Photo Credit: Times Now
ଗାନ୍ଧୀନଗର: ଗୁଜୁରାଟର ବିଜେପି ବିଧାୟକ ବଳରାମ ଥଓ୍ଵାନି ରାସ୍ତା ମଝିରେ ଜଣେ ମହିଳା ଏନ୍ସିପି ନେତ୍ରୀଙ୍କୁ ମାଡ଼ ଓ ଗୋଇଠା ମାରିବା ଘଟଣା ଚାରିଆଡ଼େ ଚର୍ଚ୍ଚା ପାଲଟିବା ପରେ ଏବେ ଆହୁରି ବି ଚର୍ଚ୍ଚା ପାଲଟିଛି ସେ ଦୁଇ ଜଣଙ୍କ ଭିତରେ ସୃଷ୍ଟି ହୋଇଥିବା ନୂତନ ସଂପର୍କ। ଜାଣିବାକୁ ମିଳିଛି ଯେ ବିଜେପି ବିଧାୟକ ଓ ଏନ୍ସିପି ନେତ୍ରୀ ଦ୍ୱୟ ଏବେ ପରସ୍ପର ସହ ଏକ ସଂପର୍କରେ ବନ୍ଧା। ତାହା ପୁଣି ଭାଇ-ଭଉଣୀର ସଂପର୍କ! ବିଧାୟକଙ୍କ ବର୍ବର କାଣ୍ଡ ଏବେ ବି ସୋସିଆଲ୍ ମିଡିଆରେ ଘୂରି ବୁଲୁଥିବା ବେଳେ ଖବର ଆସିଛି ଯେ ଏନ୍ସିପି ନେତ୍ରୀ ଜଣଙ୍କ ତାଙ୍କୁ କ୍ଷମା କରିଦେବା ସହ ରାକ୍ଷୀ-ଭାଇ(ଧରମ ଭାଇ) କରିଛନ୍ତି।
ସାଲିସ୍ କରି ମାମଲାକୁ ଚାପି ଦେବାର ବିଧାୟକଙ୍କ ଏହି କୌତୁକିଆ ସୂତ୍ର ଏବେ ସଭିଙ୍କୁ ଚକିତ କରିଛି। ଗିରଫକୁ ଏଡ଼େଇବାକୁ ଯାଇ ବିଧାୟକ ବଳରାମ ପୀଡ଼ିତା ନେତ୍ରୀଙ୍କୁ ଭାଇ-ଭଉଣୀ ସଂପର୍କର ପ୍ରସ୍ତାବ ଦେଇଥିଲେ। ପୀଡ଼ିତା ବି ତାଙ୍କ ହାତରେ ରାକ୍ଷୀ ବାନ୍ଧୁଥିବାର ଏକ ଫଟୋ ଦେଖିବାକୁ ମିଳିଛି।
(Image: ANI)ଉଲ୍ଲେଖଯୋଗ୍ୟ, ଏନ୍ସିପି ନେତ୍ରୀ ଜଣଙ୍କ ତାଙ୍କର ଏକ କାମ ନେଇ ବିଜେପି ବିଧାୟକଙ୍କ ନିକଟରେ ପହଞ୍ଚିବା ପରେ ଦୁହିଁଙ୍କ ଭିତରେ ବଚସା ହେବାରୁ ବିଜେପି ବିଧାୟକ ତାଙ୍କ ଅଫିସ୍ ସମ୍ମୁଖରେ ପ୍ରଥମେ ମହିଳାଙ୍କୁ ଚାପୁଡ଼ା ଓ ପରେ ଗୋଇଠା ମାରିଥିବା ଅଭିଯୋଗ ହୋଇଛି।
ସେ ସମୟର ଏକ ଭିଡିଓ ଏବେ ସାସିଆଲ୍ ମିଡିଆରେ ଘୂରିବାରେ ଲାଗିଛି। ସୋସିଆଲ୍ ମିଡିଆରେ ଏହି ଘଟଣାକୁ ତୀବ୍ର ନିନ୍ଦା ହେବା ପରେ ରାଜ୍ୟ ବିଜେପି ସଭାପତି ବଳରାମଙ୍କୁ ଡାକି ପୀଡ଼ିତା ମହିଳାଙ୍କୁ କ୍ଷମା ମାଗିବାକୁ ପରାମର୍ଶ ଦେବା ସହ ସେ ତୀବ୍ର ନିନ୍ଦା ମଧ୍ୟ କରିଥିଲେ। ବଳରାମ ନିଜ ଭୁଲ୍ ସ୍ୱୀକାର କରିଥିଲେ।
Follow Us