‘ଆଦିତ୍ୟ-ଏଲ୍‌୧’ର ଚତୁର୍ଥ କକ୍ଷପଥ ପ୍ରବେଶ ସଫଳ; ସେପ୍ଟେମ୍ବର ୧୯ରେ ଗନ୍ତବ୍ୟସ୍ଥଳ ଆଡ଼କୁ ଯାତ୍ରା ଆରମ୍ଭ

‘ଆଦିତ୍ୟ-ଏଲ୍‌୧’ର ଚତୁର୍ଥ କକ୍ଷପଥ ପ୍ରବେଶ ସଫଳ; ସେପ୍ଟେମ୍ବର ୧୯ରେ ଗନ୍ତବ୍ୟସ୍ଥଳ ଆଡ଼କୁ ଯାତ୍ରା ଆରମ୍ଭ

Image Courtesy of ISRO

ବେଙ୍ଗାଲୁରୁ: ଗୁରୁବାର ରାତି ୨.୧୫ରେ ‘ଆଦିତ୍ୟ-ଏଲ୍‌୧’ର ଚତୁର୍ଥ କକ୍ଷପଥ ପ୍ରବେଶ ସଫଳ ହୋଇଥିବା କଥା ‘ଇସ୍ରୋ’ ସୂଚନା ଦେଇଛି।

‘ଆଦିତ୍ୟ-ଏଲ୍‌୧’ ହେଉଛି ସୂର୍ଯ୍ୟ ଉପରେ ଅଧ୍ୟୟନ କରିବା ପାଇଁ ଭାରତର ପ୍ରଥମ ମହାକାଶଭିତ୍ତିକ ଅଭିଯାନ, ଯାହାକୁ ସେପ୍ଟେମ୍ବର ୨ ତାରିଖରେ ମହାକାଶକୁ ଉତ୍‌କ୍ଷେପଣ କରାଯାଇଥିଲା।

ଏ ବିଷୟରେ ‘ଏକ୍ସ’ କରି ‘ଇସ୍ରୋ’ ଲେଖିଛି: ଚତୁର୍ଥ ‘ଆର୍ଥ-ବାଉଣ୍ଡ୍‌ ମାନେଭର୍‌’ (ଇବିଏନ୍‌#୪) ସଫଳତାର ସହିତ ସମ୍ପନ୍ନ ହୋଇଛି। ଏହି ମହାକାଶଯାନ ବା ଉପଗ୍ରହର କକ୍ଷପଥ ପରିବର୍ତ୍ତନ ଅଭିଯାନକୁ ମରିସସ୍‌, ବେଙ୍ଗାଲୁରୁ, ‘ଏସ୍‌ଡିଏସ୍‌ସି-ଏସ୍‌ଏଚ୍‌ଏଆର୍‌’ ଓ ପୋର୍ଟବ୍ଲେୟାର୍‌’ରେ ଅବସ୍ଥିତ ‘ଇସ୍ରୋ’ର ‘ଗ୍ରାଉଣ୍ଡ୍‌ ଷ୍ଟେସନ୍‌’ମାନଙ୍କରୁ ଲକ୍ଷ୍ୟ ରଖାଯାଇଥିଲା।

publive-image Image Courtesy of APN News

‘ଆଦିତ୍ୟ-ଏଲ୍‌୧’ ପ୍ରବେଶ କରିଥିବା ଏହି ନୂତନ କକ୍ଷପଥ ପରିସୀମା ହେଉଛି ୨୫୬ କିଲୋମିଟର୍‌ x ୧୨୧୯୭୩ କିଲୋମିଟର୍‌। ପରବର୍ତ୍ତୀ କକ୍ଷପଥ ପରିବର୍ତ୍ତନ ‘ଟ୍ରାନ୍‌ସ୍‌-ଲାଗ୍ରାନ୍‌ଜିଆନ୍‌ ପଏଣ୍ଟ୍‌ ୧ ଇନ୍‌ସର୍‌ସନ୍‌’ (ଟିଏଲ୍‌୧ଆଇ) ସେପ୍ଟେମ୍ବର ୧୯ ତାରିଖ ରାତି ୨ଟା ବେଳେ କରାଯିବ। ଏଯାବତ୍‌ ପୃଥିବୀ ପରିକ୍ରମଣ କରୁଥିବା ଏହି ମହାକାଶଯାନ ଏହାପରେ ତା’ର ଗନ୍ତବ୍ୟସ୍ଥଳ ‘ଏଲ୍‌୧ ପଏଣ୍ଟ୍‌’ ଅଭିମୁଖେ ଯାତ୍ରା ଆରମ୍ଭ କରିବ।

ସ୍ମରଣଯୋଗ୍ୟ, ପୃଥିବୀଠାରୁ ପ୍ରାୟ ୧.୫ ନିୟୁତ କିଲୋମିଟର୍‌ ଦୂରରେ ଅବସ୍ଥିତ ‘ଏଲ୍‌୧ ପଏଣ୍ଟ୍‌’ରେ ସୂର୍ଯ୍ୟର ଆଭା ବା ‘କିରଣ ବଳୟ’ ଚତୁଃପାର୍ଶ୍ବରେ ପରିକ୍ରମଣ କରି ସୂର୍ଯ୍ୟକୁ ଅଧ୍ୟୟନ କରିବାରେ ‘ଆଦିତ୍ୟ-ଏଲ୍‌୧’ ହେଉଛି ଭାରତର ପ୍ରଥମ ମହାକାଶଭିତ୍ତିକ ଜ୍ୟୋର୍ତିବିଜ୍ଞାନୀୟ ଦୂରବୀକ୍ଷଣ ପ୍ରକୋଷ୍ଠ। ଏହି ସ୍ଥାନରେ ସୂର୍ଯ୍ୟ ଓ ପୃଥିବୀର ମାଧ୍ୟାକର୍ଷଣ ବଳ ନିଷ୍କ୍ରିୟ ଥାଏ।

ଏହାପୂର୍ବରୁ, ସେପ୍ଟେମ୍ବର ୩, ୫ ଓ ୧୦ ତାରିଖରେ ‘ଆଦିତ୍ୟ-ଏଲ୍‌୧’ ଯଥାକ୍ରମେ ୧ମ, ୨ୟ ଓ ୩ୟ କକ୍ଷପଥ ପରିବର୍ତ୍ତନ କରାଯାଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe