ଭାରତକୁ ରୁଷ୍ ଦେବ ଟିକା, ୧୦ କୋଟି ଡୋଜ୍ ଦେବାକୁ ଡକ୍ଟର ରେଡିସ୍ ସହ ରାଜିନାମା

ଭାରତକୁ ରୁଷ୍ ଦେବ ଟିକା, ୧୦ କୋଟି ଡୋଜ୍ ଦେବାକୁ ଡକ୍ଟର ରେଡିସ୍ ସହ ରାଜିନାମା

Image Courtesy of Firstpost

ମସ୍କୋ: ରୁଷିଆ ପକ୍ଷରୁ ବିକଶିତ ବିଶ୍ବର ପ୍ରଥମ କରୋନା ଟିକା ଭାରତକୁ ମିଳିବ। ଭାରତୀୟ ଫାର୍ମା କମ୍ପାନି ଡକ୍ଟର ରେଡିସ୍‌ ଲାବରେଟୋରିଜ୍ ସହିତ ରୁଷିଆର ସଭରେନ୍‌ ୱେଲ୍‌ଥ ଫଣ୍ଡ୍ ଏ ନେଇ ଏକ ରାଜିନାମା ସ୍ବାକ୍ଷର କରିଛି। ଭାରତରେ ଏହି ଟିକାର ନୈଦାନିକ ପରୀକ୍ଷଣ ଓ ବଣ୍ଟନ ପାଇଁ ଦୁଇ ସଂସ୍ଥା ମଧ୍ୟରେ ରାଜିନାମା ହୋଇଛି। ଭାରତରେ ନିୟାମକ ସଂସ୍ଥାର ଅନୁମତି ମିଳିଲେ ରୁଷିଆନ୍ ଡାଇରେକ୍ଟ ଇନଭେଷ୍ଟମେଣ୍ଟ୍ ଫଣ୍ଡ୍ (ଆରଡିଆଇଏଫ୍‌) ଡକ୍ଟର ରେଡିସ୍ ଲାବରେଟୋରିଜ୍‌କୁ ସ୍ପୁଟନିକ୍‌-ଭି ଟିକାର ୧୦ କୋଟି ଡୋଜ୍ ଯୋଗାଇ ଦେବ। ଭାରତରେ ଅବସ୍ଥାପିତ ରୁଷର ରାଷ୍ଟ୍ରଦୂତ ନିକୋଲୟ କୁଡାସେଭ୍ ଭାରତରେ ଏହି ଟିକାର ଉତ୍ପାଦନ ପାଇଁ ନିକଟ ଅତୀତରେ ଭାରତୀୟ ଅଧିକାରୀମାନଙ୍କ ସହିତ ଆଲୋଚନା କରିସାରିଛନ୍ତି।

ଆରଡିଆଇଏଫର ସିଇଓ କିରିଲ୍ ଡିମିଟ୍ରିଭ କହିଛନ୍ତି, ଭାରତରେ ଡକ୍ଟର ରେଡିସ୍ ସହିତ ସହଯୋଗ ସ୍ଥାପନ ନେଇ ଅତ୍ୟନ୍ତ ଆନନ୍ଦିତ। ଡକ୍ଟର ରେଡିସ୍ ଲାବ୍ ଭାରତର ଏକ ପ୍ରମୁଖ ଔଷଧ କମ୍ପାନି ହୋଇଥିବାବେଳେ ରୁଷିଆରେ ମଧ୍ୟ ଗତ ୨୫ ବର୍ଷରୁ ଅଧିକ ସମୟ ହେଲା ବ୍ୟବସାୟ କରିଆସୁଛି। ପରୀକ୍ଷଣ ଠିକ୍‌ଠାକ୍ ରହିଲେ ଭାରତକୁ ଏହି ଟିକା ଆସନ୍ତା ନଭେମ୍ବର ମାସରେ ଉପଲବ୍ଧ ହୋଇଯିବ ବୋଲି ସେ କହିଛନ୍ତି। ସେହିଭଳି ଡକ୍ଟର ରେଡିସ ଲାବର ସହ-ଅଧ୍ୟକ୍ଷ ତଥା ଏମ୍‌ଡି ଜି ଭି ପ୍ରସାଦ କହିଛନ୍ତି, ସ୍ପୁଟନିକ-ଭି ଟିକାର ପ୍ରଥମ ଓ ଦ୍ବିତୀୟ ପର୍ଯ୍ୟାୟ ପରୀକ୍ଷଣ ଉତ୍ସାହଜନକ ରହିଛି। ଭାରତରେ ଆମେ ଏହି ଟିକାର ତୃତୀୟ ପର୍ଯ୍ୟାୟ ପରୀକ୍ଷଣ କରିବୁ। ଭାରତୀୟ ନିୟାମକ ସଂସ୍ଥାର ଅନୁମତି ହାସଲ ପାଇଁ ଏହା କରାଯିବ ବୋଲି ସେ କହିଛନ୍ତି।

ଗାମାଲେଇ ନ୍ୟାସନାଲ ରିସର୍ଚ୍ଚ ଇନଷ୍ଟିଚ୍ୟୁଟ୍ ଅଫ୍ ଏପିଡର୍ମିଓଲୋଜି ଆଣ୍ଡ ମାଇକ୍ରୋବାଇଲୋଜି ପକ୍ଷରୁ ବିକଶିତ ବିଶ୍ବର ପ୍ରଥମ କରୋନା ଟିକାକୁ ରୁଷିଆର ସ୍ବାସ୍ଥ୍ୟ ମନ୍ତ୍ରାଳୟ ଗତ ଅଗଷ୍ଟ ୧୧ ତାରିଖରେ ପଞ୍ଜୀକୃତ କରିଛି। ଅନ୍ତର୍ଜାତୀୟ ସ୍ତରର ମେଡିକାଲ ପତ୍ରିକା ଲାନସେଟ୍ ପକ୍ଷରୁ ପ୍ରକାଶିତ ରିପୋର୍ଟରେ ଉକ୍ତ ଟିକାର କୌଣସି ପ୍ରତିକୂଳ ପ୍ରଭାବ ନାହିଁ ବୋଲି କୁହାଯାଇଛି। ପଞ୍ଜୀକରଣ ପରେ ସ୍ପୁଟନିକ ଭି ଟିକାର ପରୀକ୍ଷା ୪୦ ହଜାର ସ୍ବେଚ୍ଛାସେବୀଙ୍କଠାରେ ହୋଇଛି ବୋଲି ଆରଡିଆଇଏଫ କହିଛି। ପଞ୍ଜୀକରଣ ପରେ ଏହି ଟିକାର ପରୀକ୍ଷଣରେ ସାମିଲ ହେବା ପାଇଁ ୫୫ ହଜାରରୁ ଅଧିକ ସ୍ବେଚ୍ଛସେବୀ ଆବେଦନ କରିଛନ୍ତି। ତେବେ ଏହି ପରୀକ୍ଷଣର ଫଳାଫଳ ଆସନ୍ତା ‌ଅକ୍ଟୋବର-ନଭେମ୍ବର ବେଳକୁ ଆସିଯିବ ବୋଲି ଆଶା କରାଯାଉଛି। ଏପରିକି ନିକଟରେ ସାଂଘାଇ ସହଯୋଗ ସଂଗଠନ (ଏସସିଓ)ର ବୈଠକରେ ଯୋଗଦେବା ପାଇଁ ମସ୍କୋ ଗସ୍ତରେ ଥିବାବେଳେ ଭାରତର ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ ଜୟଶଙ୍କର ଏ ସଂକ୍ରାନ୍ତରେ ଆଲୋଚନା ମଧ୍ୟ କରିଥିବା କୁହାଯାଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe