ଗେହଲଟ ଡ୍ରାମାପରେ କଂଗ୍ରେସ ସଭାପତି ଦୌଡ଼ରେ ଜି-୨୩ ନେତା ମୁକୁଲ ୱାସନିକ ସାମିଲ

Advertisment
ଗେହଲଟ ଡ୍ରାମାପରେ କଂଗ୍ରେସ ସଭାପତି ଦୌଡ଼ରେ ଜି-୨୩ ନେତା ମୁକୁଲ ୱାସନିକ ସାମିଲ

ନୂଆଦିଲ୍ଲୀ: ଶଶି ଥରୁରଙ୍କ ପରେ ଦ୍ୱିତୀୟ ଜି-୨୩ ନେତା କଂଗ୍ରେସର ଶୀର୍ଷ ପଦବୀ, ସଭାପତି ପଦ ପାଇଁ ଦୌଡ଼ରେ ସାମିଲ ହୋଇପାରନ୍ତି ବୋଲି ଦଳୀୟ ସ୍ତରରେ ଆଲୋଚନା ଚାଲିଛି। ଉଲ୍ଲେଖଯୋଗ୍ୟ, ୨୦୨୦ରେ ଦଳର ମୁଖ୍ୟ ସୋନିଆ ଗାନ୍ଧୀଙ୍କୁ ପ୍ରଦାନ କରାଯାଇଥିବା ବିସ୍ଫୋରକ ଚିଠିର ଅନ୍ୟତମ ସ୍ୱାକ୍ଷରକାରୀ ଥିଲେ ମୁକୁଲ ୱାସନିକ୍‌। କିନ୍ତୁ ବିବାଦ ପରେ ନିଜକୁ ଜି-୨୩ ଗୋଷ୍ଠୀଠାରୁ ଦୂରେଇ ରଖିଥିଲେ। ଏହାପରେ ସେ କେବଳ ଦଳର ସାଧାରଣ ସମ୍ପାଦକ ପଦ ବଜାୟ ରଖି ନଥିଲେ; ଚଳିତ ବର୍ଷ ଦଳ ତାଙ୍କୁ ରାଜ୍ୟସଭାକୁ ମଧ୍ୟ ପଠାଇଥିଲା।

ଏବେ ସଭାପତି ଦୌଡ଼ରୁ ଅଶୋକ ଗେହଲଟ ଓହରି ଯିବାପରେ ଗେହଲଟଙ୍କ ସ୍ଥାନରେ ଓ୍ଵାସନିକଙ୍କ ନାମ ବିଚାର କରାଯାଉଛି। ସୂତ୍ରରୁ ପ୍ରକାଶ, ୱାସନିକଙ୍କୁ ମନାଇବା ପାଇଁ ଦଳ ପକ୍ଷରୁ ପ୍ରୟାସ କରାଯାଉଛି। ଆସନ୍ତାକାଲି ନାମାଙ୍କନ ଦାଖଲ କରିବାର ଶେଷ ଦିନ।

ପୂର୍ବରୁ, ଶଶି ଥରୁର ଏବଂ ଦିଗବିଜୟ ସିଂହ ଆସନ୍ତା ମାସରେ ହେବାକୁ ଥିବା ସଭାପତି ନିର୍ବାଚନ ପାଇଁ ନିଜ ନିଜର ପ୍ରାର୍ଥୀତ୍ୱ ଘୋଷଣା କରିସାରିଛନ୍ତି। ତେବେ, ଦିଗବିଜୟ ସିଂହଙ୍କ ପ୍ରତି ଅନେକ କେନ୍ଦ୍ରୀୟ ନେତାଙ୍କର ସମର୍ଥନ ନାହିଁ। ଅନ୍ୟପକ୍ଷରେ ୨୦୧୯ ନିର୍ବାଚନରେ ବିପର୍ଯ୍ୟୟ ପାଇଁ ନିଜକୁ ଦାୟୀକରି ରାହୁଲ ଗାନ୍ଧୀ ପଦ ଛାଡିବା ପରେ କଂଗ୍ରେସ ଶୀର୍ଷ ପଦବୀ ପାଇଁ ସମ୍ଭାବ୍ୟ ମାନଙ୍କ ମଧ୍ୟରେ ଓ୍ଵାସନିକ ଆଗରେ ରହିଥିଲେ।

ମହାରାଷ୍ଟ୍ରର ଜଣେ ଦଳିତ ନେତା ଭାବେ ଶ୍ରୀ ୱାସନିକ ହେଉଛନ୍ତି ମହାରାଷ୍ଟ୍ରର ସ୍ୱର୍ଗତ ନେତା ତଥା ପୂର୍ବତନ ସାଂସଦ ବଲକୃଷ୍ଣ ୱାସନିକଙ୍କ ପୁଅ। ତାଙ୍କର ବିପୁଳ ରାଜନୈତିକ ଏବଂ ପ୍ରଶାସନିକ ଅଭିଜ୍ଞତା ରହିଛି। ଦେଶର ଅନ୍ୟତମ କନିଷ୍ଠ ସାଂସଦ ଭାବେ ସେ ନରସିଂହ ରାଓ ସରକାରରେ କେନ୍ଦ୍ର ମନ୍ତ୍ରୀ ଭାବେ କାର୍ଯ୍ୟ କରି କ୍ରୀଡା, ଯୁବ ବ୍ୟାପାର ଏବଂ ସଂସଦୀୟ ବ୍ୟାପାର ବିଭାଗ ପରିଚାଳନା କରିଥିଲେ। ପରେ, ମନମୋହନ ସିଂଙ୍କ ନେତୃତ୍ୱରେ ୟୁପିଏ ସରକାର ସମୟରେ ସେ କେନ୍ଦ୍ର ସାମାଜିକ ନ୍ୟାୟ ଏବଂ ସଶକ୍ତୀକରଣ ବିଭାଗର ମନ୍ତ୍ରୀ ରହିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe