଆରମ୍ଭ କରିବାକୁ ଯାଉଛି। ଏହି ଅଭିଯାନ ମାଧ୍ୟମରେ ସାଧାରଣ ଜନତାଙ୍କ ଠାରୁ ପାଣ୍ଠି ସଂଗ୍ରହ କରାଯିବାର ପ୍ରୟାସ କରାଯିବ। ମଧ୍ୟ ପ୍ରଦେଶ କଂଗ୍ରେସ ସଭାପତି ଜିତୁ ପଟୱାରୀ ଏହି ଅଭିଯାନ ଆରମ୍ଭ କରିବେ।
କଂଗ୍ରେସ ନେତା ଦଳର ଆକାଉଣ୍ଟ୍ ଫ୍ରିଜ୍ କରିବା ପ୍ରସଙ୍ଗ ସମ୍ପର୍କରେ ଭୋଟରଙ୍କୁ ଅବଗତ କରାଇବ। କଂଗ୍ରେସ ଆଇଟି ବିଭାଗ ପକ୍ଷରୁ ଜାରି ହୋଇଥିବା ୧୮୨୩ କୋଟି ଟଙ୍କାର ନୋଟିସ୍କୁ ନିର୍ବାଚନୀ ପ୍ରସଙ୍ଗ କରିବ। ଭୋପାଳର ନ୍ୟୁ ମାର୍କେଟ ଠାରୁ ଏହି ଅଭିଯାନ ଆରମ୍ଭ କରାଯିବ।
ଘରଘର ବୁଲି କଂଗ୍ରେସ ନେତା ନିର୍ବାଚନ ଲଢ଼ିବା ପାଇଁ ଭୋଟରଙ୍କ ଠାରୁ ଟଙ୍କାଏ ଲେଖାଏଁ ସଂଗ୍ରହ କରିବା ସହିତ ସେମାନଙ୍କ ଭୋଟ ଭିକ୍ଷା ମଧ୍ୟ କରିବେ।
ସୂଚନାଯୋଗ୍ୟ, ଲୋକସଭା ନିର୍ବାଚନ ପୂର୍ବରୁ କଂଗ୍ରେସକୁ ଗୋଟିଏ ପରେ ଗୋଟିଏ ବଡ଼ ଝଟକା ଲାଗିବାରେ ଲାଗିଛି। ଗୋଟିଏ ପରେ ଦଳର ବହୁ ବରିଷ୍ଠ ନେତା ହାତ ଛାଡ଼ି ପଦ୍ମ ଧରିବାରେ ଲାଗିଛନ୍ତି। ଅପରପକ୍ଷରେ ଆଇଟି ବିଭାଗ ପକ୍ଷରୁ ଦଳ ବିରୋଧରେ ୧୮୨୩ କୋଟି ଟଙ୍କାର ହିସାବ ଦେବା ପାଇଁ ନୋଟିସ୍ ଜାରି କରାଯାଇ ଆକାଉଣ୍ଟ୍ ଫ୍ରିଜ୍ କରାଯାଇଛି। କଂଗ୍ରେସ ଏହାକୁ ନେଇ ଶାସକ ବିଜେପି ବିରୋଧରେ ମୋର୍ଚ୍ଚା ଖୋଲିଛି।
Follow Us