ଏୟାର ଇଣ୍ଡିଆର ବିମାନ ଭିତରେ କ୍ରୁ ସଦସ୍ୟଙ୍କୁ ଅଶାଳୀନ ବ୍ୟବହାର ସହ ମାଡ଼ମାରିଲେ ଯାତ୍ରୀ

Advertisment
ଏୟାର ଇଣ୍ଡିଆର ବିମାନ ଭିତରେ କ୍ରୁ ସଦସ୍ୟଙ୍କୁ ଅଶାଳୀନ ବ୍ୟବହାର ସହ ମାଡ଼ମାରିଲେ ଯାତ୍ରୀ

ନୂଆଦିଲ୍ଲୀ: ଗୋଆରୁ ନୂଆଦିଲ୍ଲୀ ଅଭିମୁଖେ ଆସୁଥିବା ଏୟାର ଇଣ୍ଡିଆ ବିମାନରେ ଜଣେ ପୁରୁଷ ଯାତ୍ରୀ ଜଣେ କ୍ରୁ ମେମ୍ବରଙ୍କୁ ଶାରୀରିକ ନିର୍ଯାତନା ଦେଇଥିଲେ ଏବଂ ଦିଲ୍ଲୀ ବିମାନ ବନ୍ଦରରେ ଅବତରଣ କରିବା ପରେ ସଂପୃକ୍ତ ଯାତ୍ରୀଙ୍କୁ ସୁରକ୍ଷା କର୍ମୀଙ୍କୁ ହସ୍ତାନ୍ତର କରାଯାଇଥିଲା ବୋଲି ଏୟାର ଇଣ୍ଡିଆ ପକ୍ଷରୁ ଜାରି ଏକ ବିବୃତ୍ତିରେ କୁହାଯାଇଛି। ଏହି ଘଟଣା ଗତ ସୋମବାର ଘଟିଥିଲା।

ରିପୋର୍ଟରୁ ପ୍ରକାଶ, ଗତ କିଛି ମାସ ମଧ୍ୟରେ ବିମାନରେ ଯାତ୍ରୀଙ୍କ ଅଶାଳୀନ ଆଚରଣର ଏକାଧିକ ଘଟଣା ଘଟିଛି ଏବଂ ସଦ୍ୟତମ ଘଟଣା ଗୋଆରୁ ଦିଲ୍ଲୀ ଅଭିମୁଖେ ଯାଉଥିବା ବିମାନ ଏଆଇ୮୮୨ ଘଟିଛି। ବିମାନଟି ମଝି ଆକାଶରେ ଥିବାବେଳେ ଉକ୍ତ ଯାତ୍ରୀ ଜଣକ କ୍ରୁ ମେମ୍ବରଙ୍କୁ ଗାଳିଗୁଲଜ କରିବା ସହ ବିମାନରେ ଥିବା ଜଣେ କର୍ମଚାରୀଙ୍କୁ ଶାରୀରିକ ନିର୍ଯାତନା ଦେଇଥିଲେ। ଦିଲ୍ଲୀ ବିମାନ ବନ୍ଦରରେ ବିମାନଟି ଅବତରଣ କରିବା ପରେ ଯାତ୍ରୀ ଜଣଙ୍କ ଉତ୍ତେଜନାରେ ତାଙ୍କର ଆକ୍ରମଣାତ୍ମକ ଆଚରଣ ଜାରି ରଖିଥିଲେ। ଫଳରେ ତାଙ୍କୁ ସୁରକ୍ଷାକର୍ମୀଙ୍କୁ ହସ୍ତାନ୍ତର କରାଯାଇଥିଲା।

ଏୟାର ଇଣ୍ଡିଆର ଜଣେ ମୁଖପାତ୍ର ମଙ୍ଗଳବାର ଏକ ବିବୃତିରେ କହିଛନ୍ତି ଯେ ଆମେ ଏହି ଘଟଣା ବିଷୟରେ ଡିଜିସିଏଙ୍କୁ ମଧ୍ୟ ଜଣାଇଛୁ। ଆମର କ୍ରୁ ଏବଂ ଯାତ୍ରୀଙ୍କ ସୁରକ୍ଷା ଆମ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଏବଂ ଆମେ ଯାତ୍ରୀଙ୍କ ଏହି ଅଶାଳୀନ ଆଚରଣକୁ ଦୃଢ଼ ନିନ୍ଦା କରୁଛୁ। ପ୍ରଭାବିତ କ୍ରୁ ମେମ୍ବରମାନଙ୍କୁ ଆମେ ସମସ୍ତ ପ୍ରକାର ସହାୟତା ପ୍ରଦାନ କରିବୁ ବୋଲି ମୁଖପାତ୍ର କହିଛନ୍ତି।

ଉଲ୍ଲେଖଯୋଗ୍ୟ, ଗତ ଏପ୍ରିଲ ୧୦ ତାରିଖରେ ଦିଲ୍ଲୀ-ଲଣ୍ଡନ ବିମାନରେ ଦୁଇ ଜଣ ମହିଳା କ୍ୟାବିନ୍‌ କ୍ରୁ ସଦସ୍ୟଙ୍କୁ ଶାରୀରିକ କ୍ଷତି ପହଞ୍ଚାଇଥିବା ବ୍ୟକ୍ତିଙ୍କ ଉପରେ ଏୟାର ଇଣ୍ଡିଆ ୨ ବର୍ଷ ପାଇଁ ବିମାନ ଉଡ଼ାଣ ଉପରେ ନିଷେଧାଦେଶ ଜାରି କରିଥିଲା। ବେସାମରିକ ବିମାନ ଚଳାଚଳ ମହାନିର୍ଦ୍ଦେଶାଳୟ (ଡିଜିସିଏ)ର ନିୟମାବଳୀ ଅନୁଯାୟୀ ଜଣେ ଅଶାନ୍ତ ବିମାନ ଯାତ୍ରୀଙ୍କୁ ବିଭିନ୍ନ ସମୟ ପାଇଁ ଉଡ଼ାଣ ନିଷେଧାଦେଶର ସମ୍ମୁଖୀନ ହେବାକୁ ପଡ଼ିପାରେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe