‘ରେପ୍‌ ଇନ୍‌ ଇଣ୍ଡିଆ’ ପରେ ସାବରକରଙ୍କୁ ନେଇ ଝଡ଼

‘ରେପ୍‌ ଇନ୍‌ ଇଣ୍ଡିଆ’ ପରେ ସାବରକରଙ୍କୁ ନେଇ ଝଡ଼

ନୂଆଦିଲ୍ଲୀ: କଂଗ୍ରେସ ନେତା ରାହୁଲ ଗାନ୍ଧିଙ୍କ ‘ ରେପ୍‌ ଇନ୍‌ ଇଣ୍ଡିଆ’ ଟିପ୍ପଣୀକୁ ନେଇ ଗତକାଲି ସଂସଦରେ ପ୍ରବଳ ହଟ୍ଟଗୋଳ ହୋଇଥିବା ବେଳେ ଆଜି ରାହୁଲ ହିନ୍ଦୁବାଦୀ ନେତା ଦିବଂଗତ ବିନାୟକ ଦାମୋଦର ସାବରକରଙ୍କୁ ନେଇ ଦେଇଥିବା ବୟାନ ବଡ଼ ବିବାଦ ସୃଷ୍ଟି କରିଛି। ବୀର ସାବରକର ୧୯୧୩ରେ ଆଣ୍ଡାମାନ ସେଲୁଲାର ଜେଲ୍‌ରୁ ବ୍ରିଟିସ୍‌ ସରକାରଙ୍କୁ ଲେଖିଥିବା ଏକ ପତ୍ରକୁ ଇଙ୍ଗିତ କରି କରି ରାହୁଲ ଅପମାନସୂଚକ ବୟାନ ଦେଇଥିବାରୁ ଏହାକୁ ବିଜେପି ଏବଂ ଶିବସେନା ଜୋର୍‌ଦାର ବିରୋଧ କରିଛନ୍ତି। ରାହୁଲ ଆଜି ଏକ ରୢାଲିରେ କହିଥିଲେ ଯେ ‘ରେପ୍‌ ଇନ୍‌ ଇଣ୍ଡିଆ’ ମନ୍ତବ୍ୟ ପାଇଁ ସେ କ୍ଷମା ମାଗିବାର ପ୍ରଶ୍ନ ଉଠୁନାହିଁ। ‘ମୁଁ ରାହୁଲ ସାବରକର ନୁହେଁ। ମୁଁ ରାହୁଲ ଗାନ୍ଧି। ମରିଯିବି ପଛେ କେବେ ବି କ୍ଷମା ମାଗିବି ନାହିଁ’ ବୋଲି ଆଜି ଦିଲ୍ଲୀର ରାମଲୀଳା ମଇଦାନରେ କଂଗ୍ରେସର ‘ଭାରତ ବଚାଓ’ ରୢାଲିରେ ଉଦ୍‌ବୋଧନ ଦେଇ ରାହୁଲ କହିଥିଲେ।

ରାହୁଲଙ୍କ ଏଭଳି ବୟାନକୁ ବିରୋଧ କରି ବିଜେପି ଏବଂ ଶିବସେନା ତାଙ୍କୁ ଘେରିଛନ୍ତି। ରୢାଲିରେ ସାବରକରଙ୍କ ନାମକୁ ଶସ୍ତା ରାଜନୀତି ପାଇଁ ବ୍ୟବହାର କରି ରାହୁଲ ଦେଶର ମହାନ ସନ୍ତାନଙ୍କୁ ଅପମାନିତ କରିଛନ୍ତି ବୋଲି କେନ୍ଦ୍ରମନ୍ତ୍ରୀ ରବି ଶଙ୍କର ପ୍ରସାଦ କହିଛନ୍ତି। ରାହୁଲ ତାଙ୍କ ଅହଙ୍କାରର ପରିଣାମ ସ୍ବରୂପ ଯାହା କହୁଛନ୍ତି ତାହା କଦାପି କ୍ଷମଣୀୟ ନୁହେଁ ବୋଲି ରବି ଶଙ୍କର କହିଛନ୍ତି। ବୀର ସାବରକର ଭାରତରେ ଜନ୍ମ ହୋଇଥିବାରୁ ଭାରତୀୟମାନେ ଗର୍ବ ଅନୁଭବ କରୁଛନ୍ତି, କିନ୍ତୁ ରାହୁଲ ଇତିହାସକୁ ବୁଝିନାହାନ୍ତି ଏବଂ ସେ ଜଣେ ଦେଶଭକ୍ତଙ୍କ ସଂକ୍ରାନ୍ତରେ ନକରାତ୍ମକ ଟିପ୍ପଣୀ ରଖିଛନ୍ତି। ବିଜେପି ମୁଖପାତ୍ର ଜିଭିଏଲ୍‌ ନରସିଂହ ରାଓ କହିଛନ୍ତି, ରାହୁଲ ଗାନ୍ଧୀଙ୍କ ପାଇଁ ‘ରାହୁଲ ଜିନ୍ନା’ ନାମ ଅଧିକ ଉପଯୁକ୍ତ ହେବ। ଜାତୀୟ ମୁଖପାତ୍ର ସମ୍ବିତ ପାତ୍ର କହିଛନ୍ତି, ରାହୁଲ ଗାନ୍ଧୀ ଶହେ ଜନ୍ମ ପରେ ବି ରାହୁଲ ସାବରକର ହୋଇପାରିବେ ନାହିଁ। ସାବରକର ଦେଶ ପାଇଁ ଜୀବନ ଦେଇଥିଲେ ଏବଂ ତାଙ୍କର ଦେଶଭକ୍ତି ଓ ବୀରତ୍ବ ପାଇଁ ସେ ସର୍ବଦା ମନେ ରହିବେ। କିନ୍ତୁ ରାହୁଲ ନାଗରିକତା ଆଇନ ଏବଂ ଧାରା ୩୭୦ ପ୍ରସଙ୍ଗରେ ପାକିସ୍ତାନର ଭାଷା କହୁଛନ୍ତି। କେନ୍ଦ୍ରମନ୍ତ୍ରୀ ଗିରିରାଜ ସିଂହ ମଧ୍ୟ ରାହୁଲ ସାବରକରଙ୍କ ନାମକୁ ମନ୍ଦ ଉଦ୍ଦେଶ୍ୟରେ ବ୍ୟବହାର କରିଥିବାରୁ ତାଙ୍କୁ କଡ଼ା ସମାଲୋଚନା କରିଛନ୍ତି। ସିଂହ ଏକ ଟ୍ବିଟ୍‌ କରି କହିଛନ୍ତି, ବୀର ସାବରକର ଜଣେ ମହାନ ଦେଶଭକ୍ତ। ତାଙ୍କ ଭଳି ଦେଶଭକ୍ତ ହେବାପାଇଁ ଭାରତୀୟ ରକ୍ତର ଆବଶ୍ୟକତା ରହିଛି। କିନ୍ତୁ ଅନେକ ଲୋକ ଛଦ୍ମବେଶରେ ଦେଶକୁ ଲୁଟି ଚାଲିଛନ୍ତି। ଏହା ଗ୍ରହଣୀୟ ‌ନୁହେଁ ବୋଲି ଗିରିରାଜ କହିଛନ୍ତି।

ରାହୁଲ ଗାନ୍ଧୀଙ୍କ ‘ମୋ ନାମ ରାହୁଲ ସବରକର ନୁହେଁ ଯେ ମୁଁ କ୍ଷମା ମାଗିବି’ ଟିପ୍ପଣୀ ପାଇଁ ତାଙ୍କୁ ଶିବସେନା ମଧ୍ୟ ଘେରିଛି। ଶିବସେନା ତୀବ୍ର ପ୍ରତିକ୍ରିୟା ପ୍ରକାଶ କରି କହିଛି ଯେ ସାବରକରଙ୍କୁ ଅପମାନିତ କରିବା ପାଇଁ ରାହୁଲ ଚେଷ୍ଟା କରିବା ଉଚିତ ନୁହେଁ। ଶିବସେନା ନେତା ସଂଜୟ ରାଉତ ଆଜି ଟ୍ବିଟ୍‌ କରି କହିଛନ୍ତି ଆମେ ପଣ୍ଡିତ ନେହରୁ, ମହାତ୍ମା ଗାନ୍ଧୀଙ୍କ ଭଳି ସାବରକରଙ୍କୁ ମଧ୍ୟ ଦେଶର ଆଦର୍ଶ ଏବଂ ଗୌରବ ଭାବେ ବିଚାର କରୁ । ତେଣୁ ତାଙ୍କୁ ଅପମାନିତ କରିବା ଉଚିତ ନୁହେଁ ବୋଲି ସଂଜୟ ରାଉତ କହିଛନ୍ତି। ବୀର ସାବରକର କେବଳ ମହାରାଷ୍ଟ୍ରର ନୁହନ୍ତି , ସମଗ୍ର ଦେଶ ପାଇଁ ଦେବତା ବୋଲି ସେ କହିଛନ୍ତି। ସେ ସ୍ବାଧୀନତା ପାଇଁ ତାଙ୍କ ଜୀବନ ଦେଇଛନ୍ତି। ଏଭଳି ଦେବତାଙ୍କୁ ସମ୍ମାନ ଦିଆଯିବା ଉଚିତ ବୋଲି ସଂଜୟ ରାଉତ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe