ଜୀବନଟା ଏଠି ଅନିଶ୍ଚିତତା: କେତେବେଳେ କିଛି ବି ହେଇପାରେ, ରାଗ-ରୁଷା ଛାଡନ୍ତୁ ଖୁସିରେ ବଞ୍ଚନ୍ତୁ... ଚେତେଇ ଦେଲା ବିମାନ ଦୁର୍ଘଟଣା

ଜୀବନ କ୍ଷଣସ୍ଥାୟୀ, ଏଇ ଅଛି ଏଇ ନାହିଁ.. ଜୀବନ ଉପରେ ଭରସା କରିହେବନି, କେତେବେଳେ କିଛି ବି ହୋଇପାରେ । ଆମେ ଯାହା ଭାବୁ, ସମୟର ନିର୍ଦ୍ଦେଶ କିଛି ଅଲଗା ଥାଏ.. ତେଣୁ ରାଗ, ରୁଷା, ଅଭିମାନ, ହିଂସା ଛାଡି ଜୀବନକୁ ଜୀବନ ଭଳି ଉପଭୋଗ କରନ୍ତୁ

jibana

Photograph: (sambad.in)

ନୂଆଦିଲ୍ଲୀ: ଜୀବନକୁ କି ଅବା ଭରସା.. ଆଜି ଅଛି କାଲିକି ନାହିଁ.. ଆପଣ ଏହି ଲୋକପ୍ରିୟ ଓଡିଆ ଗୀତଟି ନିହାତି କେବେ ନା କେବେ ଶୁଣିଥିବେ, ଗାଇଥିବେ ଅବା କେବେ ମୃତ୍ୟୁ ଉପରେ ଚର୍ଚ୍ଚା କଲାବେଳେ କହିଥିବେ । ଏ ଗୀତର ଅର୍ଥ ଆଜି ପୁଣି ଥରେ ତାଜା ହୋଇଛି ଯେତେବେଳେ ଆଶାର ଉଡାଣ ଭରୁଥିବା ବିମାନ ମୃତ୍ୟୁର ଉଡାଣରେ ବଦଳିଯାଇଛି । ବିମାନ ଦୁର୍ଘଟଣା ହିଁ ଲୋକଙ୍କୁ ଚେତାଇ ଦେଇଛି ଯେ ଜୀବନ କ୍ଷଣସ୍ଥାୟୀ, ଏଇ ଅଛି ଏଇ ନାହିଁ.. ଜୀବନ ଉପରେ ଭରସା କରିହେବନି, କେତେବେଳେ କିଛି ବି ହୋଇପାରେ । ଆମେ ଯାହା ଭାବୁ, ସମୟର ନିର୍ଦ୍ଦେଶ କିଛି ଅଲଗା ଥାଏ..

ନହେଲେ ସ୍ବପ୍ନର ଉଡ଼ାଣ, ହସ ଖୁସିର ଉଡ଼ାଣ ଓ ଆବେଗ-ଅପେକ୍ଷାର ଉଡ଼ାଣ କଣ ମୃତ୍ୟୁର ଉଡ଼ାଣରେ ପରିଣତ ହୋଇଥାନ୍ତା । ଥରେ ଭାବିଲେ, ବିମାନ ଉଡାଣ ପୂର୍ବରୁ କିଏ କେତେ ସ୍ବପ୍ନ ନେଇ ସିଟରେ ବସିଥିବ । କିଏ ବିମାନ ପହଞ୍ଚିବା ପରେ ଅଫିସ ଯିବାକୁ ସ୍ଥିର କରିଥିବ । କିଏ ନିଜ ସ୍ବାମୀ ପାଖରେ ପହଞ୍ଚି ତାଙ୍କୁ କୋଳେଇ ବିରହ ପରର ମିଳନର ମିଠା ମୁହୂର୍ତ୍ତ ବିତେଇବାକୁ ଚାହିଁଥିବ । ପୁଣି କିଏ ନିଜ ପୁଅ, ଝିଅ, ଆତ୍ମୀୟ ସ୍ବଜନଙ୍କ ପାଖକୁ ଯାଇ କିଛି ଦିନ ଲଣ୍ଡନରେ ବିତେଇବାକୁ ବିମାନରେ ବସିଥିବ । ହେଲେ ସେମାନଙ୍କ ସବୁ ସ୍ବପ୍ନ ସ୍ବପ୍ନରେ ହିଁ ରହିଗଲା ।

କିଏ ସ୍ବପ୍ନ ସାକାର କରିବାକୁ ଉଡ଼ାଣ ଭରିଥିଲା ତ କିଏ ସ୍ବପ୍ନ ସାଇତିବାକୁ, କିଏ ନିଜର ଲୋକଙ୍କୁ ଭେଟିବାକୁ ଯାଉଥିଲା ତ କିଏ ଭାରତରୁ ସୁନ୍ଦର ସ୍ମୃତି ନେଇ ବିଦାୟ ନେଇଥିଲା । ହେଲେ କିଏ ଜାଣିଥିଲା ଏ ଯାତ୍ରା ଅନ୍ତିମ ଯାତ୍ରା ହୋଇଯିବ । ରାଜସ୍ଥାନ ବାଂଶୱାଡ଼ାର ଡାକ୍ତର ପରିବାର ପୂରା ଛାରଖାର ହୋଇଯାଇଛି । ଡାକ୍ତର ପ୍ରତୀକ ତାଙ୍କ ପତ୍ନୀ ଏବଂ ୩ ଛୁଆଙ୍କ ସହ ନେଇଥିବା ସେଲ୍ଫି ଶେଷ ସେଲ୍ଫି ପାଲଟିଯାଇଛି । ଏମିତି ଅନେକ କାହାଣୀ ଏବେ ସାମ୍ନାକୁ ଆସୁଛି ।

ଥରେ ଭାବିଲେ ସମୟ ଆପଣଙ୍କ ସହ କେଉଁ ଖେଳ ଖେଳିପାରେ । ଆପଣ ଘରୁ ଛୁଟି କାଟିବାକୁ ବୁଲିବାକୁ ବାହାରିଥିବେ ହେଲେ ଆତଙ୍କୀ ଗୁଳିରେ ଜୀବନ ପଳେଇବ । ଆପଣ କାହା ଟ୍ରଫି ଶୋଭାଯାତ୍ରା ଦେଖିବାକୁ ଯାଇଥିବେ ହେଲେ ଆପଣଙ୍କ ଉପରେ ମୃତ୍ୟୁର ଜୁଆର ମାଡିଯିବ । ଆପଣ ବିଦେଶ ଯିବାକୁ ଅନେକ ପ୍ଲାନ କରି ପ୍ଲେନରେ ବସିଥିଲେ ହେଲେ ମାଟିରୁ ଉଠୁ ଉଠୁ ମୃତ୍ୟୁ ଛୁଇଁଯିବ । ଆପଣ ହଷ୍ଟେଲରେ ଖାଇ ବସିଥିଲେ ଆଉ ଆପଣଙ୍କ ଉପରେ ମୃତ୍ୟୁ ଖସିପଡିବଟ୍ଟ ଓଃ କି ପରିସ୍ଥିତି । ଜୀବନ ମାନେ ବୋଧେ ଯମ ନା ଜୀବନଟା ଏମିତିଟ୍ଟକେତେବେଳେ କିଛି ବି ହେଇଯିବ । ଜୀବନଟା ଏଠି ଅନିଶ୍ଚିତତା..

ବିମାନ ଦୁର୍ଘଟଣାରେ ଜୀବନ ସହ ଖାଲି ଆଶା, ଆକାଂକ୍ଷା, ଇଚ୍ଛା, ସ୍ବପ୍ନ ଜଳିଗଲାନି ବରଂ କିଛି ମୋବାଇଲ ଫ୍ଲାଇଟ୍ ମୋଡରେ ହିଁ ରହିଗଲା । ମାଆକୁ ପୁଅ ପଠେଇଥିବା ଶେଷ ଫଟୋ, ଶେଷ ମେସେଜ ମାଟିରେ ରହୁଥିବା ମାଆ ପାଖରେ ପହଞ୍ଚିବା ପୂର୍ବରୁ ସେହି ମେସେଜ ସବୁ ଆକାଶରେ ଅଟକିଗଲା..

ତେଣୁ ଜୀବନକୁ ନେଇ ସବୁବେଳେ ବ୍ୟସ୍ତ ହେଉଥିବା ଏବଂ ନିଜ ପରିସ୍ଥିତି, ପଇସାକୁ ନେଇ ଗର୍ବ କରୁଥିବା ଲୋକ ଏହି ଘଟଣାକୁ ନେଇ ଚେତିବା ଦରକାର କି ଜୀବନରେ କେତେବେଳେ କିଛି ବି ହୋଇପାରେ । ତେଣୁ ରାଗ, ରୁଷା, ଅଭିମାନ, ହିଂସା ଛାଡି ଜୀବନକୁ ଜୀବନ ଭଳି ଉପଭୋଗ କରନ୍ତୁ । ବର୍ତ୍ତମାନକୁ ନେଇ ଖୁସି ହୁଅନ୍ତୁ । କାରଣ କିଏ ବା କହିବ ଆପଣଙ୍କ ଆଗାମୀ ସମୟ କାନ୍ଦରେ ବଦଳି ନଯିବ ବୋଲି, ତେଣୁ ଖୁସିରେ ରୁହନ୍ତୁ..

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe