ABPLive
କୋଲକାତା: ଭାରତୀୟ ଜନତା ପାର୍ଟି (ବିଜେପି)ରେ ଯୋଗଦେବାର କିଛି ଦିନ ପରେ ବଲିଉଡ ଅଭିନେତା ମିଥୁନ ଚକ୍ରବର୍ତ୍ତୀ କୋଲକାତାର ଭୋଟର ଭାବେ ତାଙ୍କର ନାମ ପଞ୍ଜୀକରଣ କରାଇଛନ୍ତି। ପୂର୍ବରୁ ମୁମ୍ବାଇର ଭୋଟର ଥିବା ଏହି ଅଭିନେତା ନିଜକୁ କାଶୀପୁର- ବେଲଗାଛିଆର ଭୋଟର ଭାବରେ ପଞ୍ଜୀକୃତ କରିଛନ୍ତି। ଭୋଟର ଭାବେ ନାମ ପଞ୍ଜୀକରଣ କରିବା ପରେ ଅଭିନେତା ମିଥୁନ୍ ବିଜେପି ପ୍ରାର୍ଥୀଭାବେ ନିର୍ବାଚନ ଲଢ଼ିବେ ବୋଲି ଆଲୋଚନା ଜୋର ଧରିଛି। କାରଣ ବିଜେପିରେ ଯୋଗ ଦେବାପରେ ମିଥୁନ ଚକ୍ରବର୍ତ୍ତୀ କହିଥିଲେ, ଯେ ଯଦି ଦଳ ଚାହିଁବ ତେବେ ସେ ନିର୍ବାଚନରେ ଲଢ଼ିବେ।
ପୂର୍ବରୁ ମୁମ୍ବାଇର ଭୋଟର ଥିବା ଏହି ଅଭିନେତା ନିଜକୁ କାଶୀପୁର- ବେଲଗାଛିଆର ଭୋଟର ଭାବରେ ପଞ୍ଜୀକୃତ କରାଇଥିବା ଗଣମାଧ୍ୟମକୁ କହିଛନ୍ତି ତାଙ୍କ ସଂପର୍କୀୟା ଶର୍ମିଷ୍ଠା ସରକାର। ସେ କହିଛନ୍ତି ଯେ ଅଭିନେତା ମିଥୁନ୍ ଚକ୍ରବର୍ତ୍ତୀ ମୋ ଘରର ଭୋଟର ଭାବେ ତାଙ୍କ ନାମ ପଞ୍ଜୀକରଣ କରାଇଛନ୍ତି। ସେ ଯେତେବେଳେ ବି କୌଣସି କାରଣରୁ କୋଲକାତା ଆସନ୍ତି, ସେତେବେଳେ ସେ ମୋ ଘରେ ରୁହନ୍ତି ବୋଲି ଅଭିନେତାଙ୍କ ସମ୍ପର୍କୀୟା ଶର୍ମିଷ୍ଠା ସରକାର ଗଣମାଧ୍ୟମକୁ କହିଛନ୍ତି।
ତେବେ ମିଥୁନ୍ ଚକ୍ରବର୍ତ୍ତୀ ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିବେ କି ନାହିଁ ସେ ସଂପର୍କରେ କିଛି କହି ନାହାନ୍ତି ଶର୍ମିଷ୍ଠା। ସେ କହିଛନ୍ତି, ଦାଦା ଜଣେ କିମ୍ବଦନ୍ତୀ ସୁପରଷ୍ଟାର। ସେ ଯେକୌଣସି ପଦବୀରେ ରହିଲେ ବି ସୁଚାରୁ ରୂପେ ଦାୟିତ୍ୱ ତୁଲାଇ ପାରିବେ।
Follow Us