Pic Courtesy: India Tv
ନୂଆଦିଲ୍ଲୀ : ତାମିଲ୍ ସୁପରଷ୍ଟାର ଧନୁଷ ଓ ପତ୍ନୀ ଐଶ୍ବର୍ଯ୍ୟା ରଜନୀକାନ୍ତଙ୍କ ମଧ୍ୟରେ ବିବାହ ବିଚ୍ଛେଦ ଘଟିଛି । ଦୀର୍ଘ ୧୮ ବର୍ଷ ବୈବାହିକ ଜୀବନ ବିତାଇବା ପରେ ଉଭୟ ପରସ୍ପରଠାରୁ ଅଲଗା ରହିବା ପାଇଁ ନିଷ୍ପତ୍ତି ନେଇଛନ୍ତି। ଏହି ଖବର ସାମ୍ନାକୁ ଆସିବା ପରେ ଦକ୍ଷିଣୀ ଚଳଚ୍ଚିତ୍ର ଜଗତରେ ଚର୍ଚ୍ଚା ସୃଷ୍ଟି କରିଛି। ସୋମବାର ରାତିରେ ଏ ସଂପର୍କରେ ସୋସିଆଲ ମିଡିଆରେ ପୋଷ୍ଟ କରି ଧନୁଷ ଏହି ସୂଚନା ଦେଇଛନ୍ତି। ଧନୁଷ-ଐଶ୍ବର୍ଯ୍ୟାଙ୍କର ଯାତ୍ରା (୧୫) ଏବଂ ଲିଙ୍ଗା (୧୧) ନାମରେ ଦୁଇ ପୁଅ ଅଛନ୍ତି।
ନିଜ ସୋସିଆଲ୍ ମିଡିଆ ପୋଷ୍ଟରେ ଧନୁଷ ଲେଖିଛନ୍ତି, ୧୮ ବର୍ଷ ଧରି ପରସ୍ପର ପରସ୍ପରର ବନ୍ଧୁ, ଦମ୍ପତି ଏବଂ ଶୁଭେଚ୍ଛୁ ଭାବେ ରହିଥିଲୁ। ଜୀବନ ଯାତ୍ରାରେ ବୁଝାମଣା ରଖିବା ସହିତ ପରସ୍ପର ସହ ଖାପ ଖୁଆଇ ଚଳିଥିଲୁ ଏବଂ ଆଗକୁ ବଢ଼ିଥିଲୁ। କିନ୍ତୁ ଆମେ ଏବେ ଏଭଳି ଏକ ସ୍ଥାନରେ ଛିଡ଼ା ହୋଇଛୁ ଯେଉଁଠି ଆମର ରାସ୍ତା ଏବେ ଭିନ୍ନ। ଐଶ୍ବର୍ଯ୍ୟା ଏବଂ ମୁଁ ଦମ୍ପତି ଭାବେ ଅଲଗା ରହିବାକୁ ନିଷ୍ପତ୍ତି ନେଇଛୁ। ପ୍ରଶଂସକମାନେ ଆମର ଏହି ନିଷ୍ପତ୍ତିକୁ ସମ୍ମାନ ଦେବେ ବୋଲି ଆଶା କରୁଛୁ ।
ଏଥିସହ ବିବାହ ବିଚ୍ଛେଦକୁ ସାମ୍ନା କରିବା ପାଇଁ ସେମାନେ ଆବଶ୍ୟକ କରୁଥିବା ବ୍ୟକ୍ତିଗତ ଗୋପନୀୟତା ମଧ୍ୟ ପ୍ରଶଂସକମାନେ ସେମାନଙ୍କୁ ଦେବେ ବୋଲି ଧନୁଷ କହିଛନ୍ତି। ସେହିଭଳି ଐଶ୍ବର୍ଯ୍ୟା ତାଙ୍କ ଇନଷ୍ଟାଗ୍ରାମରେ ପୋଷ୍ଟ କରି କହିଛନ୍ତି କୌଣସି କ୍ୟାପସନର ଆବଶ୍ୟକତା ନାହିଁ। କେବଳ ଆପଣଙ୍କ ଭଲପାଇବା ଏବଂ ବୁଝିପାରିବା ଆବଶ୍ୟକ।
ଉଲ୍ଲେଖଯୋଗ୍ୟ, ଧନୁଷ ପ୍ରଯୋଜକ କସ୍ତୁରି ରାଜାଙ୍କ ପୁଅ ହୋଇଥିବା ବେଳେ ଐଶ୍ବର୍ଯ୍ୟା ମେଗାଷ୍ଟାର ରଜନୀକାନ୍ତଙ୍କ ବଡ଼ଝିଅ। ଧନୁଷଙ୍କୁ ୨୧ ବର୍ଷ ଏବଂ ଐଶ୍ବର୍ଯ୍ୟାଙ୍କୁ ୨୩ ବର୍ଷ ହୋଇଥିବାବେଳେ ୨୦୦୪ରେ ସେମାନଙ୍କର ବିବାହ ହୋଇଥିଲା।
Follow Us