ଅଭିନେତା-ନିର୍ଦ୍ଦେଶକ ଅସରାନିଙ୍କ ପରଲୋକ

ଅଭିନେତା-ନିର୍ଦ୍ଦେଶକ ଗୋବର୍ଦ୍ଧନ ଅସରାନିଙ୍କର ସୋମବାର ପରଲୋକ ହୋଇଯାଇଛି। ତାଙ୍କୁ ୮୪ ବର୍ଷ ହୋଇଥିଲା। ଜୁହୁର ଆରୋଗ୍ୟନିଧି ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ଦେହାନ୍ତ....

Untitled-3

ମୁମ୍ବାଇ: ଅଭିନେତା-ନିର୍ଦ୍ଦେଶକ ଗୋବର୍ଦ୍ଧନ ଅସରାନିଙ୍କର ସୋମବାର ପରଲୋକ ହୋଇଯାଇଛି। ତାଙ୍କୁ ୮୪ ବର୍ଷ ହୋଇଥିଲା। ଜୁହୁର ଆରୋଗ୍ୟନିଧି ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ଦେହାନ୍ତ ହୋଇଥିବା ପରିବାର ସୂତ୍ରରୁ ଜଣାପଡ଼ିଛି। ତାଙ୍କ ପରିବାର ଇନ୍‌ଷ୍ଟାଗ୍ରାମ୍‌ରେ ଲେଖିଛନ୍ତି-‘ଆମ ସଭିଙ୍କର ପ୍ରିୟ ଅସରାନିଜୀ, ଯିଏ ସବୁରି ମୁହଁରେ ହସ ଫୁଟାଉଥିଲେ, ସେ ଆଉ ଆମ ଗହଣରେ ନାହାନ୍ତି। ତାଙ୍କର ଦେହାନ୍ତ ଉଭୟ ହିନ୍ଦୀ ସିନେମା ଓ ଆମ ପାଇଁ ଏକ ଅପୂରଣୀୟ କ୍ଷତି। ତାଙ୍କ ଅଭିନୟ ମାଧ୍ୟମରେ ସେ ଛାଡ଼ିଥିବା ଛାପ ଚିରଦିନ ଅଲିଭା ରହିବ। ଭଗବାନ ତାଙ୍କ ଆତ୍ମାକୁ ଶାନ୍ତି ଦିଅନ୍ତୁ।’

ଅସରାନି ୧୯୪୧ ମସିହା ଜାନୁଆରି ୧ ତାରିଖରେ ରାଜସ୍ଥାନର ଜୟପୁରରେ ଜନ୍ମଗ୍ରହଣ କରିଥିଲେ। ଶିକ୍ଷା ସମାପ୍ତ କରିବା ପରେ ସେ ଅଲ୍ ଇଣ୍ଡିଆ ରେଡିଓରେ ଜଣେ ସ୍ୱର କଳାକାର ଭାବରେ ନିଜର କ୍ୟାରିୟର ଆରମ୍ଭ କରିଥିଲେ। ସାହିତ୍ୟ ଏସ୍‌କେ ଠକ୍କରଙ୍କଠାରୁ ଅଭିନୟ ତାଲିମ ପାଇ ସେ ୧୯୬୨ ମସିହାରେ ମୁମ୍ବାଇ ଯାଇଥିଲେ। ସେଠାରେ ଚଳଚ୍ଚିତ୍ର ନିର୍ମାତା ହୃଷୀକେଶ ମୁଖାର୍ଜୀଙ୍କ ସହ ଏକ ଆକସ୍ମିକ ସାକ୍ଷାତ୍ ତାଙ୍କୁ ପୁଣେର ଫିଲ୍ମ ଆଣ୍ଡ ଟେଲିଭିଜନ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆ (ଏଫ୍‌ଟିଆଇଆଇ)ରେ ଯୋଗ ଦେବାର ସୁଯୋଗ ଦେଇଥିଲା, ଯେଉଁଠାରୁ ସେ ୧୯୬୬ ମସିହାରେ ସ୍ନାତକ ହାସଲ କରିଥିଲେ।
ତାଲିମ ପାଇବା ସତ୍ତ୍ୱେ ପ୍ରାରମ୍ଭିକ ସୁଯୋଗର ଅଭାବ ଥିଲା। ‘ହମ୍ କାହାଁ ଜା ରହେ ହେଁ’, ‘ହରେ କାଞ୍ଚ କି ଚୁଡ଼ିୟାଁ’, ‘ଉମଙ୍ଗ’ ଓ ‘ସତ୍ୟକାମ’ ଭଳି ଚଳଚ୍ଚିତ୍ରରେ ସଂକ୍ଷିପ୍ତ ଭୂମିକାରେ ଅଭିନୟ କରିବା ପରେ,

ଅସରାନି ମୁମ୍ବାଇରେ ଏକ ପରିଚୟ ସୃଷ୍ଟି କରିବା ପାଇଁ ସଂଘର୍ଷ କରିଥିଲେ। ସେ ଏଫ୍‌ଟିଆଇଆଇରେ ଶିକ୍ଷାଦାନ ଆରମ୍ଭ କରିଥିଲେ, ଯାହା ଅପ୍ରତ୍ୟାଶିତ ଭାବରେ ତାଙ୍କ ସଫଳତା ପାଇଁ ବାଟ ଖୋଲିଥିଲା। ଏଫ୍‌ଟିଆଇଆଇରେ ଅତିଥି ଅଧ୍ୟାପକ ଭାବରେ ଶିକ୍ଷାଦାନ କରୁଥିବା ହୃଷୀକେଶ ମୁଖାର୍ଜୀ ଗୁଲଜାରଙ୍କ ସୁପାରିସରେ ଅସରାନିଙ୍କ ନିକଟରେ ପହଞ୍ଚିଥିଲେ। ସେ ତାଙ୍କ ଫିଲ୍ମ ଗୁଡ୍ଡି (୧୯୭୧) ପାଇଁ ଜୟା ବଚ୍ଚନ (ତତ୍କାଳୀନ ଜୟା ଭାଦୁରୀ)ଙ୍କୁ ନେବାକୁ ଚାହୁଥିଲେ ଏବଂ ଅସରାନିଙ୍କୁ ମଧ୍ୟ ସୁଯୋଗ ଦେଇଥି‌ଲେ। ଏହି ଚଳଚ୍ଚିତ୍ରଟି ହିଟ୍ ହୋଇଥିଲା, ଯାହା ଉଭୟ ଅସରାନି ଓ ଜୟାଙ୍କୁ ଚର୍ଚ୍ଚାକୁ ଆଣିଥିଲା।

ଅସରାନି ଅନେକ ହିନ୍ଦୀ ଓ ଗୁଜରାଟୀ ଚଳଚ୍ଚିତ୍ରରେ ଅଭିନୟ କରିଥିଲେ, ଯେଉଁଥିରେ ବାୱର୍ଚି, ନମକ ହାରାମ, ଚୁପ୍‌କେ ଚୁପ୍‌କେ, ଅଭିମାନ, ଚଲା ମୁରାରୀ ହିରୋ ବନନେ, ପତିପତ୍ନୀ ଔର ୱହ, ପରିଚୟ, ଛୋଟି ସି ବାତ୍, ରଫୁ ଚକ୍କର, ଖୁନ୍‌ ପସିନା, ଆଲାପ, ଅହମଦାବାଦ ନୋ ରିକ୍ସାୱାଲୋ, ସାତ କଏଦୀ ଓ ସଂସାର ଇତ୍ୟାଦି ଅନ୍ତର୍ଭୁକ୍ତ। ତାଙ୍କର ସବୁଠାରୁ ଆଇକନିକ୍ ଭୂମିକା ହେଉଛି କ୍ଲାସିକ୍ ଶୋଲେରେ ଜେଲର୍‌ ଭୂମିକା। ଅସରାନି ଛଅଟି ଚଳଚ୍ଚିତ୍ରର ନିର୍ଦ୍ଦେଶନା ମଧ୍ୟ ଦେଇଥିଲେ।  

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe