ଗଲୱାନ ସଂଘର୍ଷ ପରେ ବାୟୁସେନା ଲଦାଖକୁ ୬୮,୦୦୦ ସୈନିକ ପଠାଇଛି

Advertisment
ଗଲୱାନ ସଂଘର୍ଷ ପରେ ବାୟୁସେନା ଲଦାଖକୁ ୬୮,୦୦୦ ସୈନିକ ପଠାଇଛି

ନୂଆଦିଲ୍ଲୀ: ଜୁନ୍ ୨୦୨୦ରେ ହୋଇଥିବା ଗଲୱାନ ସଂଘର୍ଷ ପରେ ଭାରତୀୟ ବାୟୁସେନା ପକ୍ଷରୁ ସୀମାରେ ଚୀନ୍‌ର ମୁକାବିଲା କରିବା ପାଇଁ ବିଭିନ୍ନ ପ୍ରକାର ଅସ୍ତ୍ରଶସ୍ତ୍ର, ଯୁଦ୍ଧଯାନ, ଭୂମିରୁ ଆକାଶକୁ କ୍ଷେପଣୀୟ ଅସ୍ତ୍ର, ରାଡାର ଆଦି ସହ ୬୮,୦୦୦ ସୈନିକଙ୍କୁ ଲଦାଖକୁ ଏୟାରଲିଫ୍ଟ କରାଯାଇଥିବା ଜଣାପଡ଼ିଛି। ଚୀନ୍‌ ସେନା ପକ୍ଷରୁ ଯେକୌଣସି ପ୍ରକାର ଆକ୍ରମଣକୁ ପ୍ରତିହତ କରିବା ପାଇଁ ଭାରତୀୟ ସୀମାବଳର ଏହାଦ୍ବାରା ଶକ୍ତିବୃଦ୍ଧି କରାଯାଇଛି। ଗତ ଏପ୍ରିଲ-ମେ ୨୦୨୦ରୁ ଲଦାଖରେ ବାସ୍ତବ ନିୟନ୍ତ୍ରଣ ରେଖା (ଏଲ୍‌ଏସି) ନିକଟରେ ଚୀନ୍ ସହ ସାମରିକ ଉତ୍ତେଜନା ଲାଗିରହିଛି। ଗଲୱାନ ସଂଘର୍ଷରେ ୨୦ ଜଣ ଭାରତୀୟ ସୈନିକଙ୍କ ମୃତ୍ୟୁ ଘଟିବା ପରେ ଚୀନ୍ ସହ ଦ୍ବିପାକ୍ଷିକ ସମ୍ପର୍କ ଖରାପ ହୋଇଛି। ତେବେ ଏଲ୍‌ଏସିରେ ଉତ୍ତେଜନା ହ୍ରାସ ପାଇଁ ଆସନ୍ତା ଅଗଷ୍ଟ ୨୨ରୁ ୨୪ ଭିତରେ ଚୀନ୍ ସହ ୧୯ତମ ସାମରିକ କଥାବାର୍ତ୍ତା ହେବ ବୋଲି ଜଣାପଡ଼ିଛି।

ଭାରତର ଆକଳନ ଅନୁସାରେ ଗଲୱାନ ସଂଘର୍ଷରେ ଭାରତର ଯେତିକି ସୈନ୍ୟ ମରିଛନ୍ତି, ତା’ର ଦୁଇଗୁଣ ସଂଖ୍ୟକ ପିଏଲ୍‌ଏର ସୈନ୍ୟ ମରିଛନ୍ତି, ଯଦିଚ ବେଜିଂ ଦାବି କରୁଛି ଯେ ତାଙ୍କର ମାତ୍ର ୪ ଜଣ ସୈନ୍ୟ ମୃତ୍ୟୁବରଣ କରିଛନ୍ତି। ଜନୈକ ସେନା ଅଧିକାରୀ ନିଜର ନାମ ପ୍ରକାଶ ନ କରିବା ସର୍ତ୍ତରେ କହିଛନ୍ତି ଯେ, ପୂର୍ବ ଲଦାଖକୁ ଭାରତୀୟ ବାୟୁସେନା ୬୮,୦୦୦ ସୈନ୍ୟ, ୩୩୦ ପଦାତିକ ଯୁଦ୍ଧଯାନ, ୯୦ କମାଣ ଓ ଅନେକ ଶକ୍ତିଶାଳୀ ବନ୍ଧୁକ ଏୟାରଲିଫ୍ଟ କରିଛି। ଚୀନ୍‌ଠାରୁ ଯେକୌଣସି ସମୟରେ ବିପଦ ଆଶଙ୍କା ରହିଥିବାରୁ ସୀମାରେ ଆମର ପ୍ରସ୍ତୁତି ସେହିପରି ଜୋରଦାର ହେବା ଉଚିତ ବୋଲି ସେ କହିଛନ୍ତି। ଗତ ତିନିବର୍ଷ ମଧ୍ୟରେ ୱେଷ୍ଟର୍ଣ୍ଣ ଏୟାର କମାଣ୍ଡ ପକ୍ଷରୁ ମୋଟ ୯୦୦୦ ଟନ୍‌ର ଭାର ଲଦାଖକୁ ଏୟାରଲିଫ୍ଟ କରାଯାଇଛି। ତା’ଛଡ଼ା ରାଫେଲ, ସୁଖୋଇ-୩୦ ଓ ମିଗ୍-୨୯ ପରି ଯୁଦ୍ଧ ବିମାନଗୁଡ଼ିକୁ ପ୍ରସ୍ତୁତ ରଖାଯାଇଛି, ଯେଉଁମାନେ ଦରକାର ପଡ଼ିବା ମାତ୍ରେ ୫ରୁ ୭ ମିନିଟ୍ ଭିତରେ ପ୍ରତି-ଆକ୍ରମଣ ଆରମ୍ଭ କରିଦେଇ ପାରିବେ। ଏହି ଲଢ଼ୁଆ ବିମାନଗୁଡ଼ିକ ସବୁ ପ୍ରକାର ପାଣିପାଗରେ ଦିନ ବା ରାତ୍ରି ଯେକୌଣସି ସମୟରେ ଆକ୍ରମଣ କରିପାରିବେ ବୋଲି ଅଧିକାରୀ ଜଣକ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe