ଏଆଇ୧୭୧ ବିମାନ ଦୁର୍ଘଟଣା: ‘ପାଇଲଟ୍‌ ତ୍ରୁଟି’ କହିବା ଦୁର୍ଭାଗ୍ୟଜନକ, କେନ୍ଦ୍ର, ଡିଜିସିଏଠାରୁ ‌ଜବାବ ମାଗିଲେ

ଅହମବାଦରେ ଚଳିତବର୍ଷ ଜୁନ ୧୨ରେ ହୋଇଥିବା ଏଆଇ ୧୭୧ ବିମାନ ଦୁର୍ଘଟଣାର ପ୍ରାରମ୍ଭିକ ରିପୋର୍ଟରେ ‘ପାଇଲଟ୍‌ ତ୍ରୁଟି’ ଉଲ୍ଲେଖ କରାଯିବାକୁ ସୁପ୍ରିମ୍‌କୋର୍ଟ ଦୁର୍ଭାଗ୍ୟଜନକ କହିଛନ୍ତି।

jjsjsfjfss

ନୂଆଦିଲ୍ଲୀ: ଅହମବାଦରେ ଚଳିତବର୍ଷ ଜୁନ ୧୨ରେ ହୋଇଥିବା ଏଆଇ ୧୭୧ ବିମାନ ଦୁର୍ଘଟଣାର ପ୍ରାରମ୍ଭିକ ରିପୋର୍ଟରେ ‘ପାଇଲଟ୍‌ ତ୍ରୁଟି’ ଉଲ୍ଲେଖ କରାଯିବାକୁ ସୁପ୍ରିମ୍‌କୋର୍ଟ ଦୁର୍ଭାଗ୍ୟଜନକ କହିଛନ୍ତି। ଏଥିସହିତ ଏହି ଦୁର୍ଘଟଣାର ସ୍ବାଧୀନ ତଦନ୍ତ ଦାବିରେ କରାଯାଇଥିବା ଏକ ଆବେଦନ ଉପରେ ସୁପ୍ରିମ୍‌କୋର୍ଟ କେନ୍ଦ୍ର ସରକାର ଓ ବେସାମରିକ ବିମାନ ଚଳାଚଳ ମହାନିର୍ଦ୍ଦେଶାଳୟ (ଡିଜିସିଏ)ଠାରୁ ଦୁଇ ସପ୍ତାହ ମଧ୍ୟରେ ଜବାବ ମାଗିଛନ୍ତି। 

ଏଏଆଇବି (ବିମାନ ଦୁର୍ଘଟଣା ତଦନ୍ତ ବ୍ୟୁରୋ) ପକ୍ଷରୁ ଜୁଲାଇରେ ଦୁର୍ଘଟଣାର କାରଣ ସଂପର୍କରେ ଏକ ପ୍ରାରମ୍ଭିକ ରିପୋର୍ଟ ପ୍ରକାଶ ପାଇଥିଲା। ଏଥିରେ ଉଲ୍ଲେଖ କରାଯାଇଥିଲା ଯେ କ୍ୟାପଟେନ୍‌ ସୁମିତ ସବରୱାଲ ଏବଂ ଫାଷ୍ଟ୍‌ ଅଫିସର କ୍ଲାଇଭ କୁନ୍ଦରଙ୍କ ମଧ୍ୟରେ କଥାବାର୍ତ୍ତା ହୋଇଥିଲା। କକ୍‌ପିଟ୍‌ ଅଡିଓରେ ରେକର୍ଡ ହୋଇଛି ଯେ ଜଣେ ପାଇଲଟ୍ ପଚାରିଥିଲେ ତୁମେ କାହିଁକି ଇନ୍ଧନ ସୁଇଚ୍‌ ବନ୍ଦ କରିଦେଲ? ଅନ୍ୟ ଜଣେ ପାଇଲଟ୍‌ ଉତ୍ତର ଦେଇଥିଲେ ‌ମୁଁ ବନ୍ଦ କରିନାହିଁ। ଏହି କାରଣରୁ ସାଧାରଣରେ ଧାରଣା ସୃଷ୍ଟି ହୋଇଛି ଯେ ପାଇଲଟ୍‌ ତ୍ରୁଟି ପାଇଁ ବିମାନ ଦୁର୍ଘଟଣା ହୋଇଛି। ତେଣୁ କୋର୍ଟ ଏହା ଉପରେ ଜବାବ ମାଗିଛନ୍ତି। କୋର୍ଟ କହିଛନ୍ତି ଯେ ଚୂଡ଼ାନ୍ତ ରିପୋର୍ଟ ଆସିବା ପର୍ଯ୍ୟନ୍ତ ଗୁଜବକୁ ଏଡ଼ାଇବା ଆବଶ୍ୟକ। ବୈଷୟିକ ତ୍ରୁଟି ସଂପର୍କରେ ଆଗୁଆ ରିପୋର୍ଟ ଦେବା ଗୋପନୀୟତା, ମର୍ଯ୍ୟାଦା ସହିତ ସାଲିସ କରିବା ଭଳି ହେବ। 

ବିମାନ ସୁରକ୍ଷା ‌କ୍ଷେତ୍ରରେ କାର୍ଯ୍ୟ କରୁଥିବା ଏନ୍‌ଜିଓ ସେଫ୍ଟି ମ୍ୟାଟର୍ସ ଫାଉଣ୍ଡେସନ ଜନସ୍ବାର୍ଥ ମାମଲା(ପିଆଇଏଲ୍‌)ରେ ଦର୍ଶାଇଛି ଯେ ପ୍ରାରମ୍ଭିକ ରିପୋର୍ଟରେ ଅନେକ ଗୁରୁତ୍ବପୂର୍ଣ୍ଣ ତଥ୍ୟକୁ ପ୍ରକାଶ କରାଯାଇ ନାହିଁ। ଏହା ନାଗରିକଙ୍କ ବଞ୍ଚିବାର ମୌଳିକ ଅଧିକାରକୁ କ୍ଷୁଣ୍ଣ କରୁଛି। ଏଥିସହିତ ରିପୋର୍ଟରେ ଅସାମଞ୍ଜସ୍ୟକୁ କମ୍‌ ଗୁରୁତ୍ବ ଦିଆଯାଇଥିବାରୁ ପିଆଇଏଲ୍‌ରେ ସମାଲୋଚନା କରାଯାଇଛି। ଆବେଦନକାରୀଙ୍କ ପକ୍ଷରୁ ବରିଷ୍ଠ ଆଇନଜୀବୀ ପ୍ରଶାନ୍ତ ଭୂଷଣ ଯୁକ୍ତି ରଖିଥିଲେ ଯେ ଦୁର୍ଘଟଣାକୁ ୧୦୦ରୁ ଅଧିକ ଦିନ ବିତି ଯାଇଥିଲେ ମଧ୍ୟ କେବଳ ପ୍ରାରମ୍ଭିକ ରିପୋର୍ଟ ପ୍ରକାଶ କରାଯାଇଛି।  କ’ଣ ପାଇଁ ଦୁର୍ଘଟଣା ହେଲା ଏବଂ ଆଗୁଆ କ’ଣ ପଦ‌କ୍ଷେପ ନିଆଯିବାର ଆବଶ୍ୟକତା ଥିଲା ତାହା ରିପୋର୍ଟରେ କୁହାଯାଇନାହିଁ। ସେହିଭଳି ତଦନ୍ତ ପାଇଁ ଗଠନ ହୋଇଥିବା ୫ ଜଣିଆ କମିଟିରେ ଡିଜିସିଏର ୩ ଜଣ ସଦସ୍ୟ ଥିଲେ। ଯେଉଁ ସଂସ୍ଥା ଉପରେ ଅଙ୍ଗୁଳି ଉଠିଛି ସେହି ସଂସ୍ଥାର ସଦସ୍ୟମାନେ କିଭଳି ତଦନ୍ତ କରିବେ ବୋଲି ସେ ପ୍ରଶ୍ନ ଉଠାଇଛନ୍ତି।

ଆଇନଜୀବୀ କୋର୍ଟଙ୍କୁ ଜଣାଇଥିଲେ ଯେ କେନ୍ଦ୍ରକୁ ପ୍ରାଥମିକ ରିପୋର୍ଟ ହସ୍ତାନ୍ତର ହେବା ପୂର୍ବରୁ ଆମେରିକ‌ାର ୱାଲ ଷ୍ଟ୍ରିଟ୍ ଜର୍ଣ୍ଣାଲ ଦୁର୍ଘଟଣାର ତଦନ୍ତ ଉପରେ ଏକ ଲେଖା ପ୍ରକାଶ କରିଥିଲା। ଏହାପରେ ସରକାର ଆନୁଷ୍ଠାନିକ ଭାବରେ ରିପୋର୍ଟ ପ୍ରକାଶ କଲେ ଏବଂ ସମସ୍ତେ ଏହା ପାଇଲଟ୍ ତ୍ରୁଟି ବୋଲି କହି ବୁଲିଲେ। ବିଚାରପତି ସୂର୍ଯ୍ୟକାନ୍ତ ଓ ଏନ୍‌ କୋଟିଶ୍ୱର ସିଂହଙ୍କ ଖଣ୍ଡପୀଠଙ୍କୁ ଆଇନଜୀବୀ ଏହା  ଜଣାଇଥିଲେ। ଜଷ୍ଟିସ କାନ୍ତ ଏହାପରେ କହିଥିଲେ ଯେ ଏହା ଦୁର୍ଭାଗ୍ୟଜନକ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe