www.indiatoday.in
ନୂଆଦିଲ୍ଲୀ: କୁଏତ ବିଲ୍ଡିଂ ଅଗ୍ନିକାଣ୍ଡରେ ପ୍ରାଣ ହରାଇଥିବା ୪୫ ଜଣ ଭାରତୀୟଙ୍କ ମୃତଦେହକୁ ନେଇ ଏକ ସ୍ୱତନ୍ତ୍ର ଭାରତୀୟ ବାୟୁସେନା ବିମାନ ଶୁକ୍ରବାର ଦିନ ଭୋରୁ କେରଳ ଅଭିମୁଖେ ଯାତ୍ରା ଆରମ୍ଭ କରିଛି। କେନ୍ଦ୍ର ମନ୍ତ୍ରୀ କିର୍ତ୍ତୀ ବର୍ଦ୍ଧନ ସିଂ ଏକ ଏକ୍ସ ପୋଷ୍ଟ ଜରିଆରେ ଏହାକୁ ନିଶ୍ଚିତ କରିଛନ୍ତି। ମନ୍ତ୍ରୀ ନିଜେ ଏହି ବିମାନରେ ଉଡ଼ାଣ ଭରିଛନ୍ତି।
ଏହି ସ୍ୱତନ୍ତ୍ର ବିମାନଟି କେରଳର କୋଚିରେ ଅବତରଣ କରିବ। ଏହି କାରଣରକୁ କୋଚିନ୍ ଅନ୍ତର୍ଜାତୀୟ ବିମାନବନ୍ଦରରେ ପୁଲିସ ଏବଂ ଆମ୍ବୁଲାନ୍ସ ଟିମ୍ ନିୟୋଜିତ କରାଯାଇଛି।
ଗୁରୁବାର ଦିନ କୁଏତର କର୍ତ୍ତୃପକ୍ଷ ଏହି ଅଗ୍ନିକାଣ୍ଡରେ ପ୍ରାଣ ହରାଇଥିବା ୪୫ ଜଣ ଭାରତୀୟ ଏବଂ ତିନି ଜଣ ଫିଲିପାଇନ୍ସ ନାଗରିକଙ୍କ ମୃତଦେହ ଚିହ୍ନଟ କରିଛନ୍ତି। କୁଏତ ତୁରନ୍ତ ଘଟଣାର ତଦନ୍ତ କରିବାକୁ ପ୍ରତିଶ୍ରୁତି ଦେଇଛି ଏବଂ ପୀଡିତଙ୍କ ମୃତଦେହକୁ ଫେରାଇ ଆଣିବାରେ ପୂର୍ଣ୍ଣ ସମର୍ଥନ ଦେଇଛି।
ଗତ ବୁଧବାର କୁଏତ୍ର ଦକ୍ଷିଣରେ ଅବସ୍ଥିତ ମଙ୍ଗଫ୍ ସହରର ଏକ ବହୁତଳ କୋଠାରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଏଥିରେ ୪୯ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୫୦ଜଣ ଆହତ ହୋଇଛନ୍ତି। ମୃତକଙ୍କ ମଧ୍ୟରେ ସର୍ବାଧିକ ଭାରତୀୟ ଅଛନ୍ତି।
କୁଏତ୍ର ସବୁଠାରୁ ବଡ଼ ନିର୍ମାଣ ସଂସ୍ଥା ଏନ୍ବିଟିସି ଗ୍ରୁପ୍ର ଏହି ୬ ମହଲା କୋଠା ଘରଟି ଶ୍ରମିକଙ୍କ ରହିବା ପାଇଁ ବ୍ୟବହାର କରାଯାଉଥିଲା। ଏଥିରେ ୧୯୫ଜଣ ଶ୍ରମିକ ଓ ସଂସ୍ଥାର କର୍ମଚାରୀ ରହୁଥିଲେ। ସେମାନଙ୍କ ମଧ୍ୟରୁ ଅଧିକାଂଶ ଭାରତୀୟ ଏବଂ ସେମାନେ କେରଳ, ତାମିଲନାଡ଼ୁ ଓ ଉତ୍ତରପ୍ରଦେଶ, ଜମ୍ମୁ କଶ୍ମୀର ଆଦି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ଲୋକ। ଏହି ଦୁଃଖଦ ଘଟଣାକୁ ନେଇ ବିଶ୍ବ ସ୍ତବ୍ଧ ହୋଇଯାଇଛି।
Follow Us