ପ୍ରଶାନ୍ତ ମହାସାଗରରେ ଆଗ୍ନେୟଗିରି ଉଦ୍‌ଗୀରଣ; ଆମେରିକାର ପଶ୍ଚିମ ଉପକୂଳରେ ସୁନାମି ସତର୍କ ସୂଚନା ଜାରି

ପ୍ରଶାନ୍ତ ମହାସାଗରରେ ଆଗ୍ନେୟଗିରି ଉଦ୍‌ଗୀରଣ; ଆମେରିକାର ପଶ୍ଚିମ ଉପକୂଳରେ ସୁନାମି ସତର୍କ ସୂଚନା ଜାରି

Image Courtesy of India Today

ୱେଲିଙ୍ଗ୍‌ଟନ୍‌: ଶନିବାର ଦିନ ପ୍ରଶାନ୍ତ ମହାସାଗରୀୟ ରାଷ୍ଟ୍ର ଟୋଙ୍ଗା ନିକଟରେ ଆଖିଦୃଶିଆ ଢଙ୍ଗରେ ସମୁଦ୍ର ମଧ୍ୟସ୍ଥ ଗୋଟାଏ ଆଗ୍ନେୟଗିରି ଉଦ୍‌ଗୀରଣ ହେବାରୁ ବେଳାଭୂମି ଉପରକୁ ସୁନାମି ଢେଉ ମାଡ଼ିଗଲା ଏବଂ ଲୋକେ ଦୌଡ଼ା ଦୌଡ଼ି ହୋଇ ଉଚ୍ଚ ସ୍ଥାନକୁ ଚାଲିଯାଇଥିଲେ।

ଆଗ୍ନେୟଗିରି ଉଦ୍‌ଗୀରଣ ‌ପ୍ରଭାବରେ ହାୱାଇ, ଆଲସ୍କା ଏବଂ ଯୁକ୍ତରାଷ୍ଟ୍ର ଆମେରିକାର ପଶ୍ଚିମ ଉପକୂଳ ପାଇଁ ମଧ୍ୟ ସୁନାମି ସତର୍କ ସୂଚନା ଜାରି କରାଯାଇଛି।

ଉଦ୍‌ଗୀରଣ ପରେ କ୍ଷୁଦ୍ର ଦ୍ବୀପଦେଶ ଟୋଙ୍ଗା ସହ ଦୀର୍ଘ ସମୟ ଧରି ଯୋଗାଯୋଗ ବିଚ୍ଛିନ୍ନ ହୋଇଯିବାରୁ ମୃତାହତ ଏବଂ କ୍ଷୟକ୍ଷତି ସମ୍ପର୍କରେ କୌଣସି ସୂଚନା ମିଳିପାରିନାହିଁ।

ହାୱାଇ ଦ୍ବୀପସ୍ଥିତ ‘ପେସିଫିକ୍‌ ସୁନାମି ୱାର୍ଣ୍ଣିଙ୍ଗ୍‌ ସେଣ୍ଟର୍‌’ ରିପୋର୍ଟ ଅନୁସାରେ, ନୱିଲିୱିଲି, କାଉଆଇରେ ୧ ଫୁଟ୍‌ରୁ ଆରମ୍ଭ କରି ହାନାଲେଇ ଉପକୂଳ‌ରେ ୨.୭ ଫୁଟ୍‌ ପର୍ଯ୍ୟନ୍ତ ଢେଉ ପିଟି ହୋଇଥିଲା। ଏଥିଯୋଗୁଁ, ହାୱାଇରେ ସାମାନ୍ୟ ବନ୍ୟା ପରିସ୍ଥିତି ସୃଷ୍ଟି ହେବା ଛଡ଼ା, କିଛି କ୍ଷୟକ୍ଷତି ହୋଇଥିବାର ସୂଚନା ଆସିନାହିଁ।

publive-image Image Courtesy of NBC News

ସାମାଜିକ ଗଣମାଧ୍ୟମରେ ପ୍ରସାରିତ ଭିଡିଓରୁ ଦେଖାଯାଉଛି ଯେ, ଟୋଙ୍ଗାର ଉପକୂଳବର୍ତ୍ତୀ ଅଞ୍ଚଳର ବେଳାଭୂମୀରେ ପ୍ରକାଣ୍ଡ ଢେଉ ସବୁ ଭାଙ୍ଗି ହେବା ସହ କୋଠାବାଡ଼ି ଚାରିପଟେ ଘୂରି ବୁଲୁଛି। ନିଉଜିଲାଣ୍ଡ ସେନା ପରିସ୍ଥିତି ଉପରେ ନଜର ରଖିବା ସହ ଆବଶ୍ୟକସ୍ଥଳେ ସାହାଯ୍ୟ କରିବାକୁ ପ୍ରସ୍ତୁତ ହୋଇ ରହିଛି।

ସାଟେଲାଇଟ୍‌ ଫଟୋରେ ଦେଖାଯାଉଛି ଏହି ଉଦ୍‌ଗୀରଣ ଯୋଗୁଁ ପ୍ରକାଣ୍ଡ ଛତୁ ଫୁଟିବା ପରି ଧୂଆଁ ଉଠିବା ସହ ଶୂନ୍ୟକୁ ପାଉଁଶ ଉଠୁଛି ଏବଂ ଚତୁର୍ପାଶ୍ବ ଜଳରାଶିରେ କମ୍ପନ ସୃଷ୍ଟି ହେଉଛି।

‘ଷ୍ଟଫ୍‌ ନିଉଜ୍‌ ୱେବ୍‌ସାଇଟ୍‌’କୁ ଜଣେ ପ୍ରତ୍ୟକ୍ଷଦର୍ଶୀ କହିଛନ୍ତି, ଉଦ୍‌ଗୀରଣ ଥିଲା ଅତି ପ୍ରଚଣ୍ଡ। ଭୂଇଁ ଦୋହଲି ଗଲା। ଆମ ଘର ଥରିଉଠିଲା। ‌ତରଙ୍ଗାୟିତ ହୋଇ କମ୍ପନ ଆସିଲା। ମୋ ସାନଭାଇର ମନେହେଲା ପାଖରେ ବୋମା ଫୁଟୁଛି। ମୁହୂର୍ତ୍ତକ ମଧ୍ୟରେ ଆମ ଘରେ ପାଣି ପଶିଗଲା ଓ ପଡ଼ୋଶୀ ଘର କାନ୍ଥ ପଡ଼ିଗଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe