ଭୟାନକ ଦୁର୍ଘଟଣା, ପ୍ରଥମ ଦୃଶ୍ୟ ଦେଖିଥିଲେ ସିଆଇଏସଏଫ୍‌ ଯବାନ୍

Advertisment

‘ହଠାତ୍‌ ସବୁକିଛି ଅନ୍ଧାର ହୋଇଯାଇଥିଲା’ ଆହତଙ୍କ ଚିତ୍କାର, ରକ୍ତ ଜୁଡ଼ୁବୁଡ଼ୁ ପୋଷାକ

‘ହଠାତ୍‌ ସବୁକିଛି ଅନ୍ଧାର ହୋଇଯାଇଥିଲା’ ଆହତଙ୍କ ଚିତ୍କାର, ରକ୍ତ ଜୁଡ଼ୁବୁଡ଼ୁ ପୋଷାକ

ଭୟାନକ ଦୁର୍ଘଟଣା, ପ୍ରଥମ ଦୃଶ୍ୟ ଦେଖିଥିଲେ ସିଆଇଏସଏଫ୍‌ ଯବାନ୍

କୋଝିକୋଡ୍: କେରଳର କୋଝିକୋଡ଼ରେ ଗତକାଲି ଘଟିଥିବା ଭୟାନକ ବିମାନ ଦୁର୍ଘଟଣା ରାଜ୍ୟବାସୀଙ୍କୁ ସ୍ତବ୍ଧ କରିଦେଇଛି। ଦୁବାଇରୁ କୋଝିକୋଡ଼ ଅଭିମୁଖେ ଯାତ୍ରା କରିଥିବା ଏୟ‌ାରଇଣ୍ଡିଆ ବିମାନ ଗତକାଲି କାରିପୁର ବିମାନ ବନ୍ଦରରେ କ୍ରାସ୍‌ଲ୍ୟାଣ୍ଡିଂ କରିବା ପରେ ଏହା ଖାଲରେ ପଡ଼ି ଦୁଇ ଖଣ୍ଡ ହୋଇଯାଇଥିଲା। ଏଥିରେ ଆଜି ରାତି ସୁଦ୍ଧା ୨୦ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଶତାଧିକ ଆହତଙ୍କ ଚିକିତ୍ସା ଚାଲିଛି। ଦୁର୍ଘଟଣାରୁ ବଞ୍ଚି ଯାଇଥିବା ଲୋକେ ଏହାକୁ ସ୍ମରଣ କରି ଥରି ଉଠୁଛନ୍ତି। ଦୁର୍ଘଟଣାର କିଛି ମୁହୂର୍ତ୍ତ ପୂର୍ବରୁ ବିମାନଟି ଭୟଙ୍କର ଭାବେ ଥରିଥିଲା ଏବଂ ସବୁକିଛି ଅନ୍ଧକାର ହୋଇଯାଇଥିଲା ବୋଲି କହିଛନ୍ତି ଆହତ ଯାତ୍ରୀ ରଂଜିତ ପନାଙ୍ଗଡ଼। ଦୁର୍ଘଟଣା ପରେ ଯେଉଁ ଦୃଶ୍ୟ ଦେଖିବାକୁ ମିଳିଥିଲା ତାହା ଖୁବ୍‌ ହୃଦୟବିଦାରକ ଥିଲା। ସହାୟତା ପାଇଁ ଆହତଙ୍କ ଚିତ୍କାର ସାଙ୍ଗକୁ , ରକ୍ତ ଜୁଡ଼ୁବୁଡ଼ୁ ପୋଷାକ ଏବଂ ଆମ୍ବୁଲାନ୍ସର ଗର୍ଜନ ଆତଙ୍କ ଖେଳାଇ ଦେଇଥିଲା।

ବିମାନରେ ଥିବା ଶିଶୁମାନେ ଭୟରେ ଥରୁଥିଲେ। ପ୍ରବଳ ବର୍ଷା ମଧ୍ୟରେ ଯେତେବେଳେ ସ୍ଥାନୀୟ ପୁଲିସ ଏବଂ ଉଦ୍ଧାରକାରୀ ଦଳ ବିମାନରେ ଥିବା ଆହତମାନଙ୍କୁ ଉଦ୍ଧାର କରିବାକୁ ଚେଷ୍ଟା କରିଥିଲେ ସେ ସମୟରେ ସେମାନେ ହତବାକ୍‌ ହୋଇ ଯାଇଥିଲେ। କାରଣ ମୁହୂର୍ତ୍ତକ ମଧ୍ୟ‌ରେ କ'ଣ ଘଟିଗଲା ତାହା ସେମାନେ ଜାଣି ପାରିନାହାନ୍ତି। ସେମାନେ ବଞ୍ଚିବେ କି ନା' ତାହା ମଧ୍ୟ ଉଦ୍ଧାର ହେବା ପର୍ଯ୍ୟନ୍ତ ଜାଣି ପାରିନଥିଲେ। ୪ରୁ ୫ ବର୍ଷର ଶିଶୁମାନେ ଉଦ୍ଧାରକାରୀ ବ୍ୟକ୍ତିଙ୍କୁ ଭୟରେ ଜାବୁଡ଼ି ଧରିଥିବା ଦେଖିବାକୁ ମିଳିଥିଲା। ଯାତ୍ରୀଙ୍କ ଜୋତା ଏବଂ ବ୍ୟାଗ୍‌ ଚାରିଆଡ଼େ ବିଛାଡ଼ି ହୋଇ ପଡ଼ିଥିଲା। ଆହତମାନଙ୍କୁ ତୁରନ୍ତ ହସ୍ପିଟାଲ୍‌ ନେବା ପାଇଁ ଯୁଦ୍ଧସ୍ତରରେ ସମସ୍ତ ପ୍ରୟାସ ହୋଇଥିଲା ଏବଂ ସ୍ଥାନୀୟ ଲୋକେ ମଧ୍ୟ ସହଯୋଗର ହାତ ବଢ଼ାଇଥିଲେ। ଜଣେ ସ୍ଥାନୀୟ ଉଦ୍ଧାରକାରୀ କହିଛନ୍ତି, ଛୋଟ ପିଲାମାନେ ସିଟ୍‌ ତଳେ ଚାପି ହୋଇ ରହିଥିବାର ଦୃଶ୍ୟ ତାଙ୍କ ହୃଦୟକୁ ଦୋହଲାଇ ଦେଇଥିଲା ।

ନୂଆଦିଲ୍ଲୀ: କୋଝିକୋଡ୍‌ ବିମାନବନ୍ଦରରେ ଏୟାର ଇଣ୍ଡିଆ ଏକ୍ସପ୍ରେସ୍‌ ବିମାନ ଯେତେବେଳେ ରନ୍‌ୱେରୁ ଖସିଯାଇ ୨ ଖଣ୍ଡ ହୋଇଗଲା ସେ ସମୟରେ ସେହି ଦୃଶ୍ୟକୁ ପ୍ରଥମେ ଦେଖିଥିଲେ ସିଆଇଏସଏଫ୍‌ ସଦସ୍ୟ। ବିମାନବନ୍ଦର ସୀମା ପରିଚାଳନା କରୁଥିବା ସିଆଇଏସଏଫ୍‌ ସଦସ୍ୟମାନେ ପ୍ରଥମେ ଦୁର୍ଘଟଣା ଦେଖି ତୁରନ୍ତ ସେଠାରେ ପହଞ୍ଚିଥିଲେ। ଭୟ‌ରେ ଚିତ୍କାର କରୁଥିବା ଯାତ୍ରୀମାନଙ୍କୁ ପ୍ରଥମେ ସିଆଇଏସଏଫ୍‌ ସଦସ୍ୟଙ୍କ ଦ୍ବାରା ଉଦ୍ଧାର କରାଯାଇଥିଲା ବୋଲି ସିଆଇଏସଏଫ୍‌ର ସ୍ବତନ୍ତ୍ର ଡିଜି ଏମ୍‌ଏ ଗଣପତି କହିଛନ୍ତି। ଧୀରେ ଧୀରେ ଅଧିକ ଲୋକ ଉଦ୍ଧାର କାର୍ଯ୍ୟରେ ନିୟୋଜିତ ହେଲେ। ସିଆରପିଏଫ୍‌ ସଦସ୍ୟଙ୍କ ପରିବାର ସଦସ୍ୟ ମଧ୍ୟ ଉଦ୍ଧାର କାର୍ଯ୍ୟରେ ନିୟୋଜିତ ହୋଇଥିଲେ ବୋଲି ସେ କହିଛନ୍ତି। କିଛି ଲୋକ ବିମାନର ଭଗ୍ନାବଶେଷ ମଧ୍ୟ‌ରେ ଫସି ଯାଇଥିବା ବେଳେ ଆଉ କିଛି ଯାତ୍ରୀଙ୍କ ସିଟ୍‌ ବେଲ୍‌ଟ ଜାମ୍‌ ହୋଇ ଯାଇଥିଲା। ସ୍ବତନ୍ତ୍ର ଉପକରଣ ବ୍ୟବହାର କରି ସେମାନଙ୍କୁ ଉଦ୍ଧାର କରାଯାଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe