କନଫର୍ମ ଟିକେଟ ଥାଇ ବି ଯାତ୍ରା କରିବାକୁ ଦେଇନଥିବାରୁ ଏୟାର ଇଣ୍ଡିଆ ଦେବ ୧୦ଲକ୍ଷ ଜରିମାନା

Advertisment
କନଫର୍ମ ଟିକେଟ ଥାଇ ବି ଯାତ୍ରା କରିବାକୁ ଦେଇନଥିବାରୁ ଏୟାର ଇଣ୍ଡିଆ ଦେବ ୧୦ଲକ୍ଷ ଜରିମାନା

ନୂଆଦିଲ୍ଲୀ: ବେସାମରିକ ବିମାନ ଚଳାଚଳ ନିର୍ଦ୍ଦେଶାଳୟ (ଡିଜିସିଏ) ମଙ୍ଗଳବାର ଦିନ ଏୟାର ଇଣ୍ଡିଆ ଉପରେ ୧୦ଲକ୍ଷ ଟଙ୍କାର ଜରିମାନା ଲଗାଇଛି। ଯାତ୍ରୀଙ୍କ ପାଖରେ କନଫର୍ମ ଟିକେଟ ଥାଇ ବି ଯାତ୍ରୀଙ୍କୁ ବିମାନରେ ଯାତ୍ରା କରିବାକୁ ଦିଆଯାଇନଥିବାରୁ ଏୟାର ଇଣ୍ଡିଆ ଉପରେ ଏହି ଜରିମାନା ଲଗାଇଛି ଡିଜିସିଏ।

ଡିଜିସିଏ ଏକ ବିବୃତିରେ କହିଛି ଯେ ଏଭଳି ଘଟଣା ଗୁରୁତର ଚିନ୍ତାର ବିଷୟ ଏବଂ ଏହା ଗ୍ରହଣୀୟ ନୁହେଁ। କନଫର୍ମ ଟିକେଟ ଥାଇ ବି ଯାତ୍ରୀଙ୍କୁ ବିମାନରେ ଯାତ୍ରା କରିବାର ସୁଯୋଗ ମିଳୁନଥିବା ସହ ଏଥିପାଇଁ ଏୟାରଲାଇନ ସେମାନଙ୍କୁ କୌଣସି କ୍ଷତିପୂରଣ ଦେଉନାହିଁ ଏବଂ ଏ ବାବଦରେ କୌଣସି ନୀତି ମଧ୍ୟ ନାହିଁ। ଯାତ୍ରୀମାନଙ୍କୁ କ୍ଷତିପୂରଣ ଦେବା ପାଇଁ ଡିଜିସିଏ ନିକଟରେ ଥିବା ନିୟମକୁ ଦୋହରାଇଛି ଏବଂ ଏୟାରଲାଇନଗୁଡ଼ିକୁ ଏହି ନିୟମକୁ କଡାକଡି ପାଳନ କରିବାକୁ କହିଛି।

ଡିଜିସିଏର ମହାନିର୍ଦ୍ଦେଶକ ଅରୁଣ କୁମାର କହିଛନ୍ତି, ବେଙ୍ଗାଲୁରୁ, ହାଇଦ୍ରାବାଦ ଏବଂ ଦିଲ୍ଲୀରେ ଡିଜିସିଏ ଦ୍ୱାରା ଏଭଳି ଘଟଣାର ଯାଞ୍ଚ କରାଯାଇଥିଲା। ଏହି ସମୟରେ ଏୟାର ଇଣ୍ଡିଆ ନିୟମାବଳୀ ପାଳନ କରୁନଥିବା କଥା ସାମ୍ନାକୁ ଆସିଥିଲା। ଏହା ପରେ ଡିଜିସିଏ ଦ୍ୱାରା ଏୟାରଲାଇନ୍ସକୁ ଏକ କାରଣ ଦର୍ଶାଅ ନୋଟିସ୍ ଜାରି କରାଯାଇଥିଲା ଏବଂ ଏ ବାବଦରେ ବ୍ୟକ୍ତିଗତ ଶୁଣାଣି ମଧ୍ୟ କରାଯାଇଥିଲା। ଏହି ଶୁଣାଣି ପରେ ଏବେ ଏୟାର ଇଣ୍ଡିଆ ଉପରେ ୧୦ଲକ୍ଷ ଟଙ୍କାର ଜରିମାନା ଲଗାଯାଇଛି।

ଏହା ପୂର୍ବରୁ ଜଣେ ଦିବ୍ୟାଙ୍ଗ ଶିଶୁକୁ ବିମାନରେ ଯାତ୍ରା କରିବାକୁ ଅନୁମତି ନଦେଇ ଜରିମାନା ଦେଇଥିଲା ଇଣ୍ଡିଗୋ। ସବୁଠୁ ବଡ଼ ଘରୋଇ ଏୟାରଲାଇନ୍‌ ଇଣ୍ଡିଗୋ ଉପରେ ଡିଜିସିଏ ୫ ଲକ୍ଷ ଟଙ୍କାର ଜରିମାନା ଲଗାଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe