୮ଦିନ ପରେ ଠାବ ହେଲା:ଅରୁଣା‌ଚଳ ଜଙ୍ଗଲରେ ମିଳିଲା ଏଏନ୍‌-୩୨ର ଭଗ୍ନାବଶେଷ

Advertisment
୮ଦିନ ପରେ ଠାବ ହେଲା:ଅରୁଣା‌ଚଳ ଜଙ୍ଗଲରେ ମିଳିଲା ଏଏନ୍‌-୩୨ର ଭଗ୍ନାବଶେଷ

ନୂଆଦିଲ୍ଲୀ: ଦୀର୍ଘ ୮ ଦିନର ବିଶାଳ ସର୍ଚ୍ଚ‌୍ ଅପରେସନ୍‌ ପରେ ବାୟୁସେନାର ପରିବହନ ବିମାନ ଏଏନ୍‌-୩୨ର ଭଗ୍ନାବଶେଷ ଆଜି ଠାବ କରାଯାଇଛି। ଜୁନ୍‌ ୩ରେ ଆସାମରୁ ଉଡ଼ାଣ ଆରମ୍ଭ କରିବାର କିଛି ସମୟ ପରେ ଏହି ବିମାନ ନିଖୋଜ ହୋଇଯାଇଥିଲା। ଅରୁଣାଚଳ ପ୍ରଦେଶର ଲିୟାଙ୍ଗ୍‌ ଅଂଚଳରେ ବିମାନର ଧ୍ବଂସାବଶେଷ ଠାବ ହୋଇଥିବା ବାୟୁସେନା ପକ୍ଷରୁ କୁହାଯାଇଛି । ବା‌ୟୁସେନା ହେଲିକପ୍‌ଟର ଏମ୍‌ଆଇ-୧୭ ଏହାକୁ ଠାବ କରିଥିଲା। ତେବେ ବିମାନରେ ଥିବା ୧୩ ଜଣଙ୍କ ସଂପର୍କରେ ଏ ପର୍ଯ୍ୟନ୍ତ କିଛି ଖୋଜ ଖବର ମିଳିନାହିଁ। ସେମାନଙ୍କୁ ଠାବ କରିବାପାଇଁ ଦୁର୍ଗମ ପାର୍ବତ୍ୟାଞ୍ଚଳରେ ତଲାସୀ ଅଭିଯାନ ଆରମ୍ଭ ହେବ। ମିଳିଥିବା ସୂଚନା ଅନୁଯାୟୀ ଅରୁଣାଚଳ ପ୍ରଦେଶରେ ଏଏନ୍‌-୩୨ର ଉଡ଼ାଣ ପଥଠାରୁ ୧୫-୨୦ କିମି ଉତ୍ତରରେ ବିମାନର ଭଗ୍ନାବଶେଷ ଠାବ କରାଯାଇଛି। ନିଖୋଜ ବ୍ୟକ୍ତିଙ୍କ ପରିବାର ସଦସ୍ୟ ଏବେ ସେମାନଙ୍କ ବିଷୟ‌ରେ ଖବର ପାଇବାପାଇଁ ଆସାମରେ ଅପେକ୍ଷା କରି ରହିଛନ୍ତି।
ଗତ ୩ ତାରିଖ ଅପରାହ୍ନ ୧୨.୨୭ରେ ବା‌ୟୁସେନା ବିମାନ ଏଏନ୍‌-୩୨ ଆସାମର ଜୋରହାଟ୍‌ରୁ ଉଡ଼ାଣ ଆରମ୍ଭ କରିବାର କିଛି ସମୟ ପରେ ନିଖୋଜ ହୋଇଯାଇଥିଲା। ବିମାନଟି ଅରୁଣାଚଳପ୍ର‌‌ଦେଶର ମେଚୁକା ଅଭିମୁଖେ ଯାତ୍ରା କରୁଥିଲା। ଅପରାହ୍ନ ୧ଟା ପରେ ବିମାନ ସହ ଆଉ ଯୋଗାଯୋଗ ହୋଇ ପାରିନଥିଲା। ସର୍ଚ୍ଚ ଅପରେସନ୍‌ ଟିମ୍‌ରେ ୧୫୦୦ ଯବାନ, ପୁଲିସ, ସ୍ଥାନୀୟ ଗ୍ରାମବାସୀ ସାମିଲ ହୋଇଥିଲେ। ଇସ୍ରୋର ୨ଟି ସାଟେଲାଇଟ୍‌ ମଧ୍ୟ ସର୍ଚ୍ଚ‌୍ ଅପରେସନ୍‌ରେ ନିୟୋଜିତ ହୋଇଥିଲା।

ଅନେକ ନିଖୋଜ ବିମାନର ପତ୍ତା ମିଳିନିpublive-image
ଅରୁଣାଚଳର ଦୁର୍ଗମ ପାର୍ବତ୍ୟାଞ୍ଚଳରେ ପୂର୍ବରୁ ବି ଅନେକ ବିମାନ ନିଖୋଜ ହୋଇଛି । ଦୀର୍ଘ ବର୍ଷ ପରେ କେତେକ ବିମାନର ଭଗ୍ନାବଶେଷ ଠାବ ହୋଇଥିବା ବେଳେ ଅନେକ ବିମାନର ପତ୍ତା ମିଳିନାହିଁ। ଏଥିରେ ଦ୍ବିତୀୟ ବିଶ୍ବ ଯୁଦ୍ଧ ସମୟରେ ବି ନିଖୋଜ ହୋଇଥିବା କେତେକବିମାନ ସାମିଲ ଅଛି। ଏହି ଅଂଚଳରେ ବାୟୁ ପ୍ରବାହର ସ୍ଥିତି ବିମାନ ଚଳାଚଳ ପାଇଁ ସର୍ବଦା ବିପଜ୍ଜନକ ବୋଲି କୁହାଯାଉଛି । ବିମାନ ଦୁର୍ଘଟଣା ପରେ ଘଞ୍ଚ ଜଙ୍ଗଲରେ ଏହାର ଭ‌ଗ୍ନାବଶେଷ ଠାବ କରିବା ମଧ୍ୟ ଅତ୍ୟନ୍ତ ଜଟିଳ ହେଉଛି ଏବଂ ଏହି ତଲାସୀ ପ୍ରକ୍ରିୟା ବର୍ଷ ବର୍ଷ ଧରି ଚଳାଇବାକୁ ପଡ଼ୁଛି। ଅନେକ ବିମାନର ପତ୍ତା ଆଦୌ ମିଳୁନଥିବା ବେଳେ ଅରୁଣାଚଳର ରୋଇଙ୍ଗ ଜିଲ୍ଲାରେ ୭୫ ବର୍ଷ ତଳେ ନିଖୋଜ ହୋଇଥିବା ଆମେରିକା ବାୟୁସେନାର ଏକ ବିମାନର ଧ୍ବଂସାବଶେଷ ନିକଟରେ ଠାବ ହୋଇଥିଲା। ନିଖୋଜ ଏଏନ୍‌-୩୨କୁ ଠାବ କରିବାରେ ଯେଉଁ ସଫଳତା ମିଳିଛି ତାହା ପଛରେ ସୁଖୋଇ ୩୦, ଡ୍ରୋନ୍‌ ଏବଂ ସାଟେଲାଇଟ୍‌ର ଗୁରୁତ୍ବପୂର୍ଣ୍ଣ ଭୂମିକା ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe