Image Courtesy of India Today
ନୂଆଦିଲ୍ଲୀ: ଜଣେ ପ୍ରାପ୍ତ ବୟସ୍କା ମହିଳା ନିଜ ଇଚ୍ଛା ଅନୁସାରେ ଅବାଧରେ ଯେକୌଣସି ସ୍ଥାନରେ ଏବଂ ଯେକୌଣସି ବ୍ୟକ୍ତିଙ୍କ ସହ ରହିପାରିବେ ବୋଲି ମଙ୍ଗଳବାର ଦିନ ଦିଲ୍ଲୀ ହାଇକୋର୍ଟ କହିଛନ୍ତି।
ଜଣେ ୨୦ ବର୍ଷୀୟ ମହିଳାଙ୍କୁ ତାଙ୍କ ସ୍ୱାମୀଙ୍କ ସହ ପୁନର୍ମିଳନ କରାଇବା ବେଳେ ବିଚାରପତି ବିପିନ ସଙ୍ଘାଇ ଏବଂ ରଜନୀଶ ଭଟ୍ଟନାଗରଙ୍କ ଖଣ୍ଡପୀଠ ଏହି ରାୟ ଦେଇଛନ୍ତି।
ସୁଲେଖା ନାମ୍ନା ଜଣେ ମହିଳାଙ୍କୁ ତାଙ୍କ ସ୍ୱାମୀ ବବ୍ଲୁଙ୍କ ସହ ରହିବାକୁ ଅନୁମତି ଦିଆଯାଉ ବୋଲି ଏକ ମାମଲାର ବିଚାର କରି ହାଇକୋର୍ଟ ଏହି ନିର୍ଦେଶ ଦେଇଛନ୍ତି। ସୁଲେଖା ନାବାଳିକା ଏବଂ ତାଙ୍କୁ ଅପହରଣ କରାଯାଇଛି ବୋଲି ତାଙ୍କ ପରିବାର କରିଥିବା ଅଭିଯୋଗକୁ ଅଦାଲତ ଏଡ଼ାଇ ଦେଇଛନ୍ତି।
Image Courtesy of Live Lawଭିଡିଓ କନ୍ଫରେନ୍ସିଙ୍ଗ୍ ଜରିଆରେ ସୁଲେଖାଙ୍କ ସହ ଆଲୋଚନା କରିବା ସହ ଘର ଛାଡ଼ିଲା ବେଳେ ସେ ସାବାଳିକା ଥିବା କଥା ଯାଞ୍ଚ କରିବା ପରେ ତାଙ୍କୁ ସୁରକ୍ଷା ମଧ୍ୟରେ ନେଇ ସ୍ୱାମୀ ବବଲୁଙ୍କ ଘରେ ଛାଡ଼ି ଦେବାକୁ ଅଦାଲତ ପୁଲିସକୁ ନିର୍ଦେଶ ଦେଇଛନ୍ତି।
ଏହା ବ୍ୟତିରେକେ, ଆଇନ୍କୁ ନିଜ ହାତକୁ ନ ନେବା ଏବଂ ପତିପତ୍ନୀଙ୍କୁ ଧମକ ନ ଦେବା ନିମନ୍ତେ ସୁଲେଖାଙ୍କ ପରିବାରବର୍ଗଙ୍କୁ ପରାମର୍ଶ ଦେବାକୁ ମଧ୍ୟ ଅଦାଲତ ପୁଲିସକୁ କହିଛନ୍ତି। ପତିପତ୍ନୀ ବାସ କରୁଥିବା ଅଞ୍ଚଳର ବିଟ୍ କନେଷ୍ଟବଳଙ୍କ ନମ୍ବର ମଧ୍ୟ ଉଭୟଙ୍କୁ ଦିଆଯାଉ ବୋଲି ଅଦାଲତ କହିଛନ୍ତି। ଆବଶ୍ୟକ ହେଲେ ସେମାନେ ପୁଲିସ ସହ ଯୋଗାଯୋଗ କରିବେ।
ସେପ୍ଟେମ୍ବର ୧୨ ତାରିଖରୁ ୨୦ ବର୍ଷୀୟ ସୁଲେଖା ନିଖୋଜ ହୋଇଯାଇଛନ୍ତି ବୋଲି ତାଙ୍କ ପରିବାରବର୍ଗ ‘ହେବିଅସ୍ କର୍ପସ୍’ ମାମଲା ରୁଜୁ କରିବା ପରେ ଦିଲ୍ଲୀ ହାଇକୋର୍ଟ ଏଭଳି ବିଚାର କରିଛନ୍ତି। ସୁଲେଖାଙ୍କୁ ତାଙ୍କ ପାରିବାରିକ ଘର ଛାଡ଼ିବାକୁ ମିଥ୍ୟା ପ୍ରରୋଚନା ଦିଆଯାଇଥିବା କଥା ମଧ୍ୟ ପରିବାର ଲୋକେ ଅଭିଯୋଗ କରିଥିଲେ।
Follow Us