NDTV.com
ନୂଆଦିଲ୍ଲୀ: ଦ୍ରୁତବେଗରେ ବ୍ୟାପୁଥିବା ଓମିକ୍ରନ ଷ୍ଟ୍ରେନର ସବ୍ ଭାରିଆଣ୍ଟ୍ ଏକ୍ସବିବି ଏବଂ ବି.୫ ଭାରତରେ ଚିହ୍ନଟ ହେବା ପରେ ଏହାକୁ ନେଇ ଚିନ୍ତା ବଢ଼ିଛି। ଆଗାମୀ ଦିନରେ ଏହା ଯେଭଳି ଅଧିକ ମାତ୍ରାରେ ନ ବ୍ୟାପିବ ସେଥିପାଇଁ ସରକାରୀ ସ୍ତରରେ ତତ୍ପରତା ପ୍ରକାଶ ପାଇଛି। ଦେଶରେ ଲୋକଙ୍କ ପାଇଁ ମାସ୍କ ପିନ୍ଧିବା ଏବଂ କୋଭିଡ ଉପଯୁକ୍ତ ବ୍ୟବହାର ପ୍ରଦର୍ଶନ ନିୟମ ପାଳନ ଜାରି ରଖିବା ଲାଗି ସ୍ଥିର ହୋଇଛି। କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡଭୀୟଙ୍କ ଅଧ୍ୟକ୍ଷତାରେ ଆଜି ଅନୁଷ୍ଠିତ ଏକ ସମୀକ୍ଷା ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି।
ବୈଠକରେ ସ୍ବାସ୍ଥ୍ୟ ସଚିବ ରାଜେଶ ଭୂଷଣ, ଆଇସିଏମ୍ଆର୍ ଡିଜି ରାଜୀବ ବାହଲ, ନିତି ଆୟୋଗ ସଦସ୍ୟ (ସ୍ବାସ୍ଥ୍ୟ) ଭିକେ ପଲ, ଏନଟିଏଜିଆଇ ଅଧ୍ୟକ୍ଷ ଏନ୍ କେ ଆରୋଡ଼ା, ଜୈବପ୍ରଯୁକ୍ତି ବିଭାଗ ସଚିବ ରାଜେଶ ଏସ୍ ଗୋଖଲେ ଉପସ୍ଥିତ ଥିଲେ। ରାଜ୍ୟଗୁଡ଼ିକମଧ୍ୟରେ ସାପ୍ତାହିକ ଭିତ୍ତିରେ ମହାରାଷ୍ଟ୍ରରେ କରୋନା ସଂକ୍ରମଣ ସଂଖ୍ୟା ୧୭.୭ ପ୍ରତିଶତ ବୃଦ୍ଧି ପାଇଛି। ଏଠାରେ ଏକ୍ସବିବି ନାମକ ଓମିକ୍ରନର ଏକ ନୂଆ ସବ୍ ଭାରିଆଣ୍ଟ ଦେଖାଦେଇଛି। କେରଳ ସମେତ ଅନ୍ୟ କେତେକ ରାଜ୍ୟରେ ମଧ୍ୟ ଏହି ନୂଆ କିସମ ଚିହ୍ନଟ ହୋଇଛି। କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ନିକଟରେ ପର୍ଯ୍ୟାପ୍ତ ମାତ୍ରାରେ କୋଭିଡ ଟିକା ମହଜୁଦ ରହିଛି। ତେଣୁ ବର୍ତ୍ତମାନ ଅଧିକ ଟିକା ସଂଗ୍ରହ ନକରିବା ପାଇଁ ସ୍ବାସ୍ଥ୍ୟ ମନ୍ତ୍ରାଳୟ ନିଷ୍ପତ୍ତି ନେଇଛି। ଏଥିସହିତ ୨୦୨୨-୨୩ ବଜେଟ୍ରେ ଟିକାକରଣ ବାବଦରେ ଆବଣ୍ଟନ ହୋଇଥିବା ମୋଟ ଅର୍ଥର ପାଖାପାଖି ୮୫ ପ୍ରତିଶତ ଅର୍ଥ ମନ୍ତ୍ରାଳୟକୁ ଫେରାଇ ଦିଆଯାଇଛି। ଦେଶରେ ମୋଟ କୋଭିଡ ଟିକାକରଣ ସଂଖ୍ୟା ୨୧୯.୩୩ କୋଟି ଅତିକ୍ରମ କରିଛି।
Follow Us