PM attends the swearing-in ceremony of the President, Smt. Droupadi Murmu, at Central Hall of Parliament, in New Delhi on July 25, 2022.
ନୂଆଦିଲ୍ଲୀ : ସୋମବାର ଦିନ ରାଷ୍ଟ୍ରପତି ଭାବେ ଶପଥ ଗ୍ରହଣ କରିବା ପରେ ସଂସଦର ସେଣ୍ଟ୍ରାଲ୍ ହଲ୍ରେ ଦେଇଥିବା ଉଦ୍ବୋଧନରେ ଦ୍ରୌପଦୀ ମୁର୍ମୁ ଓଡ଼ିଶାର ସନ୍ଥକବି ଭୀମ ଭୋଇଙ୍କ କବିତାର କାଳଜୟୀ ପଙ୍କ୍ତି ‘ମୋ ଜୀବନ ପଛେ ନର୍କେ ପଡ଼ିଥାଉ ଜଗତ ଉଦ୍ଧାର ହେଉ’କୁ ଉଦ୍ଧାର କରିଥିଲେ। ସେ କହିଥିଲେ, ଜଗନ୍ନାଥ କ୍ଷେତ୍ରର ଜଣେ କବି ଏହି ପଙ୍କ୍ତିକୁ ଉଲ୍ଲେଖ କରିଥିଲେ ଯାହାର ଅର୍ଥ ହେଉଛି ସର୍ବୋଦୟ ସମଭାବ। ନିଜ ଜୀବନକୁ ଉତ୍ସର୍ଗ କରି ସମଗ୍ର ମାନବ ଜାତିର ସେବା ହିଁ ମଣିଷ ଜନ୍ମର ଉଦ୍ଦେଶ୍ୟ। ତେବେ ଓଡ଼ିଆରେ ଦ୍ରୌପଦୀ ମୁର୍ମୁ ଏହି ପଙ୍କ୍ତିକୁ କହିବା ବେଳେ ସେଣ୍ଟ୍ରାଲ୍ ହଲ୍ କରତାଳିରେ କମ୍ପି ଉଠିଥିଲା। ଉଲ୍ଲେଖଯୋଗ୍ୟ ଯେ ରାଷ୍ଟ୍ରପତି ମୁର୍ମୁ ହିନ୍ଦୀରେ ତାଙ୍କର ପ୍ରଥମ ଅଭିଭାଷଣ ପ୍ରଦାନ କରିବା ବେଳେ ଭୀମ ଭୋଇଙ୍କ କବିତାର ପ୍ରଖ୍ୟାତ ପଙ୍କ୍ତିକୁ ଓଡ଼ିଆରେ କହିଥିଲେ। ରାଷ୍ଟ୍ରପତିଙ୍କ ଅଭିଭାଷଣର କିଛି ଅଂଶକୁ ଉପରାଷ୍ଟ୍ରପତି ଏମ୍ ଭେଙ୍କୟା ନାଇଡୁ ଇଂରାଜୀ ଭାଷାରେ କହିବା ବେଳେ ମଧ୍ୟ ଭୀମ ଭୋଇଙ୍କର ଉକ୍ତ ପଙ୍କ୍ତିକୁ ଅବିକଳ ଓଡିଆରେ ପାଠ କରିଥିଲେ। ଏହାଛଡ଼ା ରାଷ୍ଟ୍ରପତି ଭାବେ ତାଙ୍କର ପ୍ରଥମ ଟୁଇଟ୍ରେ ଦ୍ରୌପଦୀ ମୁର୍ମୁ ଓଡ଼ିଶା ଜନଜାତିଙ୍କ ପାରମ୍ପରିକ ସ୍ବାଗତ ସମ୍ଭାଷଣ ଜୁହାର ଏବଂ ଭାରତୀୟ, ବିଶେଷକରି ଓଡ଼ିଆମାନଙ୍କର ସମ୍ମାନର ପରିଭାଷା ନମସ୍କାର ବୋଲି ଉଲ୍ଲେଖ କରିଛନ୍ତି।
/sambad/media/post_attachments/wp-content/uploads/2022/07/swearing-750x430.jpg)
ସାନ୍ତାଳୀ ଶାଢ଼ି ପିନ୍ଧି ଶପଥ ନେଲେ
ନୂଆଦିଲ୍ଲୀ: ରାଷ୍ଟ୍ରପତି ଭାବେ ଶପଥ ଗ୍ରହଣ କରିବା ସମୟରେ ଦ୍ରୌପଦୀ ପିନ୍ଧିଥିବା ଶାଢ଼ିକୁ ନେଇ ସବୁଆଡ଼େ ଚର୍ଚ୍ଚା। କୁହାଯାଉଛି ଯେ ଶପଥ ଗ୍ରହଣ ସମୟରେ ରାଷ୍ଟ୍ରପତି ମୁର୍ମୁ ପିନ୍ଧିଥିବା ସବୁଜ-ଲାଲ ଧଡ଼ିର ଧଳା ଶାଢ଼ି ହେଉଛି ପାରମ୍ପରିକ ସାନ୍ତାଳୀ ଶାଢ଼ି। ଏହା ସାନ୍ତାଳୀ ମହିଳାମାନଙ୍କର ବେଶ୍ ପସନ୍ଦର ଶାଢ଼ି। ସ୍ବତନ୍ତ୍ର ଉତ୍ସବମାନଙ୍କରେ ସାନ୍ତାଳୀ ମହିଳାମାନେ ଏହି ଶାଢ଼ି ପିନ୍ଧିଥାନ୍ତି। ତୁଳାରୁ ସ୍ବତନ୍ତ୍ରଭାବେ ସୁତା ପ୍ରସ୍ତୁତ କରାଯାଇଥାଏ। ଏହି ଶାଢ଼ିକୁ ବୁଣାକାରମାନେ ହାତରେ ବୁଣିଥାନ୍ତି। ଗାନ୍ଧିଜୀ ଚାହୁଥିଲେ
ଲୋକମାନେ ସ୍ବଦେଶୀ ବସ୍ତ୍ର ପରିଧାନ କରନ୍ତୁ ଯାହାଦ୍ବାରା ସ୍ଥାନୀୟ ଅଞ୍ଚଳର ଲୋକମାନେ ଉପାର୍ଜନ କରିପାରିବେ। ପାରମ୍ପରିକ ସାନ୍ତାଳୀ ଶାଢ଼ିର ଅନ୍ୟ ଏକ ବିଶେଷତ୍ବ ହେଉଛି ଏହାର ଆର୍ଟୱାର୍କ। ଏହା ଶାଢ଼ିକୁ ଆହୁରି ଆକର୍ଷଣୀୟ କରିଥାଏ। ସାନ୍ତାଳୀ ଶାଢ଼ି ଓଡ଼ିଶା, ଝାଡ଼ଖଣ୍ଡ, ପଶ୍ଚିମବଙ୍ଗ, ଆସାମ ସମେତ ଅନ୍ୟ ରାଜ୍ୟମାନଙ୍କରେ ପ୍ରଚଳନ ରହିଛି।
Follow Us