Image Courtesy of India Today
ନୂଆଦିଲ୍ଲୀ: ଶନିବାର ସନ୍ଧ୍ୟାରେ ଦିଲ୍ଲୀର ଜାହାଙ୍ଗୀରପୁରୀରେ ହୋଇଥିବା ସଂଘର୍ଷରେ ଗୁଳି ଚଳାଇଥିବା ବ୍ୟକ୍ତିଙ୍କ ସମେତ ୧୪ଜଣଙ୍କୁ ଗିରଫ କରାଯାଇଥିବା କଥା ଦିଲ୍ଲୀ ପୁଲିସ କହିଛି। ଗୁଳିକାଣ୍ଡରେ ବ୍ୟବହୃତ ପିସ୍ତଲଟିକୁ ମଧ୍ୟ ସମ୍ପୃକ୍ତ ବ୍ୟକ୍ତିଙ୍କ ଠାରୁ ଉଦ୍ଧାର କରାଯାଇଛି। ୨୦୨୦ ମଧ୍ୟ ଉକ୍ତ ବ୍ୟକ୍ତିଜଣକ ଅନ୍ୟ ଏକ ପୁଲିସ ମାମଲାରେ ସମ୍ପୃକ୍ତ ଥିଲା।
ସଂଘର୍ଷ ଯୋଜନାବଦ୍ଧ ଷଡ଼ଯନ୍ତ୍ର ନା, ବାଦବିବାଦ ପରେ ହଠାତ୍ ଆରମ୍ଭ ହୋଇଥିଲା, ତାହା ଜାଣିବା ଲାଗି ପୁଲିସ ଉଦ୍ୟମ ଚଳାଇଛି। ସଂଘର୍ଷସ୍ଥଳର ଅଳ୍ପ କେତେ ମିଟର୍ ଦୂରେ ଅବସ୍ଥିତ ‘ଜି’ ବ୍ଲକ୍ର ବାସିନ୍ଦାମାନେ କହିଛନ୍ତି ଯେ, ଯୋଜନାବଦ୍ଧ ଭାବେ ଆକ୍ରମଣ କରାଯାଇଥିଲା। ଟେକାପଥର, ଖଣ୍ଡା ଓ ଅନ୍ୟାନ୍ୟ ଅସ୍ତ୍ରଦ୍ବାରା ଆମକୁ ଆକ୍ରମଣ କରାଯାଇଥିଲା।
Image Courtesy of News On Airଆଜି ମଧ୍ୟ ହିଂସାକାଣ୍ଡ ଘଟିଥିବା ଅଞ୍ଚଳରେ କଡ଼ା ନିରାପତ୍ତା ବ୍ୟବସ୍ଥା ଗ୍ରହଣ କରାଯାଇଛି। ପ୍ରାପ୍ତ ସୂଚନା ଅନୁସାରେ, ଦିଲ୍ଲୀରେ ଆଇନଶୃଙ୍ଖଳା ବଜାୟ ରଖିବା ଲାଗି କେନ୍ଦ୍ର ଗୃହ ମନ୍ତ୍ରାଳୟ ଆଉ ୫ କମ୍ପାନି ‘କେନ୍ଦ୍ରୀୟ ରିଜର୍ଭ ପୁଲିସ ବଳ’ ମୁତୟନ କରିଛି। ସହରର ବିଭିନ୍ନ ପ୍ରାନ୍ତରେ ୫ ଶହ ଯବାନଙ୍କୁ ରଖାଯିବ। ନିରାପତ୍ତା ବଜାୟ ରଖାଯାଇଛି ବୋଲି ସୁନିଶ୍ଚିତ ହେବାକୁ ‘ସିଆର୍ପିଏଫ୍’ ଦିଲ୍ଲୀ ପୁଲିସକୁ ସହାୟତା କରିବ। ଶନିବାର ଦିନ ସେଠାରେ ଦୁଇ କମ୍ପାନି ‘ରାପିଡ୍ ଆକ୍ସନ୍ ଫୋର୍ସ’ ମୁତୟନ କରାଯାଇଛି।
ଆଜି ଦିଲ୍ଲୀ ‘ବିଜେପି’ର ସଭାପତି ଆଦେଶ ଗୁପ୍ତା ଏବଂ ଅନ୍ୟାନ୍ୟ ବରିଷ୍ଠ ନେତାଙ୍କ ସହିତ ଦିଲ୍ଲୀ ବିଧାନସଭାର ବିରୋଧୀ ଦଳ ନେତା ଶ୍ରୀରାମବୀର ସିଂହ ବିଧୁରି ଜାହାଙ୍ଗୀରପୁରୀ ଅନ୍ତର୍ଗତ ହିଂସାକାଣ୍ଡ ପ୍ରଭାବିତ ଅଞ୍ଚଳ ବୁଲି ପୀଡ଼ିତମାନଙ୍କ ସହ କଥାବାର୍ତ୍ତା କରି ପରିସ୍ଥିତି ସମୀକ୍ଷା କରିଛନ୍ତି।
Follow Us