ପୁଣି ଖୋଲିଲା ବୋଫର୍ସ ଫାଇଲ୍‌

Advertisment

୨୦୦୫ର ହାଇକୋର୍ଟ ରାୟକୁ ଚ୍ୟାଲେଞ୍ଜ୍‌, ସମସ୍ତ ଅଭିଯୁକ୍ତ ଦୋଷମୁକ୍ତ ହୋଇଛନ୍ତି

୨୦୦୫ର ହାଇକୋର୍ଟ ରାୟକୁ ଚ୍ୟାଲେଞ୍ଜ୍‌, ସମସ୍ତ ଅଭିଯୁକ୍ତ ଦୋଷମୁକ୍ତ ହୋଇଛନ୍ତି

ପୁଣି ଖୋଲିଲା ବୋଫର୍ସ ଫାଇଲ୍‌

ନୂଆଦିଲ୍ଲୀ: ବହୁ ଚର୍ଚ୍ଚିତ ବୋଫର୍ସ ଦୁର୍ନୀତି ମାମଲାରେ ଦିଲ୍ଲୀ ହାଇକୋର୍ଟ ୨୦୦୫ ମେ ୩୧ରେ ଦେଇଥିବା ରାୟକୁ ଚ୍ୟାଲେଞ୍ଜ୍‌ କରି ସିବିଆଇ ଆଜି ସୁପ୍ରିମ୍‌କୋର୍ଟର ଦ୍ୱାରସ୍ଥ ହୋଇଛି। ଏହି ମାମଲାରେ ହାଇକୋର୍ଟ ସମସ୍ତ ଅଭିଯୁକ୍ତଙ୍କୁ ଦୋଷମୁକ୍ତ କରିଥିବା ବେଳେ ସୁପ୍ରିମକୋର୍ଟରେ ଆଗତ ଏହି ମାମଲା କଂଗ୍ରେସ ପାଇଁ ଅଡୁଆ ହେବ ବୋଲି ବିଶେଷଜ୍ଞମାନେ ଆଶଙ୍କା କରିଛନ୍ତି।
ସୂଚନା ଥାଉ କି, ଭାରତୀୟ ସେନା ପାଇଁ ୪୦୦ ସଂଖ୍ୟକ ଅତ୍ୟାଧୁନିକ ୧୫୫ମିମି. ହୋଓ୍ଵିଜର ବନ୍ଧୁକ ଯୋଗାଣ ପାଇଁ ସ୍ୱେଡେନ୍‌ର ଯୁଦ୍ଧାସ୍ତ୍ର ନିର୍ମାଣକାରୀ ସଂସ୍ଥା ଏ ବି ବୋଫର୍ସ ୧୯୮୬ ମାର୍ଚ୍ଚ ୨୪ରେ ଭାରତ ସରକାରଙ୍କ ସହ ୧,୪୩୭ କୋଟି ଟଙ୍କାର ଚୁକ୍ତି ସ୍ୱାକ୍ଷର କରିଥିଲା। ତେବେ ଏହି ରାଜିନାମା ପାଇଁ ଭାରତର କିଛି ବରିଷ୍ଠ ନେତା ଏବଂ ସେନାଧିକାରୀଙ୍କୁ ବୋଫର୍ସ କମ୍ପାନି ୬୪ କୋଟିର ଲାଞ୍ଚ ଦେଇଥିଲା ବୋଲି ୧୯୮୭ ଏପ୍ରିଲ୍‌ ୧୬ରେ ସ୍ୱେଡେନ୍‌ ବେତାର ବାର୍ତ୍ତା ଦାବି କରିଥିଲା। କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ(ସିବିଆଇ) ୧୯୯୦ ଜାନୁଆରି ୨୨ରେ ଘଟଣାର ତଦନ୍ତ ଆରମ୍ଭ କରି ୧୦ ବର୍ଷ ପରେ ବୋଫର୍ସ କମ୍ପାନିର ତତ୍କାଳୀନ ନିର୍ଦ୍ଦେଶକ ମାର୍ଟିନ୍‌ ଆର୍ଡବୋ, ମଧ୍ୟସ୍ଥି ଓ୍ଵିନ୍‌ ଚଢ଼ା, ଇଟାଲୀୟ ବ୍ୟବସାୟୀ ଅଟ୍ଟାଭିଓ କ୍ୱାତ୍ରୋଚି, ତତ୍କାଳୀନ ପ୍ରତିରକ୍ଷା ସଚିବ ଏସ୍‌କେ ଭଟ୍ଟନଗର ଏବଂ ଯୁରୋପରେ ଅବସ୍ଥାପିତ ଭାରତୀୟ ବ୍ୟବସାୟୀ ହିନ୍ଦୁଜା ଭ୍ରାତାଙ୍କ ବିରୋଧରେ ଚାର୍ଜ ସିଟ୍‌ ଦାଖଲ କରିଥିଲା।
ତେବେ ୨୦୦୪ ଫେବ୍ରୁଆରି ୪ରେ ଦିଲ୍ଲୀ ହାଇକୋର୍ଟ ପୂର୍ବତନ ପ୍ରଧାନମନ୍ତ୍ରୀ ସ୍ୱର୍ଗତ ରାଜୀବ ଗାନ୍ଧୀଙ୍କୁ ଦୋଷମୁକ୍ତ କରିବା ସହ ବୋଫର୍ସ କମ୍ପାନି ବିରୋଧରେ ଚାର୍ଜ ଫ୍ରେମ୍‌ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ପରେ ୨୦୦୫ ମେ ୩୧ରେ ହାଇକୋର୍ଟ ବୋଫର୍ସ କମ୍ପାନି ଏବଂ ସମସ୍ତ ଅଭିଯୁକ୍ତଙ୍କ ବିରୋଧରେ ସିବିଆଇ ରୁଜୁ କରିଥିବା ମାମଲାକୁ ଖାରଜ କରିବା ସହ ସମସ୍ତ ଅଭିଯୁକ୍ତଙ୍କୁ ଦୋଷମୁକ୍ତ କରିଥିଲେ। ତେବେ ଏହାକୁ ଚାଲେଞ୍ଜ କରି ବିଜେପି ନେତା ଅଜୟ ଅଗ୍ରଓ୍ଵାଲ ଦାଖଲ କରିଥିବା ଆବେଦନକୁ ଗୁରୁତ୍ୱ ଦେଇ ଆଟର୍ଣ୍ଣି ଜେନେରାଲ କେ କେ ବେଣୁ ଗୋପାଳ ହାଇକୋର୍ଟଙ୍କ ରାୟ ବିରୋଧରେ ସୁପ୍ରିମକୋର୍ଟ ଯିବାକୁ ସିବିଆଇକୁ ପରାମର୍ଶ ଦେଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe