ଉଜବେକିସ୍ତାନ ଶିବିରରେ ଥିବା ଆଫଗାନ ପାଇଲଟମାନଙ୍କ ଫେରିବାକୁ ଭୟ: ‘ତାଲିବାନମାନେ ଆମକୁ ମାରିଦେବେ’

ଉଜବେକିସ୍ତାନ ଶିବିରରେ ଥିବା ଆଫଗାନ ପାଇଲଟମାନଙ୍କ ଫେରିବାକୁ ଭୟ: ‘ତାଲିବାନମାନେ ଆମକୁ ମାରିଦେବେ’

Hindustan Times

କାବୁଲ: ଆମେରିକା ଦ୍ବାରା ତାଲିମପ୍ରାପ୍ତ ଆଫଗାନ ପାଇଲଟମାନେ ଉଜବେକିସ୍ତାନରେ ଅଟକ ଅଛନ୍ତି। ସେମାନଙ୍କୁ ତାଲିବାନ-ଶାସିତ ଅଫଗାନିସ୍ତାନକୁ ପଠାଇଦିଆଯିବ ବୋଲି ସେମାନେ ଆଶଙ୍କା କରୁଛନ୍ତି। ‘ତୁମେମାନେ ଏଠି ସବୁଦିନ ପାଇଁ ରହିପାରିବ ନାହିଁ’ ବୋଲି ଉଜବେକିସ୍ତାନର ରକ୍ଷୀ ତାଙ୍କୁ କହିବା ପରେ ସେମାନେ ପୂରା ଆତଙ୍କିତ ହୋଇପଡ଼ିଛନ୍ତି କାରଣ ଆଫଗାନିସ୍ତାନରେ ସେମାନଙ୍କ ଜୀବନ ସୁରକ୍ଷିତ ନୁହେଁ।

ଏହି ଶିବିର ଆଫଗାନିସ୍ତାନର ଉତ୍ତର ସୀମାନ୍ତ ନିକଟରେ ଅବସ୍ଥିତ। ତାଲିବାନମାନେ କାବୁଲ ଦଖଲ କରିନେବା ପରେ ଏମାନେ ସୀମା ପରି ହୋଇ ଏଠାରେ ଆଶ୍ରୟ ନେଇଛନ୍ତି। ଆମେରିକା ସେମାନଙ୍କୁ ଉଦ୍ଧାର କରିବ ବୋଲି ପ୍ରାୟ ୩ ସପ୍ତାହ ହେଲା ଆଶା କରି ମଧ୍ୟ ସେମାନେ ନିରାଶ ହୋଇଛନ୍ତି। ଏବେ ଯଦି ନିଜ ଦେଶକୁ ଫେରାଇ ଦିଆଯାଏ, ତେବେ ତାଲିବାନମାନେ ନିଶ୍ଚୟ ସେମାନଙ୍କୁ ହତ୍ୟା କରିବେ ବୋଲି ନିଜ ନାମ ପ୍ରକାଶ ନ କରି ଜଣେ ପାଇଲଟ କହିଛନ୍ତି। ଏହି ଶିବିରରେ ତାଙ୍କୁ ବନ୍ଦୀ ହୋଇ ରହିଲା ପରି ଲାଗୁଛି। ଖାଦ୍ୟ, ପାନୀୟ ଓ ଔଷଧ ବି ଠିକ୍ ଭାବେ ଦିଆଯାଉ ନ ଥିବା ସେ ଅଭିଯୋଗ କରିଛନ୍ତି।

ଉକ୍ତ ପାଇଲଟମାନଙ୍କ ସମେତ ସେଠାରେ ରହିଥିବା ଆଫଗାନମାନଙ୍କ ସଂଖ୍ୟା ୪୬୫। ସେମାନଙ୍କ ମଧ୍ୟରେ ଅନେକ ତାଲିମପ୍ରାପ୍ତ କୁଶଳୀ ବ୍ୟକ୍ତି ରହିଛନ୍ତି। ଏମାନଙ୍କୁ ତାଲିବାନଙ୍କ ହାତରେ ସମର୍ପି ଦେବା ପାଇଁ ଉଜବେକିସ୍ତାନ ସରକାର ଉପରେ ତାଲିବାନମାନେ ଚାପ ପକାଇପାରନ୍ତି ବୋଲି ଆଶଙ୍କା କରାଯାଉଛି। ଜନୈକ ଆମେରିକୀୟ ସିନେଟର ଜ୍ୟାକ୍ ରିଡ୍ କହିଛନ୍ତି ଯେ, ଏହି ଆଫଗାନ ପାଇଲଟ୍ ଓ ଅନ୍ୟମାନଙ୍କ ପାଇଁ ସେ ଅତ୍ୟନ୍ତ ଚିନ୍ତିତ। ଏମାନଙ୍କ ପାଖରେ ବୈଷୟିକ ଜ୍ଞାନ ଅଛି, ଯାହା ସେମାନେ ଆମେରିକା ପାଖରୁ ପାଇଛନ୍ତି। ତେଣୁ ସେମାନେ ଯେପରି ତାଲିବାନମାନଙ୍କ କବ୍‌ଜାକୁ ଚାଲି ନ ଯାନ୍ତି ସେ ଦିଗରେ ଦୃଷ୍ଟି ଦିଆଯିବା ଦରକାର।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe