ବାୟୁସେନାରେ ସାମିଲ ହେଲା ଭାରତରେ ନିର୍ମିତ ପ୍ରଥମ ହାଲୁକା ଲଢୁଆ ହେଲିକପ୍ଟର୍‌

Advertisment
ବାୟୁସେନାରେ ସାମିଲ ହେଲା ଭାରତରେ ନିର୍ମିତ ପ୍ରଥମ ହାଲୁକା ଲଢୁଆ ହେଲିକପ୍ଟର୍‌

ଯୋଧପୁର: ରାଜସ୍ଥାନର ଯୋଧପୁରରେ ଆଜି ସ୍ବଦେଶରେ ନିର୍ମିତ ହାଲୁକା ଲଢୁଆ ହେଲିକପ୍ଟର୍‌ର ପ୍ରଥମ ଛେକକୁ ଭାରତୀୟ ବାୟୁସେନାରେ ସାମିଲ କରାଯାଇଛି।

ଏହି ଅବସରରେ ଆୟୋଜିତ ପ୍ରବେଶ ଉତ୍ସବରେ ‘ସର୍ବ-ଧରମ୍‌’ ପ୍ରାର୍ଥନା କରାଯାଇଥିଲା। ଏଥିରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଓ ବାୟୁସେନାର ମୁଖ୍ୟ ଚିଫ୍‌ ଏୟାର୍‌ ମାର୍ସାଲ୍‌ ଭି.ଆର୍‌. ଚୌଧରୀ ଉପସ୍ଥିତ ଥିଲେ।

ପ୍ରବେଶ ଉତ୍ସବରେ ଉଦ୍‌ବୋଧନ ଦେଇ ରାଜନାଥ ସିଂହ କହିଲେ, ଦୀର୍ଘ ଦିନରୁ ଲଢୁଆ ହେଲିକପ୍ଟର୍‌ ଆବଶ୍ୟକ ଥିଲା। ବିଶେଷ କରି, ୧୯୯୯ କାର୍ଗିଲ୍‌ ଯୁଦ୍ଧ ବେଳେ ଏହାର ଅଭାବ ଅନୁଭୂତ ହୋଇଥିଲା। ହାଲୁକା ଲଢୁଆ ହେଲିକପ୍ଟର୍‌ ହେଉଛି ୨ ଦଶନ୍ଧିର ଗବେଷଣା ଓ ବିକାଶର ପରିଣାମ। ଭାରତୀୟ ବାୟୁସେନାରେ ଏହର ପ୍ରବେଶ ମଧ୍ୟ ପ୍ରତିରକ୍ଷା ଉତ୍ପାଦ କ୍ଷେତ୍ରରେ ଗୁରୁତ୍ବପୂର୍ଣ୍ଣ।

publive-image Image Courtesy of NDTV

ସେ ଆହୁରି ମଧ୍ୟ କହିଛନ୍ତି, ବିଭିନ୍ନ ପ୍ରକାର ଅସ୍ତ୍ରଶସ୍ତ୍ର ବହନ କରି ଆବଶ୍ୟକ କ୍ଷେତ୍ରରେ ତୁରନ୍ତ ପହଞ୍ଚାଇବା ସହିତ ଏହି ହେଲିକପ୍ଟର୍‌ ଶତ୍ରୁ ସହିତ ଛକାପଞ୍ଝା କରିପାରିବ। ଏହା କେତେକ ପାର୍ବତ୍ୟ ଭୂଇଁରେ ଆମ ସଶସ୍ତ୍ର ସେନାର ଆବଶ୍ୟକତା ପୂରଣ କରିବ। ତେଣୁ, ଉଭୟ ସେନା ଓ ବାୟୁ‌ସେନା ପାଇଁ ଏହା ଗୁରୁତ୍ବ ବହନ କରୁଛି।

ଏହି ହେଲିକପ୍ଟରର ନାମ ‘ପ୍ରଚଣ୍ଡ’ ରଖାଯାଇଥିବା କଥା ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂହ ସୂଚନା ଦେଇଛନ୍ତି।

publive-image Image Courtesy of India Today

ସ୍ବଦେଶୀ ଜ୍ଞାନକୌଶଳରେ ଭାରତରେ ବିକଶିତ କରାଯାଇଥିବା ହାଲୁକା ଲଢୁଆ ହେଲିକପ୍ଟର୍‌ର ନିର୍ମାତା ହେଉଛି ‘ହିନ୍ଦୁସ୍ତାନ ଏରୋନଟିକ୍ସ୍‌ ଲିମିଟେଡ୍‌’। ୩,୮୮୭ କୋଟି ଟଙ୍କାରେ ‘ହିନ୍ଦୁସ୍ତାନ ଏରୋନଟିକ୍ସ୍‌ ଲିମିଟେଡ୍‌’ରୁ ୧୫ଟି ହାଲୁକା ଲଢୁଆ ହେଲିକପ୍ଟର୍‌ ଖରିଦ କରିବା ପ୍ରସ୍ତାବକୁ ମାର୍ଚ ମାସରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ବାଧୀନ ‘କ୍ୟାବିନେଟ୍‌ କମିଟି ଅନ୍‌ ସିକ୍ୟୁରିଟି’ ଅନୁମୋଦନ କରିଥିଲା। ଏଥିରୁ ୧୦ଟି ହେଲିକପ୍ଟର୍‌ ଭାରତୀୟ ବାୟୁସେନା ଓ ୫ଟି ଭାରତୀୟ ସେନାକୁ ଦିଆଯିବ ବୋଲି ପ୍ରତିରକ୍ଷା ମନ୍ତ୍ରାଳୟ କହିଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe