ନୂଆଦିଲ୍ଲୀ: ଭାରତ ମଣ୍ଡପମରେ ଭାରତୀୟ ପାଣିପାଗ ବିଭାଗ (ଆଇଏମଡି)ର ୧୫୦ତମ ପ୍ରତିଷ୍ଠା ଦିବସରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଅଂଶଗ୍ରହଣ କରିଛନ୍ତି। ଉତ୍ସବରେ ଉଦବୋଧନ ଦେଇ ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଯେ, ସମ୍ପୃକ୍ତ ବିଭାଗର ଦେଢ ଶହତମ ଯାତ୍ରା କେବଳ ବିଭାଗର ସଫଳ ଯାତ୍ରାକୁ ବଖାଣୁନାହିଁ ବରଂ ଏହା ଭାରତୀୟ ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟାର ସଫଳ ଗାଥା ପ୍ରକାଶ କରୁଛି। ଏତେ ଦିନ ଭିତରେ ଆଇଏମଡି ଲକ୍ଷ ଲକ୍ଷ ଭାରତୀୟଙ୍କ ସେବା କରିଆସିଛି ଓ ଏହା ବିଜ୍ଞାନର ଅଗ୍ରଗତିର ଏକ ପ୍ରତୀକ। ଆଇଏମଡିର ସଫଳତା ପାଇଁ ଏହି ଅବସରରେ ଏକ କଏନ ଓ ପୋଷ୍ଟାଲ ଷ୍ଟାମ୍ପ ଉନ୍ମୋଚିତ ହୋଇଥିବା ପ୍ରଧାନମନ୍ତ୍ରୀ କହିଛନ୍ତି। ୨୦୪୭ରେ ଭାରତର ଶହେତମ ବର୍ଷ ପୂର୍ତି ଉପଲକ୍ଷେ ଆଇଏମଡିର ଭବିଷ୍ୟତ ରୂପରେଖ ସମ୍ପର୍କରେ ପ୍ରଧାନମନ୍ତ୍ରୀ ସୂଚନା ଦେଇଥିଲେ । ଏହି ଅବସରରେ ସାରା ଦେଶର ନାଗରିକଙ୍କୁ ପ୍ରଧାନମନ୍ତ୍ରୀ ଅଭିବାଦନ ଜଣାଇଥିଲେ।
ଏହି ଖବର ପଢ଼ନ୍ତୁ: ‘ଆଟ୍ ହୋମ୍’ରେ ସାମିଲ ହେବେ ସୁଦର୍ଶନ, ନିମନ୍ତ୍ରଣ ପଠାଇଲେ ରାଷ୍ଟ୍ରପତି
ନିଜର ଦେଢ ଶହ ବର୍ଷର ଯାତ୍ରା ଲାଗି ଆଇଏମଡି ପକ୍ଷରୁ ଯୁବକମାନଙ୍କ ଲାଗି ଜାତୀୟ ପାଣିପାଗ ଅଲିମ୍ପିୟାଡର ଆୟୋଜନ କରାଯାଇଛି। ହଜାର ହଜାର ଛାତ୍ର ଏଥିରେ ଭାଗ ନେଇ ପାଣିପାଗ ବିଜ୍ଞାନ କ୍ଷେତ୍ରରେ ଅଧିକ ମନୋନିବେଶ କରିପାରିବେ ବୋଲି ମୋଦୀ କହିଛନ୍ତି। ଉତ୍ସବ ସ୍ଥଳୀରେ ଯୋଗ ଦେଇଥିବା ଛାତ୍ରଛାତ୍ରୀଙ୍କ ସହ ପ୍ରଧାନମନ୍ତ୍ରୀ କଥା ହୋଇଥିଲେ। କାର୍ଯ୍ୟକ୍ରମରେ ଭାଗ ନେଇଥିବା ଯୁବକମାନଙ୍କୁ ସେ ସାଧୁବାଦ ଜଣାଇଥିଲେ।
ଏହି ଖବର ପଢ଼ନ୍ତୁ: ୬୫ ହଜାର କୋଟି ଟଙ୍କା ବ୍ୟୟରେ କେନ୍ଦୁଝରରେ ନିର୍ମାଣ ହେବ ଷ୍ଟିଲ୍ ପ୍ଲାଣ୍ଟ!
ମକର ସଂକ୍ରାନ୍ତି ପାଖାପାଖି ୧୫ ଜାନୁଆରି ୧୮୫୭ ମସିହାରେ ଭାରତୀୟ ପାଣିପାଗ ବିଭାଗ ସ୍ଥାପିତ ହୋଇଥିଲା। ତେବେ ଆମେ ସମସ୍ତେ ମକର ସଂକ୍ରାନ୍ତିର ଗୁରୁତ୍ୱ ସମ୍ପର୍କରେ ଊଣା ଅଧିକେ ଅବଗତ ଅଛୁ ବୋଲି ମୋଦୀ କହିଥିଲେ। ଗୁଜରାଟରୁ ଆସିଥିବା କାରଣରୁ ଏହି ମକର ସଂକ୍ରାନ୍ତି ତାଙ୍କର ପ୍ରିୟ ପର୍ବ ବୋଲି ମୋଦୀ କହିଥିଲେ। ଏହି ସଂକ୍ରାନ୍ତିରେ କାପ୍ରିକନ ସୂର୍ଯ୍ୟ ମକର ରାଶିକୁ ପ୍ରବେଶ କରି ତାଙ୍କର ଉତରାୟନ ହୋଇଥାଏ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ। ଉତ୍ତର ଗୋଲାର୍ଦ୍ଧରେ ସୂର୍ଯ୍ୟଙ୍କ ତେଜ ବୃଦ୍ଧି କାରଣରୁ କୃଷି କାର୍ଯ୍ୟ ପାଇଁ ସଜବାଜ ଆରମ୍ଭ ହୁଏ। ସାରା ଦେଶରେ ବିଭିନ୍ନ ପ୍ରକାରର ସାଂସ୍କୃତିକ କାର୍ଯ୍ୟକ୍ରମ ମାଧ୍ୟମରେ ମକର ସଂକ୍ରାନ୍ତି ପାଳନ କରାଯାଇଥାଏ। ଏହି ଅବସରରେ ପ୍ରଧାନମନ୍ତ୍ରୀ ଦେଶର ନାଗରିକମାନଙ୍କୁ ନିଜର ଶୁଭେଚ୍ଛା ଜ୍ଞାପନ କରିଛନ୍ତି।
ଏହି ଖବର ପଢ଼ନ୍ତୁ: ସହଦେବ ନାୟକ ହତ୍ୟା: ଡିଏନ୍ଏ ପରୀକ୍ଷା ପାଇଁ ଗଲା ରକ୍ତଭିଜା ପୋଷାକ
ଦେଶର ବିଜ୍ଞାନ ଭିତିକ ପ୍ରତିଷ୍ଠାନଗୁଡିକର ଅଗ୍ରଗତି ଏହାର ବିଜ୍ଞାନ ପ୍ରତି ରହିଥିବା ସଚେତନତାକୁ ସୂଚାଇଥାଏ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ନବ ଭାରତ ପାଇଁ ବିଜ୍ଞାନ ପ୍ରତିଷ୍ଠାନଗୁଡିକରେ ହେଉଥିବା ଗବେଷଣା ଓ ଆବିଷ୍କାର ଖୁବ ଯୁଗପୋଯୋଗୀ ବୋଲି ମୋଦୀ କହିଛନ୍ତି। ଗତ କିଛି ଦଶନ୍ଧି ଭିତରେ ଆଇଏମଡିର ଭିତିଭୂମି ଓ ପ୍ରଯୁକ୍ତି ବିଦ୍ୟାରେ ଆଖିଦୃଶିଆ ଅଗ୍ରଗତି ହୋଇଛି। ପରିମାର୍ଜିତ ଡପ୍ଲଲର ପାଣିପାଗ ରାଡାର, ସ୍ୱୟଂ ଚାଳିତ ପାଣିପାଗ ଷ୍ଟେସନ, ରନବେ ପାଣିପାଗ ନୀରିକ୍ଷଣ ଷ୍ଟେସନ, ଜିଲ୍ଲା ଭିତିକ ବୃଷ୍ଟିପାତ ନୀରିକ୍ଷଣ ଷ୍ଟେସନର ଅଭିବୃଦ୍ଧି ସମ୍ପୃକ୍ତ ବିଭାଗକୁ ସମୃଦ୍ଧ କରିଛି ବୋଲି ମୋଦୀ କହିଛନ୍ତି। ମହାକାଶ ଓ ପ୍ରଯୁକ୍ତି ବିଦ୍ୟା ଦ୍ୱାରା ପାଣିପାଗ ବିଭାଗକୁ ବିଶେଷ ସଫଳତା ମିଳିଥିବା ପ୍ରଧାନମନ୍ତ୍ରୀ କହିଛନ୍ତି। ଆଂଟର୍କାଟିକାରେ ମୈତ୍ରୀ ଓ ଭାରତୀ ନାଁରେ ଦୁଇଟି ପାଣିପାଗ ନୀରିକ୍ଷଣ କେନ୍ଦ୍ର ରହିଛି। ଗତବର୍ଷ ଆର୍କ ଓ ଅରୁଣିକାର ପ୍ରବେଶ ଘଟିଛି। ଭାରତର ମିସନ ମୌସମ ଆରମ୍ଭ ହେବା ପରେ ଆମେ ଏକ କ୍ଲାଇମେଟ ସ୍ମାର୍ଟ ନେସନ ଭାବରେ ବିବେଚିତ ହୋଇଛୁ ବୋଲି ମୋଦୀ କହିଛନ୍ତି।
ପ୍ରାକୃତିକ ବିପର୍ଯ୍ୟୟ ମୁକାବିଲା କ୍ଷେତ୍ରରେ ପାଣିପାଗ ବିଭାଗର ଗୁରୁତ୍ୱପୂର୍ଣ୍ଣ ଯୋଗଦାନ ରହିଛି। ତେବେ ଆଗକୁ ଏପରି ବିପର୍ଯ୍ୟୟର ପ୍ରଭାବ ମାତ୍ରା କମାଇବା ଲାଗି ପାଣିପାଗ ବିଭାଗର ଦକ୍ଷତା ବୃଦ୍ଧି ହେବା ଉପରେ ପ୍ରଧାନମନ୍ତ୍ରୀ ଗୁରୁତ୍ୱ ଦେଇଛନ୍ତି। ଆଗରୁ ଅନତିକ୍ରମ୍ୟ ବୋଲି ବିବେଚିତ ହେଉଥିବା ଏଭଳି ବିପର୍ଯ୍ୟୟ ମୁକାବିଲା କରିବା କ୍ଷେତ୍ରରେ ଆମ ଦେଶ ଏବେ ସକ୍ଷମ ହୋଇପାରିଛି।
୧୯୯୮ର କୁଚ କାଣ୍ଡଲା ଝଡ, ୧୯୯୯ର ଓଡିଶା ମହାବାତ୍ୟାରେ ହଜାର ହଜାର ଲୋକ ମୃତ୍ୟୁମୁଖରେ ପଡିବା କଥାକୁ ମନେ ପାଇଥିଲେ ପ୍ରଧାନମନ୍ତ୍ରୀ। ଏହି କିଛି ବର୍ଷ ଭିତରେ ଘଟିଥିବା ଅନେକ ଛୋଟ ବଡ ଝଡରେ ଯେତେଦୂର ସମ୍ଭବ ପ୍ରାଣହାନି ରୋକିବା ଦିଗରେ ସଫଳତା ମିଳିଥିବା କଥା ପ୍ରଧାନମନ୍ତ୍ରୀ କହିଛନ୍ତି। ଏସବୁ ପଛରେ ଭାରତୀୟ ପାଣିପାଗ ବିଭାଗର ପ୍ରଚ୍ଛନ୍ନ ହାତ ରହିଛି ବୋଲି ମୋଦୀ କହିଛନ୍ତି। ବିଜ୍ଞାନ ଓ ସତର୍କତାମୂଳକ ପଦକ୍ଷେପ ଯୋଗୁଁ କୋଟି କୋଟି ଟଙ୍କାର ସମ୍ପତି କ୍ଷତିରୁ ବି ରକ୍ଷା କରି ହେଇଛି ବୋଲି ସେ ଉଲ୍ଲେଖ କରିଥିଲେ।
ଏହି ଖବର ପଢ଼ନ୍ତୁ: ଏଥର ବିନା ଆଇଟମ୍, ଅଶ୍ଲୀଳ ନୃତ୍ୟରେ ଜମିବ ଖଣ୍ଡଗିରି ଯାତ୍ରା ମେଳା
ଭାରତକୁ ଏକ କ୍ଲାଇମେଟ ସ୍ମାର୍ଟ ନେସନ ଭାବେ ଗଢି ତୋଳିବା ପାଇଁ ମିଶନ ମୌସମ ଅଭିଯାନ ଆରମ୍ଭ କରାଯାଇଛି ବୋଲି ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି। ପାଣିପାଗ ନୀରିକ୍ଷଣ ଜ୍ଞାନ କୌଶଳ, ହାଇ ରିସଉଲେସନ ପରିବେଶ ଅନୁଧ୍ୟାନ, ନେକ୍ସଟ ଜେନେରେସନ ରାଡାର ଓ ସ୍ୟାଟେଲାଇଟ ବୃଦ୍ଧି, ହାଇ ଫର୍ମରମାନ୍ସ କମ୍ୟୁଟର ବୃଦ୍ଧି ଏହି ଅଭିଯାନର ଲକ୍ଷ୍ୟ ରହିଥିବା ପ୍ରଧାନମନ୍ତ୍ରୀ ମୋଦୀ ସୂଚନା ଦେଇଛନ୍ତି। ଆଇଏମଡି ଭିଜନ - ୨୦୪୭ ଡକ୍ୟୁମେଂଟକୁ ଏହି ଅବସରରେ ପ୍ରଧାନମନ୍ତ୍ରୀ ଉନ୍ମୋଚନ କରିଛନ୍ତି। ପାଣିପାଗ ପୂର୍ବାନୁମାନ, ପରିଚାଳନା, ଜଳବାୟୁ ପରିବର୍ତନ ପରି ବିଭିନ୍ନ କ୍ଷେତ୍ରରେ ଏହା କାମ କରିବ ବୋଲି କୁହାଯାଇଛି। ଆଇଏମଡିର ଦେଢ ଶହ ବର୍ଷ ପୂର୍ତି ଉପଲକ୍ଷେ ବିଭିନ୍ନ ପ୍ରକାର କାର୍ଯ୍ୟକ୍ରମ ଓ କର୍ମଶାଳାର ଆୟୋଜନ କରାଯାଇଛି। ଏପରି କାର୍ଯ୍ୟକ୍ରମ ମାଧ୍ୟମରେ ପାଣିପାଗ ତଥା ଜଳବାୟୁ ସମ୍ପର୍କରେ ସୂଚନା ତଥା ସେବା ଯୋଗାଇବା ପାଇଁ ବିଭିନ୍ନ ସରକାରୀ ପ୍ରତିଷ୍ଠାନର ଉଲ୍ଲେଖନୀୟ ଭୂମିକା ରହିଥିବା କୁହାଯାଇଛି।