କଥା ବଦଳାଇଲେ ଏଜି, ରାଫେଲ ଦସ୍ତାବିଜ୍ ଚୋରି ହୋଇନି

କଥା ବଦଳାଇଲେ ଏଜି, ରାଫେଲ ଦସ୍ତାବିଜ୍ ଚୋରି ହୋଇନି

ନୂଆଦିଲ୍ଲୀ: ଆଟର୍ଣ୍ଣି ଜେନେରାଲ କେ କେ ବେଣୁଗୋପାଳ ରାଫେଲ ଫାଇଲ୍‌ ସଂକ୍ରାନ୍ତରେ ଆଜି ତାଙ୍କ ପୂର୍ବ ମତ ବଦଳାଇଛନ୍ତି। ରାଫେଲ ସଂକ୍ରାନ୍ତ ଦସ୍ତାବିଜ ପ୍ରତିରକ୍ଷା ମନ୍ତ୍ରାଳୟରୁ ଚୋରି ହୋଇନାହିଁ ଏବଂ ଏହି ଦସ୍ତାବିଜର କେତେକ ଫଟୋ କପି ଗଣମାଧ୍ୟମରେ ବ୍ୟବହାର ହୋଇଛି ବୋଲି ସେ କହିଛନ୍ତି। ସୁପ୍ରିମ୍‌ କୋର୍ଟରେ ଦୁଇ ଦିନ ତଳେ ବୟାନ ରଖି ବେଣୁଗେପାଳ କହିଥିଲେ ଯେ ସେ ଫାଇଲ୍‌ ଚୋରି ସଂକ୍ରାନ୍ତ ଯାହା କହିଥିଲେ ତାହା ଫାଇଲ୍‌ର ଫଟୋ କପି ସମ୍ବନ୍ଧୀୟ ଥିଲା। ତେବେ ଗଣମାଧ୍ୟମରେ ଏହାର ଭୁଲ୍‌ ବ୍ୟାଖ୍ୟା କରାଯାଇଛି ବୋଲି ସେ କହିଛନ୍ତି। ଫାଇଲ୍‌ ଚୋରି ହୋଇଥିବା ନେଇ ରିପୋର୍ଟ ପ୍ରକାଶ ପାଇବା ପରେ ଏହାକୁ ନେଇ ବିରୋଧୀ ଦଳଗୁଡ଼ିକ ସରକାରଙ୍କୁ ଘେରିଥିଲେ। କଂଗ୍ରେସ ନେତା ରାହୁଲ ଗାନ୍ଧୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ କଡ଼ା ସମାଲୋଚନା କରି ଚୋରି ଘଟଣାର ଅପରାଧିକ ତଦନ୍ତ ହେବା ଆବଶ୍ୟକ ବୋଲି କହିଥିଲେ। ବେଣୁଗୋପାଳ କହିଛନ୍ତି ଯେ ଯଶେବନ୍ତ ସିହ୍ନା, ଅରୁଣ ସୌରି ଏବଂ ପ୍ରଶାନ୍ତ ଭୂଷଣ ସୁପ୍ରିମ୍‌ କୋର୍ଟଙ୍କ ରାଫେଲ ରାୟର ପୁନଃ ସମୀକ୍ଷା ପାଇଁ କରିଥିବା ଆବେଦନର ଶୁଣାଣି ବେଳେ ରା‌ଫେଲ ଫାଇଲ୍‌ର କେତେକ ଫଟୋ କପି ଉପସ୍ଥାପନ କରାଯାଇଥିଲା। ଏହି ଫଟୋ କପି ବେଆଇନ ଭାବେ ସଂଗ୍ରହ କରାଯାଇଥିବାରୁ ଏହାକୁ ସେ ଚୋରି ବୋଲି କହିଥିଲେ। କିନ୍ତୁ ଗଣମାଧ୍ୟମ ଏହାକୁ ଫାଇଲ୍‌ ଚୋରି ଭାବେ ଖବର ପ୍ରଚାର କରିବାରୁ ବିଭ୍ରାନ୍ତି ଉପୁଜିଥିଲା ବୋଲି ସେ କହିଛନ୍ତି। ସୂଚନାଯୋଗ୍ୟ ସୁପ୍ରିମ୍‌ କୋର୍ଟ ଏହି ଫଟୋ କପିକୁ ନୂତନ ପ୍ରମାଣ ଭାବେ ଗ୍ରହଣ କରିବାକୁ ମନା କରିଦେଇଥିଲେ ଏବଂ ଏ ବାବଦରେ ସରକାରଙ୍କଠାରୁ ସବିଶେଷ ତଥ୍ୟ ଚାହିଥିଲେ। ରାଫେଲ ଦସ୍ତାବିଜର କିଛି ଅଂଶ ‘ଦି ହିନ୍ଦୁ’ଖବର କାଗଜରେ ପ୍ରକାଶ ପାଇଥିବାରୁ ସରକାର କାର୍ଯ୍ୟାନୁଷ୍ଠାନ ପାଇଁ ଚେତାବନୀ ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe