Image Courtesy of India Today
ଜାଞ୍ଜଗୀର-ଚମ୍ପା: ଶୁକ୍ରବାର ଦିନ ଛତିଶଗଡ଼ର ଜାଞ୍ଜଗୀର-ଚମ୍ପା ଜିଲ୍ଲାସ୍ଥିତ ଗୋଟାଏ ୮୦ ଫୁଟ୍ ଗଭୀର ପରିତ୍ୟକ୍ତ ବୋର୍ୱେଲ୍ ମଧ୍ୟକୁ ଖସି ପଡ଼ିଥିବା ୧୧ ବର୍ଷିୟ ବାଳକକୁ ଉଦ୍ଧାର କରିବା ପାଇଁ ଗୁଜରାଟରୁ ରୋବୋଟିକ୍ ଟିମ୍ ଅଣାଯାଇଛି।
ମୂକ ଓ ବଧୀର ପିଲା ରାହୁଲ୍ ଉକ୍ତ ଗଭୀର ବୋର୍ୱେଲ୍ ଭିତରେ ପଡ଼ିବାର ୩୯ ଘଣ୍ଟାରୁ ଅଧିକ ସମୟ ଅତିବାହିତ ହୋଇଗଲାଣି। ଉଦ୍ଧାର ଅଭିଯାନର ତୃତୀୟ ଦିବସରେ ପିଲାଟିକୁ ବାହାର କରିବା ପାଇଁ ରୋବୋଟିକ୍ ଟିମ୍ ଉଦ୍ୟମ ଆରମ୍ଭ କରିଛି।
ପିଲାଟିକୁ ଉଦ୍ଧାର କରିବା ଲାଗି ଜେସିବି ଲଗାଇ ସମାନ୍ତରଳ ଗାତ ଖୋଳା ଯାଉଥିଲା। କିନ୍ତୁ, ଭୂଗର୍ଭରେ ପଥର ପଡ଼ିବାରୁ ଗାତ ଖୋଳା ବାଧା ପାଇଥିଲା। ହ୍ୟାଣ୍ଡ୍ କଟର୍ଡ୍ରିଲ୍ରେ ପଥରକୁ ଭାଙ୍ଗି ଖଣ୍ଡ ଖଣ୍ଡ କରିବା କଷ୍ଟସାଧ୍ୟ ହୋଇଥିବାରୁ ‘ହେଭି ମେସିନାରି ଏବଂ ରକ୍ ବ୍ରେକର୍’ ଅଣାଯାଇଛି। ବାଳକଟିକୁ ବାହାର କରିବା ପାଇଁ ଆହୁରି ୧୦ରୁ ୧୫ ଘଣ୍ଟା ଲାଗିବ ବୋଲି ଆଶା କରାଯାଉଛି। ଏପର୍ଯ୍ୟନ୍ତ ୫୦ ଫୁଟ୍ ଗାତ ଖୋଳାଯାଇଛି।
Image Courtesy of India Todayଘଟଣାସ୍ଥଳରୁ ସରକାରୀ ଅଧିକାରୀମାନଙ୍କଠାରୁ ଛତିଶଗଡ଼ର ମୁଖ୍ୟମନ୍ତ୍ରୀ ଭୂପେଶ ବାଘେଲ ନିୟମିତ ସୂଚନା ପାଇବା ସହ ପିଲାଟିକୁ ଉଦ୍ଧାର କରିବା ଲାଗି ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବା ଏବଂ ଉଦ୍ଧାର କାର୍ଯ୍ୟ ତ୍ବରାନ୍ବିତ କରିବା ପାଇଁ ସେ ନିର୍ଦେଶ ଦେଇଛନ୍ତି।
ଉଦ୍ଧାର କାର୍ଯ୍ୟରେ ସହଯୋଗ କରିବା ଲାଗି ସେ ଗ୍ରାମବାସୀଙ୍କ ସହଯୋଗ ବି ଲୋଡ଼ିଛନ୍ତି।
ବାଳକର ବାପା ଲାଲା ରାମ ସାହୁଙ୍କ କହିବା ଅନୁସାରେ, ପ୍ରାୟ ୮୦ ଫୁଟ୍ ଗଭୀରର ଉକ୍ତ ବୋର୍ୱେଲ୍ ପୂର୍ବରୁ ଥିବା ତାଙ୍କ ପରିବା ବଗିଚାରେ ଖୋଳାଯାଇଥିଲା। କିନ୍ତୁ ସେଥିରୁ ପାଣି ନ ବାହାରିବାରୁ ଅବ୍ୟବହୃତ ଏବଂ ଅଘୋଡ଼ା ପଡ଼ିଥିଲା।
ଘଟଣାସ୍ଥଳରେ ଏକ ଡାକ୍ତରୀ ଟିମ୍ ଏବଂ ସରକାରୀ କର୍ତ୍ତୃପକ୍ଷ ରହି କ୍ୟାମେରାଦ୍ବାରା ପିଲାଟିର ଅବସ୍ଥା ଉପରେ ନଜର ରଖିବା ସହ ପାଇପ୍ଦ୍ବାରା ଅକ୍ସିଜେନ୍ ଯୋଗାଇ ଦେଉଛନ୍ତି। ଖାଇବା ପାଇଁ ତା’ ପାଖକୁ କଦଳୀ ଓ ବିସ୍କୁଟ୍ ମଧ୍ୟ ଯୋଗାଇ ଦିଆଯାଉଛି।
Follow Us