Image Courtesy of DefenceXP
ନୂଆଦିଲ୍ଲୀ: ତାଲିବାନ୍ ନିୟନ୍ତ୍ରଣାଧୀନ ହେବା ପର ଠାରୁ ବୈଶ୍ବିକ ସହାୟତା ବନ୍ଦ ଏବଂ ବ୍ୟାଙ୍କ୍ ଆକାଉଣ୍ଟ୍ରୁ ଟଙ୍କା ଉଠାଣ ପାଇଁ ଦୈନିକ ପରିମାଣ ଧାର୍ଯ୍ୟ କରାଯିବା କାରଣରୁ ଆଫଗାନିସ୍ତାନରେ ଅର୍ଥାଭାବ ଦେଖାଦେଇଛି। କେତେ ମାସ ହେବ ଅଧିକାଂଶ ତାଲିବାନ୍ ଯୋଦ୍ଧା ଅର୍ଥ ପାଇ ନ ଥିବା କଥା ମଧ୍ୟ ‘ନ୍ୟୁୟର୍କ ପୋଷ୍ଟ୍’ ରିପୋର୍ଟରେ ଦାବି କରାଯାଇଛି।
ଆନୁଷ୍ଠାନିକ ଭାବେ ‘ଇସ୍ଲାମିକ୍ ଏମିରେଟ୍ସ୍ ଅଫ୍ ଆଫଗାନିସ୍ତାନ୍’ ବୋଲାଉଥିବା ତାଲିବାନ୍ ଶାସନକୁ ସ୍ବୀକୃତି ଦେବା ଲାଗି ଅଧିକାଂଶ ରାଷ୍ଟ୍ର ଅନାଗ୍ରହୀ। ତେଣୁ, ଆଫଗାନିସ୍ତାନକୁ ବାହାରୁ କୌଣସି ଅର୍ଥ ଯାଉନାହିଁ।
ତାଲିବାନ୍ ନିୟନ୍ତ୍ରଣ କରିବା ପରେ ବୈଦେଶିକ ସହାୟତା ‘ଫ୍ରିଜ୍’ କରାଯାଇଛି। ‘ଇଣ୍ଟର୍ନାଲ୍ ମନିଟାରି ଫଣ୍ଡ୍’ ଏବଂ ‘ବିଶ୍ବ ବ୍ୟାଙ୍କ୍’ ଋଣ ସ୍ଥଗିତ ରଖିଛନ୍ତି। ଦେଶର କେନ୍ଦ୍ରୀୟ ବ୍ୟାଙ୍କ୍ରେ ମଧ୍ୟ ଯୁକ୍ତରାଷ୍ଟ୍ର ଆମେରିକା ୯.୪ ବିଲିୟନ୍ ଡଲାର୍ ‘ରିଜର୍ଭ’ ଅଟକାଇ ଦେଇଛି। ତାଲିବାନ୍ ସମ୍ବଳ ସବୁକୁ ଅବରୋଧ କରିବା ଲାଗି ମଧ୍ୟ ‘ଦି ଫାଇନାନ୍ସିଆଲ୍ ଆକ୍ସନ୍ ଟାସ୍କ୍ ଫୋର୍ସ’ (ଏଫ୍ଏଟିଏଫ୍) ୩୯ ସଦସ୍ୟବିଶିଷ୍ଟ ରାଷ୍ଟ୍ରମାନଙ୍କୁ କହିଛି।
Image Courtesy of USNews.comଏଭଳି ଅବସ୍ଥାରେ ଆଫଗାନିସ୍ତାନର ଅର୍ଥନୀତି ଭାଙ୍ଗିରୁଜି ଯାଉଛି ଏବଂ ଦ୍ରୁତ ବଗେରେ ମୂଲ୍ୟ ବୃଦ୍ଧି ପାଉଛି। ଏ ସପ୍ତାହରେ ଜାତିସଂଘ ସତର୍କ କରାଇ ଦେଇଛି କି, ଖୁବ୍ ଶୀଘ୍ର ଆଫଗାନିସ୍ତାନ ଜନସଂଖ୍ୟାର ୯୭% ଦାରିଦ୍ର୍ୟ ସୀମାରେଖା ତଳକୁ ଚାଲିଯାଇ ପାରନ୍ତି। ତାଲିବାନ୍ ନିୟନ୍ତ୍ରଣାଧୀନ ହେବା ପୂର୍ବରୁ ତାହା ୭୨% ଥିଲା।
‘ଦି ନ୍ୟୁୟର୍କ ପୋଷ୍ଟ୍’ ମଧ୍ୟ ରିପୋର୍ଟ କରିଛି ଯେ, ପ୍ରମୁଖ ସହର ବାହାରେ ଗୁଡ଼ାଏ ତାଲିବାନ ଯୋଦ୍ଧା ସ୍ବଳ୍ପ ଖାଇ ବଞ୍ଚିଛନ୍ତି ଏବଂ ଟ୍ରକ୍ କିଂବା ଅନ୍ୟ ଯେଉଁଠି ଆଶ୍ରୟ ମିଳିଲା ସେଠାରେ ଶୋଉଛନ୍ତି। ତାଲିବ୍ମାନଙ୍କୁ ଆଞ୍ଚଳିକ ସମ୍ପ୍ରଦାୟ ସଦସ୍ୟ ଖାଦ୍ୟ ଓ ଅନ୍ୟାନ୍ୟ ସାମଗ୍ରୀ ଯୋଗାଉଛନ୍ତି।
‘ଆରିଆନା ନିଉଜ୍’ ରିପୋର୍ଟ ଅନୁସାରେ, ‘ଇସ୍ଲାମିକ୍ ଏମିରେଟ୍’ ଉପରୁ ସମସ୍ତ କଟକଣା ଉଠାଇ ଦେବା ଲାଗି ଗତକାଲି କାବୁଲ୍ରେ ଏକ ସାମ୍ବାଦିକ ସମ୍ମିଳନୀରେ ଆଫଗାନିସ୍ତାନର କାର୍ଯ୍ୟନିର୍ବାହୀ ବୈଦେଶିକ ମନ୍ତ୍ରୀ ମଅଲାୱି ଅମିର ଖାଁ ମୁତ୍ତାକ୍ବି କହିଛନ୍ତି। ଏହାଛଡ଼ା, ବିଶିଷ୍ଟ ଆଫଗାନ୍ମାନେ ସ୍ବଦେଶ ଫେରିଆସି ଦେଶ ବିକାଶରେ ସହଯୋଗ କରିବାକୁ ସେ ନିବେଦନ କରିଛନ୍ତି।
Follow Us