ପୁରୁଣା ପ୍ରତିଷ୍ଠାନରୁ ୧.୫ ଲକ୍ଷ ଇଞ୍ଜିନିୟରିଙ୍ଗ୍ ଓ ମ୍ୟାନେଜ୍‌ମେଣ୍ଟ୍ ସିଟ୍ ହ୍ରାସ କରି ନୂଆ ପ୍ରତିଷ୍ଠାନରେ ୧. ୪ ଲକ୍ଷ ମିଶାଇଲା ‘ଏଆଇସିଟିଇ’

Advertisment
ପୁରୁଣା ପ୍ରତିଷ୍ଠାନରୁ ୧.୫ ଲକ୍ଷ ଇଞ୍ଜିନିୟରିଙ୍ଗ୍ ଓ ମ୍ୟାନେଜ୍‌ମେଣ୍ଟ୍ ସିଟ୍ ହ୍ରାସ କରି ନୂଆ ପ୍ରତିଷ୍ଠାନରେ ୧. ୪ ଲକ୍ଷ ମିଶାଇଲା ‘ଏଆଇସିଟିଇ’

Image Courtesy of The New Indian Express

ନୂଆଦିଲ୍ଲୀ: ଏ ବର୍ଷ ଭାରତର ପୁରାତନ ପ୍ରତିଷ୍ଠାନଗୁଡ଼ିକରେ ଇଞ୍ଜିନିୟରିଙ୍ଗ୍, ମ୍ୟାନେଜ୍‌ମେଣ୍ଟ୍‌ ଏବଂ ଅନ୍ୟ କେତେକ ବୈଷୟିକ ଡିଗ୍ରି ସିଟ୍‌ ସଂଖ୍ୟା ପ୍ରାୟ ୧.୫ ଲକ୍ଷ ହ୍ରାସ ପାଇଥିବା ବେଳେ ନୂଆ ପ୍ରତିଷ୍ଠାନଗୁଡ଼ିକରେ ପ୍ରାୟ ୧. ୪ ଲକ୍ଷ ସିଟ୍‌ ବୃଦ୍ଧି ପାଇଛି।

ପ୍ରତିଷ୍ଠାନ ବନ୍ଦ ହୋଇଯିବା, ବୈଷୟିକ ଶିକ୍ଷା ନିୟନ୍ତ୍ରକଙ୍କର ଶୃଙ୍ଖଳାଯୁକ୍ତ କାର୍ଯ୍ୟାନୁଷ୍ଠାନ କିଂବା କେତେକ ପ୍ରତିଷ୍ଠାନ ରିନ୍ୟୁଆଲ୍ ନ ପାଇବା କାରଣରୁ ୨୦୨୦-୨୧ ଶିକ୍ଷା ବର୍ଷରେ ପାଖାପାଖି ୧. ୫ ଲକ୍ଷ ସିଟ୍‌ ହ୍ରାସ ପାଇଥିଲା।

କିନ୍ତୁ, ନୂଆ ନୂଆ ପ୍ରତିଷ୍ଠାନଗୁଡ଼ିକରେ ଉପରୋକ୍ତ ଶିକ୍ଷା ବର୍ଷରେ ପ୍ରାୟ ୧.୪ ଲକ୍ଷ ନୂଆ ସିଟ୍‌ ସାମିଲ କରାଯାଇଛି। ଏଥିରୁ ଜଣାପଡୁଛି ଯେ, ବୈଷୟିକ ଶିକ୍ଷା କ୍ଷେତ୍ରରେ ହାରାହାରି ୧୦ ହଜାର ସିଟ୍‌ ହ୍ରାସ ପାଇଛି।

ସୋମବାର ଦିନ ଅଲ୍‌ ଇଣ୍ଡିଆ କାଉନ୍‌ସିଲ୍ ଫର୍ ଟେକ୍ନିକାଲ୍ ଏଜୁକେସନ୍ (ଏଆଇସିଟିଇ) ଚଳିତ ବର୍ଷ ପାଇଁ ସେୟାର କରିଥିବା ସିଟ୍ ମଞ୍ଜୁରୀ ତଥ୍ୟରୁ ଜଣାପଡ଼ିଛି ଯେ, ୯, ୬୯୧ ପ୍ରତିଷ୍ଠାନ ନିମନ୍ତେ ସମୁଦାୟ ୩୦, ୮୮, ୫୧୨ ସିଟ୍ ମଞ୍ଜୁର କରାଯାଇଛି।

ଇଞ୍ଜିନିୟରିଙ୍ଗ୍ ଏବଂ ମ୍ୟାନେଜ୍‌ମେଣ୍ଟ୍‌ ବ୍ୟତୀତ ‘ଏଆଇସିଟିଇ’ ପରିଚାଳନା କରୁଥିବା ଅନ୍ୟ ପାଠ୍ୟକ୍ରମଗୁଡ଼ିକ ହେଉଛି ଟାଉନ୍ ପ୍ଲାନିଙ୍ଗ୍, ଆପ୍ଲାଏଡ୍ ଆର୍ଟସ୍ ଆଣ୍ଡ୍ କ୍ରାଫ୍ଟସ୍, ହୋଟେଲ୍‌ ମ୍ୟାନେଜ୍‌ମେଣ୍ଟ୍‌ ଏବଂ କ୍ୟାଟରିଙ୍ଗ୍ ଟେକ୍ନୋଲୋଜି।

publive-image

ଗତବର୍ଷ ତୁଳନାରେ ‘ଏଆଇସିଟିଇ’ ଅନୁମୋଦନ କରିଥିବା ସିଟ୍‌ ସଂଖ୍ୟା ୨. ୫ ଲକ୍ଷରୁ ଊର୍ଦ୍ଧ୍ବ ହ୍ରାସ ପାଇଛି। ଏହାର କାରଣ ହେଉଛି ନିକଟରେ ସୁପ୍ରିମ୍ କୋର୍ଟ ଦେଇଥିବା ଆଦେଶ ଅନୁଯାୟୀ ଅନେକ ଆର୍କିଟେକ୍ଚର୍‌ ଏବଂ ଫାର୍ମାସି କଲେଜ ‘ଏଆଇସିଟିଇ’ ସହ ବାଧ୍ୟତାମୂଳକ ଭାବେ ଅନୁବନ୍ଧିତ ହୋଇନାହାନ୍ତି।

୩୪, ୫୫୩ ସିଟ୍‌ ଥିବା ସମୁଦାୟ ୧୭୯ଟି ପ୍ରତିଷ୍ଠାନ ଏ ବର୍ଷ ବନ୍ଦ ହୋଇଯାଇଥିବା ବେଳେ ୮, ୮୩୨ ସିଟ୍‌ ଥିବା ୪୪ଟି ପ୍ରତିଷ୍ଠାନ ନିୟନ୍ତ୍ରକଙ୍କ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଯୋଗୁଁ ବାଦ ପଡ଼ିଛନ୍ତି। ଏହାଛଡ଼ା, ୪୦, ୫୭୮ ସିଟ୍‌ ଥିବା ୧୩୪ ପ୍ରତିଷ୍ଠାନ ଏ ବର୍ଷ ରିନ୍ୟୁଆଲ୍‌ ଲାଗି ଆବେଦନ କରି ନାହାନ୍ତି।

ଏହା ବ୍ୟତିରେକେ, ୩୯, ୬୫୬ ସିଟ୍‌ ଥିବା ୧୬୪ଟି ନୂଆ ପ୍ରତିଷ୍ଠାନ ‘ଏଆଇସିଟିଇ’ ଅନୁମୋଦନ ପାଇ ଏ ବର୍ଷ ଆଡ୍‌ମିସନ୍‌ କରାଉଥିବା ବ‌େଳେ ୧, ୩୧୧ କଲେଜ୍ ୧, ୦୨, ୩୯୭ ଜଣ ଅଧିକ ଶିକ୍ଷାର୍ଥୀ ଗ୍ରହଣ କରିଛନ୍ତି।

‘ଏଆଇସିଟିଇ’ କହିଛି ଯେ, ଲକ୍‌ଡାଉନ୍‌ ‌ଘୋଷଣା ଓ ବାରମ୍ବାର ବୃଦ୍ଧି ସମେତ ଅନ୍ୟ କେତେଗୁଡ଼ିଏ କାରଣରୁ ଏବର୍ଷ ବିଭିନ୍ନ ପ୍ରତିଷ୍ଠାନରେ ସିଟ୍‌ ସଂଖ୍ୟା ହ୍ରାସ ପାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe